କଟକରେ ଡବଲ୍ ମର୍ଡର ଘଟଣା:କଟୁରିରେ ହାଣି ମାରିଛନ୍ତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱରରେ ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ କଟୁରିରେ ହାଣି ବୀଭତ୍ସ ଭାବେ ଭାବେ ହତ୍ୟା କରାଯାଇଛି । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି । ଉଭୟ ପତିପତ୍ନୀଙ୍କ ମୁଣ୍ଡକୁ ଓ ମୁହଁକୁ ଏକାଧିକବାର କଟୁରିରେ ହଣାଯାଇଛି । ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତୁ୍ୟ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ଏହି ହତ୍ୟାକାଣ୍ଡର ଅସଲ କାରଣ ଜଣାପଡ଼ି ନ ଥିଲେ ବି କେହି ନିକଟ ପରିଚିତ ବା ସର୍ମ୍ପକୀୟ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି । ଆଜି ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମୃତ ଦମ୍ପତିଙ୍କ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲ ଯାଜପୁରର ମୂଳବାସିନ୍ଦା । ସେ ଦୀର୍ଘ ବର୍ଷ ହେବ ବେଲେଶ୍ୱରରେ ଘର କରି ରହୁଥିଲେ । ତାଙ୍କର ଚାରି ଝିଅ ଅଛନ୍ତି । ଜଣେ ଭୁବନେଶ୍ୱର, ଜଣେ ରାଉରକେଲା ଓ ଦୁଇ ଜଣ ଝିଅ ରାଜ୍ୟ ବାହାରେ ରୁହନ୍ତି । ଏକ ମାତ୍ର ପୁଅ ଚେନ୍ନାଇରେ ଚାକିରି କରିଛନ୍ତି । ଗତକାଲି ରାତି ପ୍ରାୟ ସାଢେ଼ ୯ଟା ବେଳେ ମୃତ ଶ୍ରୀନାଥ ସାମଲଙ୍କ ନିକଟକୁ ଭୁବନେଶ୍ୱରରେ ରହୁଥିବା ତାଙ୍କ ଝିଅ ଫୋନ୍ କରିଥିଲେ । ମାତ୍ର ଶ୍ରୀନାଥ କିମ୍ବା ପତ୍ନୀ ବିଦୁଲତା କେହିବି ଫୋନ୍ ଉଠାଇନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଫୋନ୍ ନଉଠାଇବାରୁ ଶ୍ରୀନାଥଙ୍କ ଜ୍ୱାଇଁ ପରିମଳ ସାମଲ ତାଙ୍କ ପଡେ଼ାଶୀକୁ ଫୋନ୍ କରି ଶ୍ୱଶୁରଙ୍କ ଘରକୁ ଯାଇ ସ୍ଥିତି ଦେଖିବା ପାଇଁ କହିଥିଲେ । ପଡେ଼ାଶୀ ଆସି ଶ୍ରୀନାଥଙ୍କ ଘର କବାଟ ଖୋଲି ଦେଖିବା ପରେ ତାଙ୍କର ହୋସ୍ ଉଡ଼ିଯାଇଥିଲା । ଘରେ ଉଭୟ ଶ୍ରୀନାଥ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପଡ଼ିଥିଲା । ଏନେଇ ପୁଲିସକୁ ସୂଚନା ଦେବା ପରେ ଡିସିପି ଅଖିଳେଶ୍ୱର ସିଂହ ଓ ଏସିପି ଶୁଭନାରାୟଣ ମୁଦୁଲି ଆସି ପ୍ରାଥମିକ ତଦନ୍ତ କରିଥିଲେ । ରାତି ହୋଇଯାଇଥିବାରୁ ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଆସି ଘର ଭିତରେ ତଦନ୍ତ ଆରମ୍ଭ କରିଥିଲା । ଟିମ୍ର ଯାଞ୍ଚ ଓ ତଥ୍ୟ ସଂଗ୍ରହ ପରେ ହତ୍ୟାକାଣ୍ଡ ନେଇ ଚିତ୍ର ସ୍ପଷ୍ଟ ହୋଇଥିଲା । ଦୁର୍ବୃତ୍ତମାନେ ଉଭୟ ପତି ଓ ପତ୍ନୀଙ୍କ ମୁଣ୍ଡକୁ କଟୁରିରେ ଏକାଧିକବାର ହାଣିଛନ୍ତି । ମୁଣ୍ଡ ସହିତ ମୁହଁ ଓ ବେକରେ ମଧ୍ୟ କିଛି କଟା ଦାଗ ରହିଛି । