ଆପାର୍ଟମେଣ୍ଟରୁ ଚୋରି କରୁଥିବା ୭ ଜଣିଆ ଗ୍ୟାଙ୍ଗ୍ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଯେଉଁଠି ପଶୁଥିଲେ ଏକବାର କଳାକନା ବୁଲାଇ ଦେଉଥିଲେ । ଘରୁ ଗ୍ୟାସ ସିଲିଣ୍ଡର, ଟଙ୍କା, ମୋବାଇଲ୍, ଇଲେକ୍ଟେ୍ରାନିକ୍ସ ସାମଗ୍ରୀ ସବୁକିଛି ନେଇ ଯାଉଥିଲେ ଏହି ଗ୍ୟାଙ୍ଗ୍ । ଏପରି ଏକ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଆଜି ଚନ୍ଦକା ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ବହୁ ପରିମାଣର ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଏହା ସହିତ ଏହିସବୁ ଚୋରି ସାମଗ୍ରୀ କିଣିଥିବା ୫ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଚନ୍ଦକା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଜବାଟିକା ଆପାର୍ଟମେଣ୍ଟରୁ ନିୟମିତ ବ୍ୟବଧାନରେ ଚୋରି ହେଉଥିଲା । ଘରୁ ବହୁ ମୂଲ୍ୟବାନ ସାମଗ୍ରୀ ଏହି ଗ୍ୟାଙ୍ଗ ନେଇ ଛୁ ମାରୁଥିଲେ । ଏହା ସହିତ ଏହି ଗ୍ୟାଙ୍ଗ ନିକଟସ୍ଥ ପଥରଗାଡ଼ିଆ ମୌଜାରୁ ମଧ୍ୟ ଚୋରି କରୁଥିଲେ । ରାଜବାଟିକା ଆପାର୍ଟମେଣ୍ଟ ବାସିନ୍ଦା ବିଜୟ ମହାନ୍ତି ନାମକ ଜଣେ ବ୍ୟକ୍ତି ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଚନ୍ଦକା ପୁଲିସ ତଦନ୍ତ ଜାରି ରଖିଥିଲା ।
ପ୍ରଥମେ ପୁଲିସ ଶିବୁ ସାହୁ, ଖୁରୁଡ଼ି ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଏମାନଙ୍କୁ ଜେରା କରିବା ପରେ ଜଣଜଣ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏମାନେ ହେଲେ ଦାରୁଠେଙ୍ଗ ଗ୍ରାମର ଶିବୁ ସାହୁ(୨୨), ନୂଆସାହିର ବିଶ୍ୱନାଥ ଦେହୁରୀ(୨୨), ଚନ୍ଦନ ମହାପାତ୍ର(୧୯), ଶିମିଳିପାଟଣାର ବଚନ ନାୟକ(୨୩), ଆରତ ଜେନା(୩୫), ଧୀରେନ୍ଦ୍ର ଦେହୁରୀ(୨୮), ଦାରୁଠେଙ୍ଗ ଗ୍ରାମର ପିଙ୍କୁ ବେହେରା(୨୭) ।
ଏମାନଙ୍କଠାରୁ ଚୋରି ଜିନିଷ କିଣିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଚନ୍ଦ୍ରଶେଖର ମାଝି(୩୫), ରମେଶ ସାହୁ(୩୬), ଜିତେନ୍ଦ୍ର ପାଟସାହାଣୀ(୨୭), କମଳ ଦାସ(୨୯) ଓ ଅନିରୁଦ୍ଧ ନାୟକ(୨୪) । ସମସ୍ତ ୧୨ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଲାପଟପ, ଗୋଟିଏ ଆଇପ୍ୟାଡ୍, କିଛି ମୋବାଇଲ୍, ୨ଟି ମୂଲ୍ୟବାନ୍ କ୍ୟାମେରା, ବହୁ ସଂଖ୍ୟାରେ ସିମ୍, ୯ଟି ଗ୍ୟାସ ସିଲିଣ୍ଡର, ରୁପା ଟଙ୍କା ଏବଂ ଅନ୍ୟାନ୍ୟ ବୈଦୁ୍ୟତିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons