କଟକ,(ବି.ବି.ନୁ୍ୟଜ୍): ଯୌନ-ଶୋଷଣ ଅଭିଯୋଗରେ ଗିରଫ ହୋଇଥିବା ପ୍ରମୋଦ ସାହୁଙ୍କୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପଦରୁ ଆଜି ବସ୍ତୁତଃ ହଟାଇ ଦିଆଯାଇଛି । ସୋସାଇଟିର ଓ ସୋସାଇଟି ସଦସ୍ୟମାନଙ୍କର ଭାବମୂର୍ତ୍ତିକୁ, ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେ ସଭାପତି ତଥା ସଦସ୍ୟ ରହିବା ସୋସାଇଟି ପାଇଁ ଅନୁକୂଳ ନୁହେଁ ବୋଲି ମନ୍ତବ୍ୟ ରଖି ଏପରି କାର୍ଯ୍ୟାନୁÂାନ କରିଛନ୍ତି ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକ (ଆର୍ସିଏସ୍) ବିଭୂତି ଭୂଷଣ ପଟ୍ଟନାୟକ । ଶ୍ରୀ ସାହୁଙ୍କ ଅଫିସ୍ ଆସିବା, କାର୍ଯ୍ୟ କରିବା ଉପରେ ରୋକ୍ ଲଗାଯାଇଛି । ତେବେ ଆର୍ସିଏସ୍ ତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ସମବାୟ ଆଇନ ୧୯୬୨ର ଧାରା ୩୨ ଉପଧାରା-୮ ଅନୁଯାୟୀ ତାଙ୍କୁ କାହିଁକି ସୋସାଇଟିର ପରିଚାଳନା କମିଟି ସଭାପତି ତଥା ସଦସ୍ୟ ପଦରୁ ସଂପୂର୍ଣ୍ଣ ରୂପେ ହଟାନଯିବ ସେଥିଲାଗି କୈଫିୟତ ତଲବ କରିଛନ୍ତି । ଏହାର ଜବାବ ୭ ଦିନ ମଧ୍ୟରେ ରଖିବାକୁ ତାଙ୍କୁ କୁହାଯାଇଛି । ଅନ୍ୟଥା ଆଇନତଃ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ନିବନ୍ଧକ । ଏ ପ୍ରସଂଗର ସମାଧାନ ନହେବା ଯାଏ ସୋସାଇଟିର ଉପସଭାପତି ଅନସୂୟା ସାମଲ ଇନ୍ଚାର୍ଜ ସଭାପତି ଭାବେ ଦାୟିତ୍ୱ ତୁଲାଇବେ ବୋଲି ବିଭାଗୀୟ ନୋଟିସରେ ଦର୍ଶାଯାଇଛି ।
ସୋସାଇଟିରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ସଭାପତି ଶ୍ରୀ ସାହୁଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଏବଂ ଏନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେବା ପରେ ସରକାର ଏଭଳି କଠୋର କାର୍ଯ୍ୟାନୁÂାନ କରିଛନ୍ତି । ଫଳରେ ଗିରଫ ହେବା ପରେ ପ୍ରମୋଦଙ୍କ ଅଡ଼ୁଆ ବଢ଼ିଯାଇଛି । ସମବାୟ ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି କି’ ସୋସାଇଟି ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ କଟକ ଚାରି ଜିଲ୍ଲାରେ ଥିବା ବହୁ ଶାଖାରେ ଜମା ସଂଗ୍ରହ ସହ ଋଣ ପ୍ରଦାନ କରିଆସୁଛି । ସୋସାଇଟିର ସଦସ୍ୟ-ଜମାକାରୀ ସଂଖ୍ୟା ଲକ୍ଷାଧିକ ହୋଇଥିବା ବେଳେ ୧୪୦ କୋଟିରୁ ଅଧିକ ଜମାରାଶି ଓ ୧୪୦ କୋଟିରୁ ଅଧିକ ଋଣ ରହିଛି । ତେବେ ଗତ ୩ ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ସୋସାଇଟିର ସଭାପତି ଶ୍ରୀ ସାହୁଙ୍କ ଅନୈତିକ କାର୍ଯ୍ୟକଳାପ, ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଭଳି ଅଭିଯୋଗ ସଂକ୍ରାନ୍ତ ଖବର ପ୍ରଚାରିତ, ପ୍ରସାରିତ ହେବା ପରେ ଏହା ସୋସାଇଟି ଏବଂ ଏହାର ସଦସ୍ୟ ତଥା ସର୍ବସାଧାରଣଙ୍କୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ଶ୍ରୀ ସାହୁ ସୋସାଇଟିର ସଭାପତି ତଥା ସଦସ୍ୟ ଭାବେ କାମ କରିବା ସୋସାଇଟିର ସ୍ୱାର୍ଥ ପାଇଁ ନିହାତି ହାନିକାରକ । ସର୍ବସାଧାରଣରେ ସଂସ୍ଥା ପ୍ରତି ରହିଥିବା ଭାବମୂର୍ତ୍ତିରେ ଏଥିଯୋଗୁଁ ଆଞ୍ଚ୍ ଆସିପାରେ । ତେଣୁ ତାଙ୍କୁ ବର୍ତ୍ତମାନ ପାଇଁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ବେଳେ, କାହିଁକି ସୋସାଇଟିର ସଭାପତି ତଥା ସଦସ୍ୟତାରୁ ବରଖାସ୍ତ କରାନଯିବ ତାହାର ଜବାବ ଆସନ୍ତା ୭ଦିନ ମଧ୍ୟରେ ରଖିବାକୁ କୈଫିୟତ ମଗାଯାଇଛି ।


Comments are closed, but trackbacks and pingbacks are open.