ଜଗତସିଂହପୁର,(ବି.ବି.ନୁ୍ୟଜ୍): ତିର୍ତ୍ତୋଲ ଥାନାନ୍ତର୍ଗତ ବନ୍ଧବାଟୀ ରେଲ୍ୱେ ଲେବଲ୍ କ୍ରସିଂ ନିକଟରେ ଇଂଜିନିୟରିଂ ଛାତ୍ରୀ ଶୁଭଲକ୍ଷ୍ମୀ ଓଝା ଓରଫ ମାମାଲି (୧୯)ଙ୍କ ରହସ୍ୟମୟ ମୃତୁ୍ୟ ଘଟଣାର ପର୍ଦ୍ଧାଫାସ୍ କରିଛି ରେଳବାଇ ପୁଲିିସ । ପ୍ରଥମରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଶୁଭଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା, ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି । ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହେବା ପରେ, ପ୍ରତାରଣାର ଶିକାର ହେବା ପରେ, ଶୁଭଲକ୍ଷ୍ମୀ ରେଳରୁ ଡେଇଁ ଆତ୍ମହତ୍ୟା କରିଥିବା ରେଳବାଇ ପୁଲିସର ବରିÂ ଅଧିକାରୀ ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ଏହା ସହ ପ୍ରେମରେ ପ୍ରତାରଣା କରିଥିବା ଅଭିଯୁକ୍ତ ତିର୍ତ୍ତୋଲ ଲହଙ୍ଗାର ଶୁଭ୍ରାଂଶୁ ଶେଖର ବିଶ୍ୱାଳକୁ ପୁଲିସ ଗିରଫ କରିଥିବା ଶ୍ରୀ କର ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ମୁତାବକ, କଟକର ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢିବା ଭିତରେ ଶୁଭ୍ରାଂଶୁଙ୍କ ସହ ଶୁଭଲକ୍ଷ୍ମୀଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ପରସ୍ପରକୁ ବେଶ ନିବିଡ଼ ଭାବେ ଭଲ ପାଉଥିଲେ । ପାଖାପାଖି ୩/୪ ବର୍ଷ ଧରି ଏମାନଙ୍କ ଭିତରେ ସୁସଂପର୍କ ରହି ଆସିଥିଲା । ଏପରିକି ନିଜ ପ୍ରେମିକାକୁ ଗେହ୍ଳାରେ ପ୍ରୀୟାଂସୀ ଡାକୁଥିଲେ ଶୁଭ୍ରାଂଶୁ । ସଂପ୍ରତି ଶୁଭ୍ରାଂଶୁ ଚେନ୍ନାଇରେ ଚାକିରି ପାଇ ସେଠାରେ ରହୁଥିଲେ । ହେଲେ ଦୂରକୁ ଯିବା ପରେ ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ପୂର୍ବ ଭଳି ଆଉ ସଂପର୍କ ରହି ନ ଥିଲା । ଏମିତିକି ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍କୁ ମଧ୍ୟ ଅଣଦେଖା କରିବା ଆରମ୍ଭ କରିଥିଲେ ଶୁଭ୍ରାଂଶୁ । ପରିସ୍ଥିତି ଏମିତି ହୋଇଥିଲା ଯେ, ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍ ନମ୍ବରକୁ ମଧ୍ୟ ଶୁଭ୍ରାଂଶୁ ବ୍ଲକ କରି ଦେଇଥିଲେ । ଫଳରେ ଏକ ପ୍ରକାର ନିଃସଙ୍ଗ ବୋଧ କରିଥିଲେ ଶୁଭଲକ୍ଷ୍ମୀ । ଦିନକୁ ଦିନ ମାନସିକ ଭାବେ ଚିନ୍ତାଗ୍ରସ୍ତ ମଧ୍ୟ ହୋଇ ପଡ଼ିଥିଲେ । ଦୀର୍ଘ ବର୍ଷର ପ୍ରେମିକ ଏଭଳି ପ୍ରତାରଣା କରିବ ବୋଲି ଶୁଭଲକ୍ଷ୍ମୀ କଳ୍ପନା କରିପାରି ନଥିଲେ । ଶେଷରେ ମାନସିକ ଅବସାଦଗ୍ରସ୍ତ ହୋଇ ମରଣକୁ ବରଣ କରିବାକୁ ଭୟଙ୍କର ନିଷ୍ପତ୍ତି ନେଇଥିଲେ ।
ପୁଲିସର ସୂଚନା ଅନୁସାରେ, ଚରମ ନିଷ୍ପତ୍ତି ନେବା ପୂର୍ବରୁ ଶୁଭଲକ୍ଷ୍ମୀ ପ୍ରେମିକ ଶୁଭ୍ରାଂଶୁଙ୍କୁ ମେସେଜ୍ ମଧ୍ୟ ପଠାଇଥିଲେ । ନିଜ ଜୀବନ ହାରିବା କଥା ଜଣାଇ ଦେଇଥିଲେ । ତଥାପି ଶୁଭ୍ରାଂଶୁଙ୍କ ଆଡ଼ୁ ଆହା ପଦେ ନ ଆସିବା ଦେଖି ମନେ ମନେ ସେ ଭାଙ୍ଗି ପଡ଼ିଥିଲେ । ଆଉ ଗତ ମାସ ୯ ତାରିଖ ଦିନ ହିଁ ପାରାଦୀପ ଉପକଣ୍ଠ ଚୂନବେଲାରୀ ସ୍ଥିତ ଘରକୁ ଫେରିବା ଭିତରେ ବନ୍ଧବାଟୀ ରେଳ ଧାରଣା ନିକଟରେ ଚଳନ୍ତା ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଅନ୍ୟପଟେ ଆତ୍ମହତ୍ୟା ପୂର୍ବରୁ ଏଭଳି ମେସେଜ୍ ବିଷୟରେ ଅବଗତ ହେବା ପରେ ଶୁଭଲକ୍ଷ୍ମୀଙ୍କ ସହ ଶୁଭ୍ରାଂଶୁ କଥାବାର୍ତ୍ତା ହୋଇଥିବାର ପ୍ରମାଣ ପୁଲିସର ହସ୍ତଗତ ହୋଇଛି । ତେବେ ଏହି କଥାବାର୍ତ୍ତା ହିଁ ପୂରା ଘଟଣାକୁ ନାଟକୀୟ ମୋଡ଼ରେ ପହଞ୍ଚାଇଥିଲା । କାରଣ ଏହି ବାର୍ତ୍ତାଳାପରେ ଏକାଧିକ ପିଲା ଭିଡିଓ କନ୍ଫରେନ୍ସିଂରେ କଥା ହୋଇଥିଲେ । ଉଭୟ ଶୁଭଲକ୍ଷ୍ମୀ ଓ ଶୁଭ୍ରାଂଶୁ ମଧ୍ୟ କନ୍ଫରେନ୍ସିଂରେ ରହିଥିଲେ । କଥାବାର୍ତ୍ତା ଭିତରେ ହିଁ ସନେ୍ଦହର ବଳୟ ଦୃଢୀଭୂତ ହୋଇଥିଲା । ଏମିତିକି ଚେନ୍ନାଇରେ ରହିବା ଭିତରେ ଶୁଭ୍ରାଂଶୁ ନିଜ ପ୍ରେମିକାଙ୍କ ଚରିତ୍ର ଉପରେ ସନେ୍ଦହ କରିବା ଆରମ୍ଭ କରିଥିଲେ । ନିଜର କିଛି ବନ୍ଧୁଙ୍କ କଥାରେ ଶୁଭ୍ରାଂଶୁ ଗଲା କିଛି ମାସ ହେଲାଣି ଶୁଭଲକ୍ଷ୍ମୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ । ଆଉ ମନେ ମନେ ଭାବି ନେଇଥିଲେ ଯେ, ଶୁଭଲକ୍ଷ୍ମୀ ଅନ୍ୟ କାହା ସଂସ୍ପର୍ଶରେ ରହୁଛନ୍ତି । ଏହି ସନେ୍ଦହ ହିଁ ଶୁଭ୍ରାଂଶୁଙ୍କ ମନରେ ଦାନା ବାନ୍ଧିଥିଲେ ସୁଦ୍ଧା ଶୁଭଲକ୍ଷ୍ମୀ ଏହାର ଟେର ପାଇନଥିଲେ । ଓଲଟା ପୂର୍ବପରି ଶୁଭ୍ରାଂଶୁଙ୍କୁ ଝୁରି ହେଉଥିଲେ ଶୁଭଲକ୍ଷ୍ମୀ । କିନ୍ତୁ କନ୍ଫରେନ୍ସିଂରେ ଶୁଭ୍ରାଂଶୁଙ୍କ ମନରେ ଏପ୍ରକାର ଭାବନା ପଶିଥିବା ଜାଣି ପୂରାପୂରି ଭାଙ୍ଗି ପଡିଥିଲେ ଶୁଭଲକ୍ଷ୍ମୀ । ଆଉ ଶେଷରେ ଜୀବନ ହାରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ଏହି ମାମଲାରେ ଅନେକ ଯୁବକଙ୍କୁ ଜେରା କରାଯାଇଛି । ଏହାଛଡ଼ା ଶୁଭଲକ୍ଷ୍ମୀଙ୍କ ରୁମ୍ରେ ରହୁଥିବା ତାଙ୍କର ବାନ୍ଧବୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । କିନ୍ତୁ ସେମିତି କିଛି ଲିଙ୍କ୍ ସାମ୍ନାକୁ ଆସିନଥିଲା । ତେଣୁ ମୋବାଇଲ ଫୋନ୍ ମେସେଜ୍, କନ୍ଫରେନ୍ସିଂରେ କଥାବାର୍ତ୍ତା ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରାଯାଇ କେବଳ ଶୁଭ୍ରାଂଶୁଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ତେବେ ଘଟଣା ଦିନ ଶୁଭ୍ରାଂଶୁ ଚେନ୍ନାଇରେ ରହିଥିଲେ । ତଥାପି ପ୍ରତାରଣା