ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ: କିଏ ହେବେ ନୂଆ ରାଜ୍ୟ ସଭାପତି?

Get real time updates directly on you device, subscribe now.

ଭୁବନେଶ୍ୱର : ଏହି ମାସ ତୃତୀୟ ସପ୍ତାହରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଏଥର ଉପକୂଳର ଜଣେ ନେତାଙ୍କୁ ମିଳିପାରେ ମଙ୍ଗୁଆଳ ମୁକୁଟ। ତେବେ ଓଡ଼ିଶା ବିଜେପିରେ କିଏ ହେବେ ନୂଆ ରାଜ୍ୟ ସଭାପତି? କାହାମୁଣ୍ଡରେ ଲାଗିବ ମଙ୍ଗୁଆଳ ମୁକୁଟ? ଲୋକସଭା ସାଂସଦ ବସନ୍ତ ପଣ୍ଡା ପୁଣି ଥରେ ସଭାପତି ଆସନ ବଜାୟ ରଖିବେ କି? ଏବେ ଏସବୁ ପ୍ରଶ୍ନକୁ ନେଇ ଜୋର୍‌ଦାର୍ ଚର୍ଚ୍ଚା ହେଉଛି। ଆଉ ଏପଟେ ବି ରାଜ୍ୟ ବିଜେପିରେ ସଭାପତି ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏହି ରେସ୍‌ରେ ଆଗରେ ଅଛନ୍ତି ଉପକୂଳର ଦୁଇ ନେତା ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନ। ଏବଂ ପଶ୍ଚିମ ଓଡ଼ିଶାର ଦୁଇ ହେଭିୱେଟ୍‌ ନେତା ବସନ୍ତ ପଣ୍ଡା ଓ କେ.ଭି ସିଂ ଦେଓ।
ସମୀର ମହାନ୍ତି ଏବେ ରାଜ୍ୟ ଉପସଭାପତି ଅଛନ୍ତି। ଏଥର ଲଢ଼ି ନଥିଲେ ମଧ୍ୟ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ ସମୀର। ସେମିତି ସାଧାରଣ ସଂପାଦକ ଥିବା ପୃଥ୍ୱୀରାଜ ଚିଲିକା ଆସନରୁ ଲଢ଼ି ହାରିଥିଲେ ମଧ୍ୟ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ସଭାପତି ଥିବା ବସନ୍ତ ପଣ୍ଡାଙ୍କୁ ପୁଣିଥରେ ଦାୟିତ୍ୱ ଦେବାକୁ ଆଲୋଚନା ଚାଲିଥିବା ବେଳେ ପୂର୍ବତନ ସଭାପତି କେଭି ସିଂ ଦେଓଙ୍କ ନା ମଧ୍ୟ ଚର୍ଚ୍ଚାରେ ଅଛି।
ତେବେ ୨୦୦୪ ପରଠାରୁ ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ଥିବା ରାଜ୍ୟ ବିଜେପିର ଡୋରି ଏଥର ଉପକୂଳ ନେତାଙ୍କ ହାତକୁ ଆସିପାରେ ବୋଲି ଦଳ ଭିତରେ କିଛି ନେତା କହୁଛନ୍ତି। ଯଦିଓ ପଶ୍ଚିମ ଓଡ଼ିଶାର ୩୫ ଆସନରୁ ବିଜେପି ଏଥର ୮ ଆସନକୁ କବ୍‌ଜା କରିଛି। ଏପଟେ ଉପକୂଳରେ ଦଳର ଭୋଟ୍‌ ପ୍ରତିଶତ ବଢ଼ିଛି। ଉପକୂଳର ୫ ବିଧାୟକ ଏଥର ବିଧାନସଭାକୁ ଆସିଛନ୍ତି। ଉପକୂଳରେ ସଂଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ଦଳ ରଣନୀତି କରୁଥିବାରୁ ଏହାର ଅଂଶସ୍ୱରୁପ ଉପକୂଳନେତାଙ୍କୁ ମଙ୍ଗୁଆଳ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି।
ବିଜେପିର ବୁଥ୍ ସ୍ତରରୁ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇ ଏବେ ମଣ୍ଡଳ ସଭାପତି ନିର୍ବାଚନ ଚାଲିଛି। ୧୦୦୪ ମଣ୍ଡଳରୁ ପ୍ରାୟ ୮ ଶହ ମଣ୍ଡଳରେ ନିର୍ବାଚନ ସରିଲାଣି। ଆସନ୍ତା ସପ୍ତାହରେ ଜିଲ୍ଲାସଭାପତି ନିର୍ବାଚନ ହେବ। ତା’ପରେ ରାଜ୍ୟ ସଭାପତି ଚୟନ କରାଯିବ। ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡିଙ୍କୁ ଦାୟିତ୍ୱ ମିଳିଛି। ଏମାନଙ୍କ ଉପସ୍ଥିତିରେ ସଭାପତି ଚୟନ ପାଇଁ ସହମତି ହେବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons