କଟକ,(ବି.ବି.ନୁ୍ୟଜ୍): ମ୍ୟାନେଜ୍ମେଣ୍ଟ୍ କୋଟାରେ ମେଡିକାଲ୍ କଲେଜ୍ରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇ ଦେବା ଆଳରେ ଏକ ବଡ଼ ର୍ୟାକେଟର ପର୍ଦ୍ଧାଫାସ କରିଛି କ୍ରାଇମ୍ବ୍ରାଞ୍ଚ । ଏହି ର୍ୟାକେଟ୍ର ପେଣ୍ଠସ୍ଥଳ ହୋଇଛି ଭୁବନେଶ୍ୱର । ଭୁବନେଶ୍ୱରେ ରହି ଏମ୍ବିବିଏସ୍ ସିଟ୍ ଯୋଗାଇଦେବା ନାଁରେ ଦେଶବ୍ୟାପୀ କୋଟିକୋଟି ଟଙ୍କା ଠକେଇ ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ବିଳମ୍ବରେ ହେଲେ ମଧ୍ୟ ଏହି ଠକ ର୍ୟାକେଟ୍ର ମୁଖ୍ୟ କାର୍ପଟ୍ଦାର ତଥା ମାଷ୍ଟର ମାଇଣ୍ଡ୍ କ୍ରାଇମବ୍ରାଞ୍ଚ ହାବୁଡ଼ରେ ପଡ଼ିଛି । ଅଭିଯୁକ୍ତର ନାଁ ସୌମ୍ୟକାନ୍ତ ମହାନ୍ତି । ଘର ପୁରୀ ଜିଲ୍ଲା ନିମାପଡ଼ା ଥାନା ଚଅଁରପଡ଼ା ଭଟବନ୍ଧ ଗାଁରେ । ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସୌମ୍ୟକାନ୍ତର ଜମାଥିବା ୮ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍, ଲ୍ୟାପଟପ୍, ମୋବାଇଲ୍ ଫୋନ୍ ଜବତ କରିଛି । ସେହିପରି ଅଭିଯୁକ୍ତର ପତ୍ନୀଙ୍କ ନାଁରେ ଭୁବନେଶ୍ୱର ପିପିଲି ରୋଡରେ ଥିବା ୩ବିଏଚ୍କେ ଫ୍ଲାଟ୍କୁ ଜବତ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସବ୍ରେଜିଷ୍ଟ୍ରାରଙ୍କୁ ସୁପାରିଶ କରାଯାଇଛି ।
ଆସାମସ୍ଥିତ ସିଲଚର୍ ମେଡିକାଲ କଲେଜ୍ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଜିତ୍ ନାଥ ଚୌଧୁରୀଙ୍କ ଝିଅକୁ ଭୁବନେଶ୍ୱରସ୍ଥିତ କିମ୍ସ୍ ମେଡିକାଲ କଲେଜ୍ରେ ଏମ୍ବିବିଏସ୍ ସିଟ୍ରେ ଆଡମିସନ୍ କରାଇଦେବା ନାଁରେ ୬୯ ଲକ୍ଷ ଟଙ୍କା ଠକି ନେବା ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ, ଆସାମସ୍ଥିତ ସିଲଚର୍ ମେଡିକାଲ କଲେଜ୍ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଜିତ୍ ନାଥ ଚୌଧୁରୀଙ୍କ ଝିଅକୁ ଭୁବନେଶ୍ୱରସ୍ଥିତ କିମସ୍ ମେଡିକାଲ କଲେଜ୍ରେ ମ୍ୟାନେଜ୍ମେଣ୍ଟ କୋଟାରେ ୨୦୧୫ ମସିହାରେ ଏମ୍ବିବିଏସ୍ ସିଟ୍ରେ ଆଡମିସନ୍ କରାଇଦେବା ଲାଗି ଅଭିଯୁକ୍ତ ସୌମ୍ୟକାନ୍ତ ମହାନ୍ତି ଯୋଗାଯୋଗ କରି ପ୍ରତିଶ୍ରୁତି ଦେଇଥିଲେ । ଫୋନ୍ରେ କଥାବାର୍ତ୍ତା ମଧ୍ୟରେ ଡାକ୍ତର ଚୌଧୁରୀଙ୍କ ସହ ସମ୍ପର୍କ ବଢ଼ିଥିଲା । ଦାବି ମୁତାବକ ଡାକ୍ତର ଚୌଧୁରୀ ସୌମ୍ୟକାନ୍ତଙ୍କ ସହଯୋଗୀ ରଘୁନାଥ ବେହେରାଙ୍କୁ ପ୍ରଥମେ ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଦେଇଥିଲେ । ପରେ ସୌମ୍ୟକାନ୍ତଙ୍କ କହିବା ମୁତାବକ ତାର ବିଭିନ୍ନ ଆକାଉଣ୍ଟ୍ରେ ଜୁଲାଇ ୨୦୧୫ ସୁଦ୍ଧା ୫୧ ଲକ୍ଷ ଟଙ୍କା ଜମା କରିଥିଲେ । ଭୁବନେଶ୍ୱର କିମସ୍ ମେଡିକାଲ କଲେଜ୍ରେ ନିଶ୍ଚୟ ଏମ୍ବିବିଏସ୍ ସିଟ୍ରେ ଝିଅ ଆଡମିସନ୍ ହୋଇଯିବ ବୋଲି ଅଭିଯୁକ୍ତ ସୌମ୍ୟକାନ୍ତଙ୍କ ସମେତ ସହଯୋଗୀମାନେ ଡାକ୍ତର ଚୌଧୁରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଅର୍ଥାତ୍ ଅକ୍ଟୋବର ମାସରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରି