ଭୁବନେଶ୍ୱର: ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଯୋଜନାକୁ ଅଗ୍ରାଧିକାର ଦେବା ସହିତ ସହରାଞ୍ଚଳରେ ବାହାରୁଥିବା କଠିନ ବର୍ଜବସ୍ତୁ ପରିଚାଳନା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ପ୍ରତିଷ୍ଠା ହେଉଛି। ତାମିଲନାଡୁ ଢାଞ୍ଚାରେ ପ୍ରତିଷ୍ଠା ହେଉଥିବା ଏହି ଖତ ତିଆରି କେନ୍ଦ୍ର ସହରାଞ୍ଚଳରେ ବର୍ଜ୍ୟ ପରିଚାଳନାରେ ବେଶ୍ ସହାୟକ ହେବ। ଏହି ବ୍ୟବସ୍ଥା ଅତ୍ୟନ୍ତ ଶସ୍ତା, ବ୍ୟବହାର ଉପଯୋଗୀ ହୋଇଥିବାରୁ ପୌରସଂସ୍ଥା ଗୁଡିକୁ ଏହାକୁ ଆପଣେଇବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପୌରାଞ୍ଚଳ ଗୁଡିକୁ ଆବର୍ଜନାମୁକ୍ତ କରିବା ନିମନ୍ତେ ୨୪୨ଟି ଏମ୍ସିସି ପ୍ରତିଷ୍ଠାର ଶୁଭ ଦେଇଛନ୍ତି। ଇତି ମଧ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୌରାଞ୍ଚଳରେ ଏମ୍ସିସି ପ୍ରତିଷ୍ଠା କାର୍ୟ୍ୟ ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏମ୍ସିସି ନିର୍ମାଣ କାର୍ୟ୍ୟ ତ୍ୱରାନିତ ସହିତ କାର୍ୟ୍ୟକ୍ଷମ କରିବାପାଇଁ ମନ୍ତ୍ରୀ ଜେନା ପରାମର୍ଶ ଦେଇଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଓ ସ୍ୱଚ୍ଛ ଭାରତ ମିଶନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତାମିଲନାଡୁ ଗସ୍ତ କରିଥିବା ଏକ ଉଚ୍ଚ ପ୍ରତିନିଧିଦଳ ସେଠାରେ ଏମ୍ସିସି ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହିତ ଓଡିଶାରେ ଅନୁରୂପ ଭାବେ ବର୍ଜ୍ୟ ପରିଚାଳନା ପାଇଁ ମତ ଦେଇଥିଲେ। ଏହାପରେ ରାଜ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ସମସ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା, ମ୍ୟୁନିସିପାଲ କମିଶନର, ପୌର ସଂସ୍ଥାର କାର୍ୟ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଏମ୍ସିସି ସଂକ୍ରାନ୍ତରେ ଅବଗତ କରାଯାଇଥିଲା।
ଅନୁରୂପ ଭବେ ପୌରସଂସ୍ଥା ଗୁଡିକରେ ସ୍ୱଚ୍ଛ ଭାରତ ମିଶନ ସହିତ ଜଡିତ ୨୮,୬୦୬ ଜଣ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ତାଲିମ ଦିଆଯାଇଛି। ସମସ୍ତ ପୌରାଞ୍ଚଳରେ ଏମ୍ସିସି ପ୍ରତିଷ୍ଠା ଲାଗି ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଏମ୍ସିସି ପ୍ରତିଷ୍ଠା କ୍ଷେତ୍ରରେ କିଭଳି ସମାନତା ରହିବ ସେଥିଲାଗି ମାନବସମ୍ବଳ, ଆବଶ୍ୟକ ଯନ୍ତ୍ରପାତି, ଗାଡି ଯାତାୟତ ରୁଟ୍ମ୍ୟାପ, ନମୂନା ସର୍ବେକ୍ଷଣ ସଂକ୍ରାନ୍ତରେ ଉଲ୍ଲେଖ ଅଛି। ଦୈନିକ ଏକ ରୁ ୫ଟନ୍ ବର୍ଜ୍ୟ ପରିଚାଳନା କ୍ଷମତା ଥିବା ଏମ୍ସିସି ଗୁଡିକ ବିଭିନ୍ନ ପୌରସଂସ୍ଥାରେ ପ୍ରତିଷ୍ଠା ହେବ। ଯେଉଁସ୍ଥାରେ ଲୋକେ ରସାୟନିକ ସାର ବ୍ୟବହାର କରୁଥିଲେ ସେଠାରେ ଏମ୍ସିସିରୁ ବାହାରିବାକୁ ଥିବା ଖତ ବ୍ୟବହାର ହେବ। ଇତି ମଧ୍ୟରେ ତାମିଲନାଡଭରେ ଏମ୍ସିସି ମଡେଲର ଜନକ କୁହାଯାଉଥିବା ଡକ୍ଟର ମୁରୁଗେସାନ ପାରାଦୀପ୍ ଓ କୋଟପାଡ ପୌରପାଳିକା ପରିଦର୍ଶନ କରି ସେଠାରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପାରାଦୀପ୍ ପୌରପାଳିକା କାର୍ୟ୍ୟକାରୀ କରୁଥିବା ‘ମୋ ଖତ’ ଯୋଜନକୁ ପ୍ରଶଂସା କରିବା ସହିତ ଏଥିପାଇଁ ନିୟୋଜିତ ସ୍ୱଚ୍ଛ ସାଥିମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଡକ୍ଟର ମୁରୁଗାସାନ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏମ୍ସିସି ସଂକ୍ରାନ୍ତରେ ଆଲୋଚନା କରିଥିବା ଜଣାଯାଇଛି। ଏମ୍ସିସି କାର୍ୟ୍ୟକାରୀ ସହିତ ରାଜ୍ୟ ସହରାଞ୍ଚଳ ଏବେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଅଧିକ ପ୍ରାଧାନ୍ୟ ଦେଉଛି।
Comments are closed, but trackbacks and pingbacks are open.