କରି, ଆତ୍ମହତ୍ୟା କରିବାକୁ ଏକପ୍ରକାର ବାଧ୍ୟ କରିଥିବା ହେତୁ ଶୁଭ୍ରାଂଶୁଙ୍କୁ ଗିରଫ କରାଯାଇଥିବା ରେଳବାଇ ପୁଲିସର ବରିÂ ଅଧିକାରୀ ଶ୍ରୀ କର ସ୍ପଷ୍ଟ କରିଛନ୍ତି । ଏଥିସହ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାର କୌଣସି ଲକ୍ଷଣ ନାହିଁ । ମୋଟାମୋଟି ଭାବେ ପ୍ରେମରେ ପ୍ରତାରିତା ହୋଇ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି, ଗତ ମାସ ୧୦ ତାରିଖ ଭୋର୍ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ରେଳ ଲାଇନ୍ ପାଶ୍ୱର୍ରୁ ମିଳିଥିଲା । ସେ ସମୟରେ ଶୁଭଲକ୍ଷ୍ମୀଙ୍କ ମୁଣ୍ଡର ଡାହାଣ ପାଖରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ଅଣ୍ଟାରେ ଖଣ୍ଡିଆ ଓ ଗୋଟିଏ ହାତ ଆଙ୍ଗୁଠି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ରେଳ ଲାଇନ୍ ପାଶ୍ୱର୍ରେ ପାଣି ନିଷ୍କାସନ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଖୋଳା ଯାଇଥିବା ନାଳିରେ ଶୁଭଲକ୍ଷ୍ମୀ ମୁହଁ ମାଡ଼ି ହୋଇ ରହିଥିବା ବେଳେ ଶରୀରର ବାକି ଅଂଶ ପଦାରେ ରହିଥିଲା । ଶୁଭଲକ୍ଷ୍ମୀ କଟକର ଏକ ଘରୋଇ ଇଂଜିନିୟରିଂ କଲେଜର ତୃତୀୟ ବର୍ଷ ଡିପ୍ଲୋମା ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । ରାହାମା ପାଖ ତଥା ନିମକଣା-ଶାରଳାରୋଡ୍ରେ ପଡ଼ୁଥିବା ବନ୍ଧବାଟୀ ଲେବଲ କ୍ରସିଂର ପାଖାପାଖି ୩୫୦ ମିଟର ଦୂରରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିଲା । ଏହାଛଡ଼ା ମୃତଦେହ ନିକଟରୁ ଦୁଇଟି ରେଳ ଟିକେଟ୍ ମିଳିଥିଲା । ଗୋଟିଏ ଟିକେଟ୍ ଅକ୍ଟୋବର ୨୮ ତାରିଖର ହୋଇଥିବା ବେଳେ ଏହା ବଗଦିଆରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ରହିଥିଲା । ସେହିପରି ଅନ୍ୟ ଟିକେଟ୍ଟି ଗତମାସ ୯ ତାରିଖର ରହିଥିଲା । ୯ ତାରିଖ ଟିକେଟ୍ଟି କଟକରୁ ପାରାଦୀପ ପର୍ଯ୍ୟନ୍ତ କଟା ଯାଇଥିଲା । ସନ୍ଧ୍ୟା ୫ଟା ୫୨ ମିନିଟ୍ରେ ଟିକେଟ୍ କରାଯାଇଥିଲା । ସମ୍ଭବତଃ ଟିକେଟ୍ଟି ଘରକୁ ଫେରିବା ପାଇଁ ଶୁଭଲକ୍ଷ୍ମୀ କାଟିଥିଲେ । ଅପରପକ୍ଷେ ପୁଲିସର ଏହି ଥିଓରିକୁ ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ । ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ରେଳରୋକ ଧମକ ଦିଆଯାଇଛି । ଏଣେ ରେଳବାଇ ତରଫରୁ ରେଳରୋକ କରାଗଲେ ମାମଲା ହେବ ବୋଲି ସତର୍କ କରାଇ ଦିଆଯାଇଛି । ତେଣୁ ଆଗକୁ ଏହି ମାମଲା ବିସ୍ଫୋରକ ମୋଡ଼ ନେବାର ଆଶଙ୍କା ପ୍ରକାଶ ପାଉଛି ।
Comments are closed, but trackbacks and pingbacks are open.