କ୍ରସର୍ ଶ୍ରମିକକୁ ନିର୍ମମ ହତ୍ୟା

Get real time updates directly on you device, subscribe now.

ଗଁଦିଆ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁରଠାରେ ଶୁକ୍ରବାର ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । କ୍ରସର୍ରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ନୃଶଂସ ଭାବେ ହତ୍ୟା କରିବା ସହ ତାଙ୍କର ଗୁପ୍ତାଙ୍ଗ କାଟି ଦିଆଯାଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଗୋଟିଏ ଆଖି ତାଡି ଦିଆଯାଇଛି । ପୁଲିସ ଘଟଣାର ଛାନ୍ଭିନ୍ ଚଳାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫଦାରି ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ନିହଲପ୍ରସାଦ-ଚଢେଇଧରା ରାସ୍ତାରେ ଶବ ରଖି, ଟାୟାର୍ ଜାଳି ରାସ୍ତାରୋକ କରିଥିଲେ । ମୃତ ଶ୍ରମିକ ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମର କଷ୍ଟୁ ବେହେରାଙ୍କ ସାନପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୪୦) ବୋଲି ଜଣାପଡ଼ିଛି ।
ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ନିହଲପ୍ରସାଦର ଏକ କ୍ରସର୍ରେ ଶ୍ରମିକ ଭାବେ କାମ କରୁଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଅକାଳ ମୃତୁ୍ୟ ମୁଖରେ ପଡ଼ିବା ପରେ ୧୬ ବର୍ଷର ଏକମାତ୍ର କନ୍ୟା ମାଉସୀ ଘରେ ରହୁଛନ୍ତି । ତେଣୁ ଏକ ବର୍ଷ ହେଲା ସେହି କ୍ରସର୍ ପରିସରରେ ରହୁଥିଲେ । ହେଲେ ଆଜି ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଆଗରେ ତାଙ୍କର ରକ୍ତରଂଜିତ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କର ବାମ ଆଖି ତାଡି ନେଇଥିବାବେଳେ ଗୁପ୍ତାଙ୍ଗ କାଟି ଦିଆଯାଇଥିଲା । ଗୋଡ୍ ଓ ପାଟିରେ କ୍ଷତ, ବେକରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା । ଗତରାତିରେ ଦୁର୍ବୃତ୍ତମାନେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଘର ସମ୍ମୁଖରେ ଫୋପାଡ଼ି ଦେଇଥିବା ସନେ୍ଦହ କରାଯାଉଛି । ଶୁକ୍ରବାର ସକାଳୁ ପୂର୍ଣ୍ଣଚନ୍ଦ୍ରଙ୍କ ପୁତୁରା (ବଡଭାଇଙ୍କ ପୁଅ) ମୃତଦେହ ପଡ଼ିଥିବା ଦେଖି ଘରର ଅନ୍ୟମାନଙ୍କୁ ଜଣାଇଥିଲେ । ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ଥାନା ଅଧିକାରୀ ରତ୍ନାକର ମଲ୍ଳିକ, ଅତିରିକ୍ତ ତହସିଲ୍ଦାର ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଶବ ଜବତ କରି ଘଟଣାର ଅନୁଧ୍ୟାନ କରିଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।
ଅନ୍ୟପକ୍ଷରେ ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ଭାଇ ବାସୁଦେବ ବେହେରାଙ୍କ ଏତଲାକ୍ରମେ ପୁଲିସ ଏକ ହତ୍ୟା ମକଦ୍ଧମା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଅନୁସନ୍ଧାନ ଜାରି ରଖିଛି ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ତେବେ ଜଣେ କ୍ରସର୍ ଶ୍ରମିକଙ୍କୁ କିଏ ଏବଂ କେଉଁ ଉଦେ୍ଧଶ୍ୟରେ ଏଭଳି ନୃଶଂସ ଭାବେ ହତ୍ୟା କଲା ସେ ନେଇ ସାଧାରଣରେ ଆଲୋଡ଼ନ ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons