ଭଞ୍ଜନଗର,(ବି.ବି.ନୁ୍ୟଜ୍): ନିର୍ଦ୍ଧୟ ହୋଇଗଲା ମାଆ । ନିଜ ଜନ୍ମିତ ୮ ଦିନର ଶିଶୁକନ୍ୟାକୁ ଛାଡ଼ି କୂଅକୁ ଡେଇଁ ଆତ୍ମହତ୍ୟା କରିଛି ମାଆ । ଭଞ୍ଜନଗର ଥାନାର ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୂଆଗାଁରେ ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ମୃତକ ରାମଚନ୍ଦ୍ର ବେହେରାଙ୍କ ଝିଅ ରୋଜାଲିନି ।
ଭଞ୍ଜନଗର ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରୋଜାଲିନି ଖଣ୍ଡୁଆଳ(୨୫) ଆଜି ଭୋର ୩ଟାରେ ନିଜ ଘର ଆଗରେ ସର୍ବସାଧାରଣ ବ୍ୟବହାର କରୁଥିବା ଏକ କୂଅରେ ଡେଇଁପଡିଥିଲେ । ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ରୋଜାଲିନିକୁ କୂଅରୁ ଉଦ୍ଧାର କରି ତୁରନ୍ତ ତାକୁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ରୋଜାଲିନିକୁ ମୃତ ଘୋଷଣା କରିଛନ୍ତି । ବେଲଗୁଣ୍ଠା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଭଞ୍ଜନଗର ଥାନାରେ ଅପମୃତୁ୍ୟ କେସ୍ ନମ୍ବର-୪୯/୧୯ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ରୋଜାଲିନଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ସୂଚନା ପ୍ରକାରେ ରୋଜାଲିନି ବର୍ଷକ ତଳେ ସେହି ଗ୍ରାମର ପ୍ରଦୀପ ଖଣ୍ଡୁଆଳଙ୍କୁ କୂଳ ରୀତିନୀତି ପ୍ରକାରେ ବିବାହ କରିଥିଲେ । ପ୍ରଦୀପ ଆର୍ମୀରେ ଚାକିରି କରୁଥିବାରୁ ବିବାହର କିଛିଦିନ ପରେ ଚାକିରି କ୍ଷେତ୍ରକୁ ଚାଲିଯାଇଥିଲେ । ଆଉ ରୋଜାଲିନି ବାପଘରକୁ ଚାଲି ଆସିଥିଲେ । ଗତ ୮ ତାରିଖରେ ଭଞ୍ଜନଗର ଡାକ୍ତରଖାନାରେ ରୋଜାଲିନି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଉଭୟ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । ମାତ୍ର ରୋଜାଲିନ୍ ଆଜି ଭୋରରୁ କୂଅକୁ ଡେଇଁ ଆତ୍ମହତ୍ୟା କରିଛି । ରୋଜାଲିନିଙ୍କ ବାପା ରାମଚନ୍ଦ୍ରଙ୍କ କହିବା ଅନୁଯାୟୀ, ଝିଅର ସାମାନ୍ୟ ମାନସିକ ବିକୃତ ରହିଥିଲା । ସୋମବାର ସମସ୍ତେ ଖାଇ ସାରି ଶୋଇଯାଇଥିଲେ । ରୋଜାଲିନି ସହ ତାର ମାଆଙ୍କ ସହ ମିଶି ଗୋଟିଏ ଘରେ ଶୋଇଥିଲେ । ଆଉ ଭୋର ୩ଟାରୁ ସେ କୂଅକୁ ଡେଇଁ ଆତ୍ମହତ୍ୟା କରିଛି । ଏହା କେବଳ ଝିଅର ମୁଣ୍ଡ ପାଗଳ ଦୋଷ ବୋଲି ରୋଜାଲିନିଙ୍କ ବାପା ରାମଚନ୍ଦ୍ର ବେହେରା ପୁଲିସ ନିକଟରେ ବୟାନ ଦେଇଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.