ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ। ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଇକ ବିଦ୍ରୋହ ସ୍ମାରକୀର ନିର୍ମାଣ ପାଇଁ ପ୍ରଶଂସା କରିଥିଲେ।
ଓଡ଼ିଶାର ଐତିହ୍ୟ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ଏକ ଏମିତି ସ୍ଥାନ ଯେଉଁଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଏହି ଅବସରରେ ସେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ।
ଆଜିର କାର୍ୟ୍ୟକ୍ରମରେ ରାଜ୍ୟପାଳ ଗଣେଶୀଲାଲ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.