ବାଲେଶ୍ୱର,(ବି.ବି.ନୁ୍ୟଜ୍): ଜଳେଶ୍ୱର ଅଞ୍ଚଳରୁ ଆଜି ଭୋର୍ରୁ ପୁଣି ୩୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଜଡ଼ିତ ଥିବା ଦୁଇ ଏକ ପରିବାରର ପୁଅ କଟକ ଅବକାରୀ ଗୁଇନ୍ଦା ବିଭାଗ ହାଚରୁ ଖସି ଯାଇଥିବାବେଳେ ଏହି ପିଲାଙ୍କ ମା’ ଗିରଫ ହୋଇଛି । ଗିରଫ ସଂପୃକ୍ତ ମହିଳା ହେଉଛନ୍ତି ସ୍ୱର୍ଗତ ମୀର ମହମ୍ମଦ ଅଲ୍ଲୀଙ୍କ ପତ୍ନୀ ରମିନା ବେୱା(୫୮) । ଗତକାଲି ଜଳେଶ୍ୱର ଅଞ୍ଚଳରୁ ୬୮ ଗ୍ରାମ ବ୍ରାଉନସୁଗର ଜବତ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଆଜି ବ୍ରାଉନସୁଗର ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ବୁଧବାର ଭୋର୍ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀମାନେ ଜଳେଶ୍ୱର ଅଞ୍ଚଳର ଶାସନବାଡ଼ ଗାଁର ରମିନାର ଘରେ ଚଢଉ କରିଥିଲେ । ଏତିକିବେଳେ ଚତୁରତାର ସହିତ ରମିନାର ବଡ଼ପୁଅ ରିୟାସତ୍ ଅଲ୍ଲୀ ଓ ସାନପୁଅ ମୁନ୍ନା ଖସି ପଳାଇଥିଲେ । ଗୁଇନ୍ଦା ବିଭାଗ ଅଧିକାରୀମାନେ ରମିନାକୁ ଗିରଫ କରିଥିଲେ । ତା ଘରୁ ଜବତ ହୋଇଥିବା ୩୧୦ ଗ୍ରାମ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୩୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ରମିନା ବେୱାକୁ କୋର୍ଟ ଚାଲାଣ କରାଯାଇଛି ।
କିଛିଦିନ ପୂର୍ବରୁ ପୁଲିସ୍ ଅରଡବଜାର ଅଞ୍ଚଳରେ ଚଢଉ କରି ନିଶା ସାମ୍ରାଜ୍ୟର ବାଦ୍ଶାହା ରାଜା ଓ ତାର ସହଯୋଗୀଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଥିଲା ।
Comments are closed, but trackbacks and pingbacks are open.