୨ ଅନ୍ତଃରାଜ୍ୟ ଲୁଟେରା ଗିରଫ, ୧ କୋଟିର ସିଗାରେଟ୍ ଜବତ

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ୧୬ ନଂ. ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରୁ ଏକ କଣ୍ଟେନରରୁ ପ୍ରାୟ ଦେଢକୋଟି ଟଙ୍କାର ସିଗାରେଟ୍ ଲୁଟ୍ ଘଟଣାରେ ଜିଲ୍ଲା ପୁଲିସକୁ ମିଳିଛି ସଫଳତା । ପୁଲିସ ଏହି ଘଟଣାରେ ଦୁଇ କୋଟିପତି ଲୁଟେରା ମଧ୍ୟପ୍ରଦେଶ ଇନେ୍ଦାର ଜିଲ୍ଲା ଚନ୍ଦନନଗର ଥାନା ଅଞ୍ଚଳର ଅମିତ ଚୋପ୍ରା ଓ ସେହି ଜିଲା ଭାବରକୋନ ଥାନା ଅନ୍ତର୍ଗତ କୌଶଲ୍ୟାପୁରୀ ନେମାବାର ରୋଡର ଅମିତ ଚୌଧୁରୀଙ୍କୁ ଗିରଫ କରିଛି । ଚୋରି ସିଗାରେଟ୍ ମଧ୍ୟରୁ ଇନେ୍ଦାରସ୍ଥିତ ଅମିତ୍ ଚୋପ୍ରାଙ୍କ ଗୋଦାମରୁ ୨୩୮ କାର୍ଟୁନ୍ (ପ୍ରାୟ ୧କୋଟି ୨ଲକ୍ଷ ଟଙ୍କା) ଜବତ ହୋଇଛି । ଏଥିସହ ଦୁର୍ବୃତ୍ତମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ସିଗାରେଟ୍ ବାବଦ ପ୍ରାୟ ୧୦ଲକ୍ଷ ଟଙ୍କା ଆଦାୟ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଏ ସମ୍ପର୍କରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ୧୬ ନଂ ଜାତୀୟ ରାଜପଥର ଉଗ୍ରତାରା ଛକ ନିକଟରେ ୭ ରୁ ୮ଜଣ ଦୁର୍ବୃତ୍ତ ଉକ୍ତ କଣ୍ଟେନର ଟ୍ରକ୍କୁ ଅଟକାଇ ଡ୍ରାଇଭରଙ୍କୁ ନେଇ ସ୍ଥାନୀୟ ଜଙ୍ଗଲରେ ବାନ୍ଧି ପକାଇଥିଲେ । ପରେ କୟଥପଲ୍ଲା ନିକଟସ୍ଥ ଫାଲକନ୍ ମେରାଇନ୍ କମ୍ପାନୀ ସମ୍ମୁଖରେ ଉକ୍ତ କଣ୍ଟେନରରୁ ସମସ୍ତ ୩୯୦ କାର୍ଟୁନ ସିଗାରେଟକୁ ଏକ ଦଶଚକିଆ ଟ୍ରକ୍ରେ ନେଇ ଚତୁରତାର ସହ ଫେରାର ହୋଇଯାଇଥିଲେ । ଏନେଇ ଜିଇଓ ଫାଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀର ସ୍ଥାନୀୟ ମ୍ୟାନେଜର୍ ସୁଦୀପ କାଶୀରା ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ଚୋରି ସିଗାରେଟ୍ର ମୂଲ୍ୟ ୧ କୋଟି ୪୭ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ସେ ଦର୍ଶାଇଥିଲେ । ଏନେଇ ପୁଲିସ ମାମଲା ନଂ. ୩୨୫/୧୯ ରୁଜୁ କରି ତଦନ୍ତ ଚଳାଇଥିଲା । ବିଶେଷ ସୂତ୍ରରୁ ଖବରପାଇ ଖୋର୍ଦ୍ଧା ଜିଲ୍ଲାର ସ୍ପେଶାଲ ଟିମ୍, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟାୟ, ସାଇବର କନ୍ଷ୍ଟେବଳ ଗାହୁରୁଦ୍ଧିନ୍ ଖାନ୍ ପ୍ରମୁଖ ବାଲୁଗାଁ ଏସଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ୱରେ ଦିଲ୍ଲୀ ଓ ଇନେ୍ଦାରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏକ କୋଟି ୨ ଲକ୍ଷ ୮ ହଜାର ୧୭୫ ଟଙ୍କାର ସିଗାରେଟ୍ ଜବତ ହୋଇଥିଲା । ଏଥିସହ ଦିଲ୍ଲୀରେ ବିକ୍ରି ହୋଇଥିବା ୧୫୨ ପେଟି ସିଗାରେଟ ବାବଦ ଲୁଟେରା ପାଇବାକୁ ଥିବା ୧୦ ଲକ୍ଷ ବଳକା ଅର୍ଥ ମଧ୍ୟ ପୁଲିସ ଆଦାୟ କରିଛି । ଅବଶିଷ୍ଟ ୨୩୮ ପେଟି ସିଗାରେଟ୍ ଇନନେ୍ଦାରରୁ ଜବତ ହୋଇଥିଲା । ସେଠାରେ ଏକ ପଡ଼ାଗ୍ରାମରେ ପ୍ରାୟ ୬୦ ଜଣ ଲୁଟେରା ଏ ଭଳି ବିଭିନ୍ନ ରାଜ୍ୟରୁ ଲୁଟ କରିଥିବା ଏସପି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ବିଗତ ଦିନରେ ନିରାକାରପୁର ଥାନା ଅଞ୍ଚଳରେ ହୋଇଥିବା ସିଗାରେଟ୍ ଲୁଟ ଘଟଣାର ପର୍ଦ୍ଧାଫାସ କରିବାର ଅଭିଜ୍ଞତା ଏ କ୍ଷେତ୍ରରେ ଜିଲ୍ଲା ପୁଲିସକୁ ସହାୟକ ହୋଇଥିବା ସେ କହିଛନ୍ତି । ଏହି ଲୁଟ୍ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି । ତେଣୁ ଆବଶ୍ୟକସ୍ଥଳେ ସମ୍ପୃକ୍ତ ଥାନାର ପୁଲିସ ସେମାନଙ୍କୁ ରିମାଣ୍ଡରେ ନେଇପାରିବେ ବୋଲି ଏସପି ସୂଚନା ଦେଇଛନ୍ତି । ବିଗତ ୪ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୭ଟି ବଡ଼ ଧରଣର ସିଗାରେଟ ଲୁଟ ଘଟଣା ଘଟିଥିବା ବେଳେ ପ୍ରଥମ ଥର ପାଇଁ ଜିଲ୍ଲା ପୁଲିସ ୨ ଅଭିଯୁକ୍ତ ଗିରଫ କରିଥିବା ଜଣାଯାଇଛି । ଏସ୍ପିଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦାସ, ଟାଙ୍ଗି ଥାନା ଆଇଆଇସି ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons