ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ଭୁଲିଯାଅ ମୁଁ ୧୯ ବର୍ଷର ମୁଖ୍ୟମନ୍ତ୍ରୀ । ଭୁଲିଯାଅ ମୁଁ ବିଜୁ ଜନତା ଦଳର ସଭାପତି । ବିଧାନସଭାରେ ଜଣେ ବରିÂ ସଦସ୍ୟ ଭାବେ ଆପଣମାନଙ୍କୁ ଅନୁରୋଧ କରୁଛି, ମଣିଷର ଦୁଃଖ ଓ ଦୁର୍ଦ୍ଧଶାକୁ ନେଇ ରାଜନୀତି ନହେଉ । ମହିଳା ନିର୍ଯାତନା ଘଟଣାକୁ ନେଇ ରାଜନୀତି ହେଉଛି ଅମାନବୀୟ । ଏଥିରୁ କ୍ଷାନ୍ତ ରହନ୍ତୁ ।’
ବିଧାନସଭାରେ ଆଜି ଆବେଗର ସହ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଲେ, ଆମେମାନେ ସାଢେ଼ ୪ କୋଟି ଓଡ଼ିଆଙ୍କ ପ୍ରତିନିଧିତ୍ୱ କରୁଛେ । ଆମେ ଏକ ପରିପକ୍ୱ ଗଣତନ୍ତ୍ର ରାଷ୍ଟ୍ରରେ ବାସ କରୁଛେ । ମାନବୀୟ ଦୁର୍ଦ୍ଧଶାକୁ ନେଇ ହୀନ ରାଜନୀତିରୁ କିଛି ମିଳିବନି । ଆସନ୍ତୁ ବିଧାନସଭାରେ ଓ ବାହାରେ ଆମେ ଉଚ୍ଚ ମୂଲ୍ୟବୋଧର ରାଜନୀତିକୁ ଉତ୍ସାହିତ କରିବା ।
ଗୃହରେ ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାରେ ଉତ୍ତର ରଖି ନବୀନ କହିଲେ, ଧର୍ଷଣ, ହତ୍ୟା ଓ ଏଭଳି ଘଟଣାରେ ମହିଳାଙ୍କ ମୃତୁ୍ୟ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ମାତ୍ର ଏହାକୁ ରାଜନୈତିକ ରଙ୍ଗ ଦେବା ସମାଜକୁ ବିଶେଷକରି ଆମ ଯୁବ ପିଢ଼ିଙ୍କୁ ଭୁଲ ବାର୍ତ୍ତା ଦେଉଛି । ତଦନ୍ତକୁ ନେଇ ଯଦି ସନ୍ତୋଷ ନମିେଳେ, ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେଇ ହେବ । ମାତ୍ର ତାକୁ ନେଇ ରାଜନୀତିରୁ କ’ଣ ମିଳିବ?
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଗୃହକୁ ପ୍ରତିଶ୍ରୁତି ଦେଇ କହିଲେ, ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧକୁ ସରକାର ଆଦୌ ବରଦାସ୍ତ କରୁନାହାନ୍ତି । ଏଭଳି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ସରକାର କୌଣସି ଦିଗକୁ ହାତଛଡ଼ା କରିବେନି । ମହିଳା ଓ ଶିଶୁ ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ସରକାର ଏମିତି କାର୍ଯ୍ୟାନୁÂାନ ନେବେ ଯାହା ଉହାହରଣ ହୋଇ ରହିବ ।
ସେ କହିଲେ, ତ୍ୱରିତ ଓ ପେସାଦାରୀ ତଦନ୍ତ ଯୋଗୁଁ ୪ଟି ନାବାଳିକା ଧର୍ଷଣ ଓ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାରେ ପୋକ୍ସୋ ଆଇନରେ ଫାଶୀ ଦଣ୍ଡାଦେଶ ମିଳିଛି । ରେଡଫ୍ଲାଗ କେସ୍ରେ ଦଣ୍ଡବିଧାନ ହାର ବଢ଼ି ୪୧.୪୮ଧ ଛୁଇଁଛି । ଆପଣମାନଙ୍କୁ ମୁଁ ବିନମ୍ରତାର ସହ ଅନୁରୋଧ କରୁଛି, ମହିଳା ଓ ଶିଶୁ ନିର୍ଯାତନାକୁ ନେଇ ରାଜନୀତି କରନ୍ତୁନାହିଁ ।
ମୁଖ୍ୟମନ୍ତ୍ରୀ କହିଲେ, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସାଧାରଣ ଲୋକଙ୍କୁ ସନ୍ତୁଷ୍ଟି ଦେବା ହେଉଛି ଉତ୍ତମ ଶାସନର ବଡ଼ ଦିଗ । ଏଥିପାଇଁ ସରକାର ‘ ୫-ଟି’ରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ‘ ମୋ ସରକାର’ରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିଙ୍କ ଫୋନ ନମ୍ବର ପଞ୍ଜୀକରଣ କରାଯାଉଛି । ସେମାନେ ଥାନାରେ କିଭଳି ବ୍ୟବହାର ପାଇଲେ, ଗୁଣାତ୍ମକ ସେବା ମିଳିଲା ନା ନାହିଁ ଫୋନ୍ କରି ଅନୁଧ୍ୟାନ କରାଯାଉଛି । ଏଯାଏ ‘ ମୋ ସରକାର’ରେ ୨୫୦୦ ଫୋନ କଲ ହୋଇଛି । ମୁଁ ନିଜେ ୩୦୦ ଜଣଙ୍କ ସହ ଫୋନ କରି କଥା ହୋଇଛି । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ପୁଲିସ ବ୍ୟବସ୍ଥାରେ ବଡ଼ ସଂସ୍କାର ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ ।
ଏ ଅବସରରେ ରାଜ୍ୟର ପୁଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଥିଲେ ଯେ, ଆପଣମାନେ ନିଜ ଦାୟିତ୍ୱ ନିÂାର ସହ ତୁଲାନ୍ତୁ । କର୍ତ୍ତବ୍ୟ ସଂପାଦନ ବେଳେ ବିନା ଭୟ ଓ ପକ୍ଷପାତିତା ଅବଲମ୍ବନ କରନ୍ତୁ । କେତେ ସଂଖ୍ୟାରେ କେସ୍ ରୁଜୁ ହେଉଛି ସେଥିପାଇଁ ଚିନ୍ତା କରନ୍ତୁନି । ଆମ ପାଇଁ ସାଧାରଣ ଲୋକ ହେଉଛନ୍ତି ପ୍ରାଥମିକତା, ପରିସଂଖ୍ୟାନ ନୁହଁ । ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଅଛି । ମାଓ ହିଂସା କମିଛି ।
ଗୃହକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟବାସୀ ସମସ୍ତ ସରକାରୀ ସେବା ଅନଲାଇନରେ ପାଇବେ ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି । ସରକାରୀ ଅଫିସକୁ ନ ଧାଇଁ ଲୋକମାନେ ସହଜ କେନ୍ଦ୍ର ଜରିଆରେ ଘର ପାଖରେ ସେବା ପାଇବେ । ‘ ୫-ଟି’ରେ ଏହା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଆମେ ଏ ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ । ଏହାଛଡ଼ା ରାଜ୍ୟ ସରକାରଙ୍କ ସମସ୍ତ ପ୍ରକଳ୍ପ କାମରେ ନିୟୋଜିତ ଶ୍ରମିକମାନଙ୍କ ମଜୁରୀ ଆଗକୁ ଅନଲାଇନରେ ସଂପୃକ୍ତ ବ୍ୟାଙ୍କ ଜମାଖାତାରେ ପଇଠ ହେବ । ଏହି ଟାର୍ଗେଟ୍ ପୂରଣ ହେଲେ ଗରିବ ଶ୍ରମିକମାନେ ଉପକୃତ ହେବେ । ‘ ୫-ଟି’ ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ଆମେ ଅଧିକ ଲୋକାଭିମୁଖୀ କରିବୁ । ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନରେ ଏହା ବେଶ ସହାୟକ ହେବ । ବିଧାୟକମାନେ ଏଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳର ସହ ଅନୁରୋଧ କରିଥିଲେ ।
Comments are closed, but trackbacks and pingbacks are open.