ଜଗତପୁର : ଜଗତପୁର ଥାନା ନୂଆସାହି ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ଲୁଟ୍ପାଟ ହୋଇଛି । ଏକ ୪ଜଣିଆ ଡକାୟତ ଦଳ ପରିବାର ସଦସ୍ୟଙ୍କୁ ମାଡ଼ ମାରି ଅଳଙ୍କାର, ନଗଦ ଟଙ୍କା ଓ ଏକ ସ୍କୁଟି ଲୁଟି ନେଇ ଫେରାର ହୋଇଯାଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଛି । ଡକାୟତଙ୍କ ମାଡ଼ରେ ପରିବାରର ଦୁଇ ଜଣ ମହିଳା ଆହତ ହୋଇଛନ୍ତି । ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ୍ କରିବା ସହ ସନ୍ଦେହରେ ଜଣେ ଯୁବକକୁ ଉଠାଇଆଣି ପଚରା ଉଚରା ଜାରିରଖିଛି ।
ନୂଆସାହି ଗ୍ରାମର ସଂଯୁକ୍ତା ସୁନ୍ଦରାୟଙ୍କ ଅଭିଯୋଗ ଅନୁସାରେ ରବିବାର ରାତିରେ ତାଙ୍କ ଭାଇ ଘରେ ନଥିଲେ । ଘରେ କେବଳ ମାଆ, ଭାଉଜ ଓ ଛୋଟ ପିଲାଟିଏ ଥିଲା । ବିଳମ୍ୱିତ ରାତିରେ ପରିସ୍ରା କରିବା ପାଇଁ ସଂଯୁକ୍ତା ଓ ତାଙ୍କ ମାଆ କବାଟ ଖୋଲିବା କ୍ଷଣି ଆଗରୁ ଛକି ରହିଥିବା ଲୁଟେରାମାନେ ହଠାତ୍ ଘର ମଧ୍ୟକୁ ଧସେଇ ପଶିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଘର ନିକଟରେ ରହି ବାହାର ଗତିବିଧି ଲକ୍ଷ୍ୟ କରୁଥିବାବେଳେ ଅନ୍ୟ ୩ ଜଣ ଘର ଭିତରେ ପଶି ପରିବାର ଲୋକଙ୍କ ଠାରୁ ଦୁଇଟି ମୋବାଇଲ ଛଡାଇନେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଅତି ନିର୍ଦ୍ଦୟ ଭାବେ ଏକ ବାଡ଼ିରେ ମହିଳାଙ୍କୁ ମାଡ଼ ମାରିଥିଲେ । ଏଥିରେ ପରିବାରର ଜଣେ ବୟସ୍କ ମହିଳାଙ୍କ ସମେତ ଦୁଇ ଜଣ ଆହତ ହୋଇଥିଲେ । ପରେ ଘରେ ଥିବା କୁନି ପିଲା ବେକରେ ଛୁରି ଲଗାଇ ଧମକ ଚମକ ଦେଇଥିଲେ ।
ଏଥିରେ ଭୟଭୀତ ହୋଇ ଡକାୟତଙ୍କ କହିବା ମୁତାବକ ପରିବାର ଲୋକେ ଆଲମିରା ଚାବି ବଢାଇ ଦେବାପରେ ଦୁର୍ବୃତ୍ତମାନେ ସେଥିରେ ଥିବା ସୁନା କାନଫୁଲ,ଏଟିଏମ୍ କାର୍ଡ, ନଗଦ ୩୦ହଜାର ଟଙ୍କା ସହ ସଂଯୁକ୍ତାଙ୍କ ବେକରେ ଥିବା ଏକ ସୁନା ଚେନ୍ ଲୁଟି ନେଇଥିଲେ । ଦୀର୍ଘ ସମୟ ଧରି ଡକାୟତମାନେ ବେଧଡକ ଭାବେ ଆତଙ୍କରାଜ ଚଳାଇବା ପରେ ଘରେ ଥିବା ଏକ ସ୍କୁଟି ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଜଗତପୁର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ ପ୍ରାଥମିକ ତଦନ୍ତ କରି ସନ୍ଦେହରେ ପାଗା ଫାଣ୍ଡି ରାମେଶ୍ୱର ଅଞ୍ଚଳର ଜଣେ ଯୁବକଙ୍କୁ ଉଠାଇ ଆଣି ପଚରା ଉଚରା ଜାରି ରଖିଛି । ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ପ୍ରଦୀପ୍ତ କୁମାର ନାୟକ କହିଛନ୍ତି ।
Comments are closed, but trackbacks and pingbacks are open.