କଟକ, (ବି.ବି.ନୁ୍ୟଜ୍): ଏସ୍ସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ର ଅଧୀକ୍ଷକ ପ୍ରଫେସର ଡାକ୍ତର ସି.ବି.କେ. ମହାନ୍ତିଙ୍କୁ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ (ଡିଏମ୍ଇଟି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଅନ୍ୟପକ୍ଷରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ସରୋଜ କୁମାର ସାହୁଙ୍କୁ ପ୍ରଫେସର ସି.ବି.କେ. ମହାନ୍ତିଙ୍କ ସ୍ଥାନରେ ଏସ୍ସିବିର ନୂଆ ଅଧୀକ୍ଷକ ଭାବେ ଅବସ୍ଥାପିତ କରାଯାଇଛି । ଡିଏମ୍ଇଟି ଭାବେ ପ୍ରଫେସର ସି.ବି.କେ. ମହାନ୍ତି ଆସନ୍ତାକାଲି ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏସ୍ସିବିରେ ଲିଭର୍ ପ୍ରତିରୋପଣ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରର ଉନ୍ନତିକରଣ, ସୁପର ସ୍ପେସିଆଲିଟି ବ୍ଲକ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାଜ୍ୟରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷାଦାନ ବ୍ୟବସ୍ଥା ଉପରେ ସେ ପ୍ରାଥମିକତା ଦେବେ ବୋଲି ପ୍ରଫେସର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ପ୍ରଫେସର ମହାନ୍ତି ଏସ୍ସିବି ଅଧୀକ୍ଷକ ଦାୟିତ୍ୱରେ ଥିବା ବେଳେ ଏସ୍ସିବିର ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସଫଳ ହୋଇଥିଲେ । ବିଶେଷ କରି ଗତ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲା କ୍ଷେତ୍ରରେ ତାଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହିପରି ଡାକ୍ତରଖାନା ଭିତ୍ତିଭୂମିରେ ଉନ୍ନତି ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ସଠିକ୍ ସମୟରେ ସେ ଶେଷ କରିପାରିଥିବାରୁ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏମ୍ସିଆଇ) ଏସ୍ସିବିରେ ଡାକ୍ତରୀ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିବା ସହ ବର୍ଦ୍ଧିତ ଏମ୍ବିବିଏସ୍ ସିଟ୍ ଓ ଡିଏମ୍ ସିଟ୍କୁ ଅନୁମୋଦନ କରିଥିଲେ । ଅନ୍ୟପକ୍ଷରେ ବାରିପଦା ମେଡିକାଲ କଲେଜ୍ର ପ୍ରଫେସର ସରୋଜ କୁମାର ସାହୁ ମଙ୍ଗଳବାର ଅଧୀକ୍ଷକ ଦାୟିତ୍ୱ ଗ୍ରହଣ କରିବାର ମଧ୍ୟ ସମ୍ଭାବନା ରହିଛି ।


Comments are closed, but trackbacks and pingbacks are open.