କିମସ୍ରେ ଝିଅର ଆଡମିସନ୍ ହୋଇପାରିବ ନାହିଁ ବୋଲି କହିଥିଲେ । କିମସ୍ ପରିବର୍ତ୍ତେ ବେଙ୍ଗାଲୁରରେ ଥିବା ସପ୍ତଗିରି ମେଡିକାଲ କଲେଜ୍ରେ ସିଟ୍ ଯୋଗାଇଦେବେ ବୋଲି ଅଭିଯୁକ୍ତମାନେ ପ୍ରତିଶ୍ରୁତି ଦେଇଥିଲେ । ଏ ବାବଦରେ ଡାକ୍ତର ପୁନର୍ବାର ଅଭିଯୁକ୍ତ ସୌମ୍ୟକାନ୍ତର ସହଯୋଗୀ ରଘୁନାଥ ବେହେରା ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ମେ ୨୦୧୬ରେ ଜମା କରିଥିଲେ । ଅଭିଯୁକ୍ତ ସୌମ୍ୟକାନ୍ତ ଓ ତାର ସହଯୋଗୀମାନେ ଏମିତି ବିଭିନ୍ନ ଆଳ ଦେଖାଇ ଡାକ୍ତର ଚୌଧୁରୀଙ୍କଠାରୁ ୬୯ ଲକ୍ଷ ଟଙ୍କା ଠକିନେଇଥିଲେ ।
ତେବେ ଅଭିଯୁକ୍ତମାନେ ମ୍ୟାନେଜ୍ମେଣ୍ଟ୍ କୋଟାରେ ଡାକ୍ତର ଚୌଧୁରୀଙ୍କ ଝିଅକୁ ଏମ୍ବିବିଏସ୍ ସିଟ୍ ଯୋଗାଇ ଦେଇନପାରିବାରୁ ସେ ଟଙ୍କା ଫେରସ୍ତ ନେବା ପାଇଁ ଚାହିଁଥିଲେ । ଡାକ୍ତର ଟଙ୍କା ମାଗିବାରୁ ଅଭିଯୁକ୍ତ ରଘୁନାଥ ବେହେରା ୧୦ ଲକ୍ଷ ଟଙ୍କାର ଏକ ଚେକ୍ ଡାକ୍ତର ଚୌଧୁରୀଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଚେକ୍ ବାଉନ୍ସ ହେବାରୁ ତାଙ୍କ ମନରେ ସନେ୍ଦହ ଆସିଥିଲା । ନିରାଶ ହୋଇ ଶେଷରେ ସେ ଗତ ଜୁନ୍ ୨୪ ତାରିଖରେ କ୍ରାଇମବ୍ରାଞ୍ଚରେ ଏକ ଅଭିଯୋଗ ଦାଏର କରିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଦେବୀପ୍ରସାଦ ଦାସଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ଇନ୍ସପେକ୍ଟର ଅନିଳା ଆନନ୍ଦ ଏବଂ ଅଶିଷଦେବ୍ ସାହୁ ପ୍ରମୁଖ ଘଟଣାର ତଦନ୍ତ ଚଳାଇଥିଲେ । ଉକ୍ତ ଘଟଣାରେ ଠକେଇ ଘଟଣାରେ ଏକ ବଡ଼ ର୍ୟାକେଟ୍ ଭୁବନେଶ୍ୱରରେ ସକ୍ରିୟ ଥିବାର କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜାଣିବାକୁ ପାଇଥିଲେ । ର୍ୟାକେଟ୍ର ମୁଖ୍ୟ କାର୍ପୋଟ୍ଦାର ସୌମ୍ୟକାନ୍ତ ମହାନ୍ତି ଥିବା ବେଳେ ଏଥିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜ୍ର ଡାକ୍ତର ଏବଂ ଆଉ କିଛି ପ୍ରତିÂିତ ବ୍ୟକ୍ତିବିଶେଷ ସାମିଲ୍ ଥିବା ଜଣାପଡିଥିଲା । ସମ୍ପୃକ୍ତ ଠକ ଗ୍ୟାଙ୍ଗ୍ ଓଡ଼ିଶା ସମେତ ବେଙ୍ଗାଲୁର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ବହୁ ଡାକ୍ତରୀ ପାଠ୍ୟକ୍ରମ ଆଶାୟୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିବାର କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ଜାଣିବାକୁ ପାଇଛି । ଉକ୍ତ ଗ୍ୟାଙ୍ଗ୍ର ସଦସ୍ୟ ରଘୁନାଥ ବେହେରାକୁ ୨ ମାସ ତଳେ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ସୌମ୍ୟକାନ୍ତଙ୍କୁ ଗିରଫ କରି ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଇଛି । ଅଭିଯୁକ୍ତ ସୌମ୍ୟକାନ୍ତଙ୍କ ନାଁରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ପ୍ରାୟ ୧୬ଟି ମାମଲା ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
Comments are closed, but trackbacks and pingbacks are open.