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହି କାରଣରରୁ ହିଁ ବୃଦ୍ଧ ଦମ୍ପତିଙ୍କର ମୃତୁ୍ୟ ହୋଇଛି । ସାଇଣ୍ଟିଫିକ୍ ଟିମ୍ ମୃତ ବିଦୁଲତାଙ୍କ ଶବକୁ ଘରର ଡାଇନିଙ୍ଗ୍ ଭିତରୁ ଓ ଶ୍ରୀନାଥଙ୍କ ମୃତଦେହ ଡ୍ରଇଂ ରୁମ୍ର ସୋଫା ଉପରୁ ଉଦ୍ଧାର କରାଯାଇଛି । ତେଣୁ ହତ୍ୟକାରୀ ପ୍ରାୟ ଦୁଇରୁ ଅଧିକ ଥିବା ପୁଲିସ ଅନୁମାନ କରୁଛି । ଅନ୍ୟପଟେ ଘରର ଆଲମିରା ଖୋଲା ରହିଥିଲେ ବି ତାହା ମଧ୍ୟରୁ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ତେବେ ମୃତ ଶ୍ରୀନାଥଙ୍କ ଝିଅଙ୍କ କହିବାନୁସାରେ, ଘରେ ସେଭଳି କିଛି ଦାମୀ ଜିନିଷ, ଅଳଙ୍କାର କିମ୍ବା ଅଧିକ ଟଙ୍କା ନଥାଏ । ମାତ୍ର ପୁଲିସ ଏହି ଦିଗକୁ ଅଧିକ ଗୁରୁତ୍ୱ ଦେଉଛି । ହତ୍ୟାକାଣ୍ଡ ସମୟରେ ଘରର ଆଲ୍ମିରା ଖୋଲା ରହିବା ଘଟଣା ଏହି ଦିଗକୁ ଅଧିକ ଦୃଢ଼ୀଭୂତ କରୁଛି । ଅନ୍ୟପଟେ ମୃତ ଶ୍ରୀନାଥ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଅଞ୍ଚଳର କିଛି ଲୋକଙ୍କୁ ଘର ଭଡ଼ା ଦେଇଥିଲେ । ମାତ୍ର ଶ୍ରୀନାଥଙ୍କ ସହିତ ସେହି ଲୋକଙ୍କର ବିବାଦ ହେବାରୁ ଉକ୍ତ ଲୋକଙ୍କୁ ଶ୍ରୀନାଥ ବାହାର କରିଦେଥିଲେ । ତେଣୁ ରାଗ ରଖି ଉକ୍ତ ଲୋକମାନେ ଏଭଳି କାଣ୍ଡ ଭିଆଇପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ହତ୍ୟାକାଣ୍ଡରେ କେହି ପରିଚିତ ଲୋକ ହିଁ ସାମିଲ ଥିବା ପୁଲିସ ଅନୁମାନ କରୁଛି । ପଡେ଼ାଶୀ ଓ ସମ୍ପର୍କୀୟଙ୍କ କହିବାନୁସାରେ, ସାଧାରଣତଃ ସନ୍ଧ୍ୟା ପରେ ଶ୍ରୀନାଥ ଘର ଭିତରକୁ କାହାକୁ ଆସିବାକୁ ଦିଅନ୍ତି ନାହିଁ । ଅତି ସମ୍ପର୍କୀୟ ବା ପରିଚିତ ନଥିଲେ ସେ ଘରର କବାଟ ମଧ୍ୟ ଖୋଲନ୍ତିନି । ମାତ୍ର ଗତକାଲି ରାତିରେ କବାଟ ଖୋଲା ରହିଥିଲା । କବାଟକୁ ଜବରଦସ୍ତ କେହି ଭାଙ୍ଗି ଭିତରକୁ ପଶିଥିବାର ସେଭଳି ପ୍ରମାଣ ମଧ୍ୟ ପୁଲିସକୁ ମିଳିନି । ତେଣୁ ପୁଲିସ ବର୍ତ୍ତମାନ ସମସ୍ତ ପରିଚିତଙ୍କ ଉପରେ ନଜର ରଖି ତଦନ୍ତକୁ ଆଗକୁ ବଢ଼ାଇଛି । ଡିସିପି ଅଖିଳେଶ୍ୱର ସିଂହଙ୍କ କହିବାନୁସାରେ, ତଦନ୍ତ ଠିକ୍ ଭାବେ ଆଗକୁ ବଢ଼ୁଛି । ଖୁବ୍ ଶୀଘ୍ର ଅଭିଯୁକ୍ତମାନେ ଧରାଯିବେ ବୋଲି ଡିସିପି ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons