ରାୟଗଡା : ପ୍ରେମ ପାଇଁ ରାସ୍ତାରେ କଣ୍ଟା ସାଜିଥିବା ପୁଅକୁ ହତ୍ୟା କଲା ମା’ । ପ୍ରେମିକ ସହ ମିଶି ହତ୍ୟା କରିଛି ପୁଅକୁ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଟାଉନ୍ ଥାନା ଅଞ୍ଚଳରେ । ସ୍ବାମୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଯାଜପୁରର ଅଶୋକ ଦାସ ତାଙ୍କ ପତ୍ନୀ ମୀନା ଓ ଦୁଇ ବର୍ଷର ପୁଅ ସହ ଭୁବନେଶ୍ବର ନିଳାଦ୍ରୀବିହାରରେ ଘର ଭଡା ନେଇ ରହୁଥିଲେ । ଯାଜପୁର ବିଞ୍ଝାରପୁର ଅଞ୍ଚଳର ପାର୍ଥସାରଥୀ ଧଳ ରାୟଗଡା ଟାଉନ୍ ଥାନା ଅଧୀନ ନ୍ୟୁ-କଲୋନୀ ସ୍ଥିତ ଉମାଶଙ୍କର ସିନେମା ହଲ୍ ନିକଟରେ ରହୁଥିଲେ । ପାର୍ଥସାରଥୀ କୌଣସି କାମରେ ସେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଆସିଥିଲେ । ସେଠାରେ ମୀନାଙ୍କ ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମ ଦେଖାରେ ପାର୍ଥ ଓ ମୀନା ପରସ୍ପରକୁ ଭଲପାଇ ବସିଲେ । ମୀନା ବେଳେବେଳେ ପାର୍ଥକୁ ଦେଖା କରିବାକୁ ରାୟଗଡା ଯାଉଥିଲେ । ପାର୍ଥ ମଧ୍ୟ ଭୁବନେଶ୍ବର ଆସୁଥିଲେ । ୨୦୧୭ରେ ଜୁନ୍ରେ ମୀନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।
କିଛି ଦିନ ତଳେ ପାର୍ଥ ଓ ମୀନା ନିଷ୍ପତ୍ତି ନେଲେ ବାହା ହୋଇ ଏକାଠି ରହିବାକୁ । ହେଲେ ପ୍ରତିବନ୍ଧକ ସାଜିଥିଲା ଦୁଇ ବର୍ଷର କୁନି ପୁଅ । ମୀନା ସ୍ବାମୀ ଅଶୋକଙ୍କ ପାଖରେ ପୁଅକୁ ଛାଡି ରାୟଗଡା ଚାଲିଯିବେ ବୋଲି ଯୋଜନା କରିଥିଲେ । ଗତ ୨୪ ତାରିଖରେ ମୀନା ଘରୁ ଗୋଡ କାଢିଥିଲେ । ହେଲେ ପୁଅକୁ ସାଙ୍ଗରେ ରାୟଗଡା ନେଇଗଲେ । ସେଠାରେ ପହଞ୍ଚିଲା ବେଳକୁ ପୁଅକୁ ଦେଖି ପାର୍ଥ ରାଗି ଯାଇଥିଲେ । ଏହାକୁ ନେଇ ଦୀର୍ଘ ସମୟ ପାଟି ତୁଣ୍ଡ ହୋଇଥିଲା ।
ରାଗରେ ଉତକ୍ଷିପ୍ତ ହୋଇ ପାର୍ଥ ଦୁଇ ବର୍ଷର ପୁଅକୁ ମାଡ ମାରିଥିଲେ । ମୀନା କିଛି ପ୍ରତିବାଦ କରିନଥିଲେ । ପୁଅ ମରିଗଲା ପରେ ଦୁଇ ଜଣ ତାକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଶିଶୁଟିର ମୃତ୍ୟୁ ହୋଇଯାଇଥିବାରୁ ଡାକ୍ତର ପୋଲିସକୁ ଖବର ଦେଇଥିଲେ । ସେଠାରେ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖିଥିଲା । ଜେରା ବେଳେ ସବୁ କଥା ପଦାକୁ ଆସିଥିଲା ।
ସେପଟେ ୨୪ ତାରିଖ ଦିନ ସ୍ତ୍ରୀ ଓ ପୁଅକୁ ନ ପାଇ ଅଶୋକ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲେ । ରାୟଗଡ଼ା ଟାଉନ୍ ଥାନା ପୋଲିସ୍ ମଧ୍ୟ ଘଟଣାର ତଦନ୍ତ କରି ଅଶୋକଙ୍କୁ ଯୋଗାଯୋଗ କରିଥିଲା । ଅଶୋକ ସେଠାରେ ପହଞ୍ଚି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।


Comments are closed, but trackbacks and pingbacks are open.