ପାତ୍ରପୁର,(ବି.ବି.ନୁ୍ୟଜ୍):ପଦ୍ମତୋଳା ନାଳରେ ବନ୍ୟା ଜଳ ପ୍ରବେଶ କରି ଏକାଧିକ ଘାଇ ସୃଷ୍ଟି ହୋଇଛି । ପାତ୍ରପୁର ବ୍ଲକ ବି.ନୂଆଗାଁ, ଜୟନ୍ତିପୁର, ପମଗାଁ, ସବରଦେଇପଟା, ଗୁଡ଼ିପଦର, ଜୟପୁର ବଳରାମପୁର ଓ ଚିଡ଼ୁପୁଡ଼ି ପ୍ରମୁଖ ଗ୍ରାମର ପ୍ରାୟ ଦୁଇ ଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ଘେରରେ ରହିଛି । ଯାହାଫଳରେ ଧାନ ଫସଲ ପାଣିରେ ବୁଡ଼ି ରହି ପଚିବା ଆରମ୍ଭ କରିଛି । ପଦ୍ମତୋଳା ନାଳରେ ନିମ୍ନମାନର କାମ ଯୋଗୁଁ ଚଳିତ ଲଘୁଚାପ ବର୍ଷାରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଧାନଜମି ଜଳମଗ୍ନ ହୋଇଛି । ଏନେଇ ସମ୍ପୃକ୍ତ ଗ୍ରାମବାସୀମାନେ ଗତ ଶୁକ୍ରବାର ତହସିଲଦାର ଓ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ । ଗୁଡ଼ିପଦର ଓ ବଳରାମପୁର ନିକଟରେ ଏହି ନାଳରେ ଘାଇ ସୃଷ୍ଟି ହୋଇ ବାହୁଦା ନଦୀକୁ ପାଣି ନିଷ୍କାସନ ହୋଇନପାରି ଜମିରେ ପହଞ୍ଚିଛି । ସେହିଭଳି ଚିଡ଼ୁପୁଡ଼ି ଓ ଜୟପୁରର ମଧ୍ୟ ସ୍ଥଳରେ ଥିବା ଦୁର୍ଗା ମନ୍ଦିର ନିକଟରେ ଏହି ନାଳରେ ଘାଇ ସୃଷ୍ଟି ହୋଇ ଧାନ ଫସଲ ଜଳମଗ୍ନ ହୋଇଛି । ଗତବର୍ଷ ପଦ୍ମାତୋଳା ନାଳ ସୌନ୍ଦର୍ଯ୍ୟକରଣ ବେଳେ ଗୁଡ଼ିପଦର ଗ୍ରାମବାସୀ ମୁହାଣ ନିକଟରେ ଡ୍ୟାମ ନିର୍ମାଣ ପାଇଁ ଡ୍ରେନେଜ ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଏଥିପ୍ରତି ଦୃଷ୍ଟି ଦିଆନଯାଇ ଅର୍ଥର ବ୍ୟାପକ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପହଞ୍ଚି ସଠିକ କ୍ଷୟକ୍ଷତି ମୂଲ୍ୟାୟନ କରି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଚିକିଟି ନିର୍ବାଚନମଣ୍ଡଳୀ ବିଜେପି ଦାବି କରିଛି । ଘାଇ ସୃଷ୍ଟି ହେଉଥିବା ସ୍ଥାନରେ ଡ୍ୟାମ ନିର୍ମାଣ ସହ କ୍ଷତିଗ୍ରସ୍ତ ଫସଲର ବୀମାରାଶି ଓ କ୍ଷତିପୂରଣ ପ୍ରଦାନ ପାଇଁ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା, ଇଶୁରୁ ବାଳକ୍ରିଷ୍ଣା, ଉମାଶଙ୍କର ନାୟକ, ଦେବକୀ ନନ୍ଦନ ପାଢ଼ୀ, ଉମାଶଙ୍କର ପାଢ଼ୀ, ଗୌରାଙ୍ଗ ପାଣିଗ୍ରାହୀ, ଶଙ୍କର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.