ବୁଗୁଡ଼ା,(ବି.ବି.ନୁ୍ୟଜ୍): ଧାନ ପାଚିବା ସମୟରେ ହାତୀପଲ ମାତିଛନ୍ତି । ବହୁ କଷ୍ଟରେ ଚାଷ କରି ଚାଷୀ ବର୍ଷଜାକ ପାଇଁ ଦାନା ସଂଗ୍ରହ କରିବା ଆଶା ରଖିଛି । ମାତ୍ର ଅମଳ ସମୟ ପାଖେଇ ଆସିଥିବାବେଳେ ହାତୀପଲ ଫସଲ ଦଳି ଚକଟି ବୁଗୁଡ଼ା ଅଞ୍ଚଳରେ ନଷ୍ଟ କରିଦେଇଛନ୍ତି ।
ବର୍ଷ ସାରା ବହୁ ପରିଶ୍ରମ କରି ଚାଷୀ ଧାନ ଫସଲ ଆଗେଇ ନେଇଥାଏ । ଧାର କରଜ ମଧ୍ୟ କରିବାକୁ ପଡ଼ିଥାଏ । ଯାହା ବି ହେଉ ବର୍ଷ ଶେଷରେ ତାକୁ ବିକ୍ରି କରି କିଛି ରୋଜଗାର କରିବା ପାଇଁ ଚିନ୍ତା କରିଥାଏ । ତା ଭିତରେ ବର୍ଷା ଠାରୁ ଆରମ୍ଭ କରି ରୋଗପୋକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତଥାପି ସେଥିରୁ ବଞ୍ଚାଇ ଫସଲକୁ ସୁରକ୍ଷିତ ରଖିଥାଏ । ଏବେ ଫସଲ ପାଚିବାରେ ଲାଗିଛି । କିଛି ଦିନ ପରେ ଅମଳ ହେବ । ମାତ୍ର ଜଙ୍ଗଲ ଜନ୍ତୁ ତଥା ହାତୀପଲ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିବାରେ ଲାଗିଛି । ବୁଗୁଡ଼ା ବନାଞ୍ଚଳ, ମାଣିତରା ସେrନ ଅନ୍ତର୍ଗତ ମାଣିତରା ପଞ୍ଚାୟତର ବିଭିନ୍ନ କ୍ଷେତମାଳରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଏହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ମାଣିତରା ଗ୍ରାମର ନୁହାଣା କ୍ଷେତମାଳରେ ହାତୀପଲ ପଶି ରାଜୁ ରଣାଙ୍କ ପ୍ଲଟ ନଂ ୪୨୨/୫୭୪୯ ସମେତ ଅନ୍ୟାନ ଚାଷୀ ମାନଙ୍କ ପ୍ରାୟ ଏକ ଏକରରୁ ଅଧିକ ପାଚିଲା ଧାନ ଫସଲ କ୍ଷତି କରିଥିବା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.