ନୂଆଦିଲ୍ଲୀ : ଯେମିତି ତାମିଲନାଡୁର ସମୁଦ୍ର କୂଳ ସହର ମହାବଳୀପୁରମରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ସେମିତି ଏକ ଐତିହାସିକ ସ୍ଥଳରେ ହେବ ଭାରତ-ଜାପାନ ଶିଖର ଆଲୋଚନା। ଏକାଠି ବସିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ।
ଆଉ ଏଥିପାଇଁ ଦିଲ୍ଲୀ ମୁମ୍ବାଇ, ହାଇଦ୍ରାବାଦ, ଅହମ୍ମଦାବାଦ ଭଳି ସହର ନୁହେଁ ବରଂ ପୁଣି ମହାବଳୀପୁରମ ଭଳି ଏକ ଐତିହ୍ୟ ସଂପନ୍ନ ସ୍ଥାନକୁ ଚୟନ କରାଯିବ। ମିଳିଥିବା ସୂଚନା ଅନୁସାରେ କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା। ଆଉ ସିଞ୍ଜୋ ଆବେଙ୍କୁ କୋଣାର୍କର ସୌନ୍ଦର୍ୟ୍ୟ ଦେଖାଇବେ ମୋଦି।
ଡିସେମ୍ବର ୧୩ରୁ ୧୭ ତାରିଖ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କାର୍ୟ୍ୟକ୍ରମ ରହିଛି। ତେବେ ଦୁଇ ଦେଶ ମଧ୍ୟରେ ଏନେଇ ସ୍ଥାନ ନିରୂପଣ ଲାଗି ଚାଲିଛି ଅଧିକାରୀ ସ୍ତରୀୟ ଆଲୋଚନା। ଆସାମର ଗୁଆହାଟୀ ବି ଚର୍ଚ୍ଚାର ପରିସରରେ ରହିଛି। ଏଥିସହିତ ଭୁବନେଶ୍ବର କିମ୍ବା କୋଣାର୍କକୁ ଚୟନ କରାଯାଇପାରେ। ଏମିତି ହେଲେ ପ୍ରଥମ ଥର ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଶିଖର ଆଲୋଚନା ଓଡ଼ିଶାରେ ହେବ। ୨୦୧୭ରେ ସିଞ୍ଜୋ ଆବେ ଯେତେବେଳେ ଭାରତ ଆସିଥିଲେ ସେତେବଳେ ଅହମ୍ମଦାବାଦରେ ତାଙ୍କୁ ଉଚ୍ଛ୍ବସିତ ରୋଡ ସୋ ଜରିଆରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ଉତ୍ତର ପୂର୍ବାଞ୍ଚଳ ସ୍ଥାନ ଉପରେ ଜାପାନ ଏଥର ଅଧିକ ଗୁରୁତ୍ବ ଦେଉଥିବା ସୂଚନା ରହିଛି।
Comments are closed, but trackbacks and pingbacks are open.