ଫୁଲବାଣୀ, (ବି.ବି.ନୁ୍ୟଜ୍): ହାତୀ ଓ ମଣିଷ ଲଢେ଼ଇରେ ଉଭୟ ପ୍ରାଣ ହରାଉଛନ୍ତି । ଏନେଇ ରାଜ୍ୟରେ ହାତୀ ସୁରକ୍ଷା ପାଇଁ ଅଭୟାରଣ୍ୟ ପ୍ରତିÂା କରିବାକୁ ସରକାର ଯୋଜନା କରିଛନ୍ତି । କନ୍ଧମାଳ ଓ ଗଞ୍ଜାମ ସୀମା କୋରଡ଼ା ରେଞ୍ଜ ଅଞ୍ଚଳର ଜଙ୍ଗଲରେ ଏହି ଅଭୟାରଣ୍ୟ ପ୍ରତିÂା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଦୁର୍ଦ୍ଧାନ୍ତ ହାତୀମାନଙ୍କ ବେକରେ ରେଡିଓ କଲାର ଲଗାଯିବ । ଏହା ଦ୍ୱାରା ସେହି ହାତୀମାନଙ୍କର ଗତିବିଧି ଉପରେ ନଜର ରଖାଯିବା ସହ ନିୟନ୍ତ୍ରଣ କରାଯାଇପାରିବ ବୋଲି ଫୁଲବାଣୀ ଡିଭିଜନର ଡିଏଫ୍ଓ ଲକ୍ଷ୍ମୀ ନାରାୟଣ ବେହେରା ସୂଚନା ଦେଇଛନ୍ତି ।
ଜଙ୍ଗଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳରେ ବର୍ତ୍ତମାନ କେତେ ହାତୀ ରହିଛନ୍ତି ତାହାର କୌଣସି ନିର୍ଦ୍ଧିଷ୍ଟ ସୂଚନା ଜଙ୍ଗଲ ବିଭାଗ ନିକଟରେ ନଥିଲେ ମଧ୍ୟ ପ୍ରାୟ ୪୦ରୁ ଊଦ୍ଧ୍ୱର୍ ହାତୀ ରହିଛନ୍ତି । ବିଶେଷ କରି ବାଲିଗୁଡ଼ା ଡିଭିଜନ ଜଙ୍ଗଲରେ ପ୍ରାୟ ୩୦ରୁ ୩୫ ହାତୀ ଓ ଫୁଲବାଣୀ ଡିଭିଜନରେ ପ୍ରାୟ ୧୦ଟି ହାତୀ ଚଳପ୍ରଚଳ କରୁଛନ୍ତି । ବାଲିଗୁଡା ଡିଭିଜନ ଅନ୍ତର୍ଗତ କୋଟଗଡ ରେଞ୍ଜର ଶ୍ରୀରାମପୁର, ପିଣ୍ଡା ପିପିଲି, ଦୁର୍ଗାପାଙ୍ଗା, ଲାସେରି, ବେଲଘର ରେଞ୍ଜର ଝିରିପାଣି, ବିଲମାଳ, ଗୁମା ଓ ବେଲଘର ଏବଂ ତୁମୁଡିବନ୍ଧ ରେଞ୍ଜର ମୁଣ୍ଡିଗଡ଼ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଚଳପ୍ରଚଳ କରୁଛନ୍ତି । ସେହିପରି ଫୁଲବାଣୀ ରେଞ୍ଜରେ କୌଣସି ହାତୀ ସ୍ଥାୟୀ ଭାବେ ରହୁନାହାନ୍ତି । ମାତ୍ର ପାଖ ଡିଭିଜନ ଅଞ୍ଚଳରୁ ପ୍ରାୟ ୧୦ରୁ ୧୫ ହାତୀ ଫୁଲବାଣୀ ଡିଭିଜନ ଅନ୍ତର୍ଗତ ଜଙ୍ଗଲ ଦେଇ ଚଳପ୍ରଚଳ କରୁଛନ୍ତି । ପ୍ରାୟତଃ ବାଲିଗୁଡ଼ା ଡିଭିଜନ ଜଙ୍ଗଲରୁ ରାଇକିଆ ରେଞ୍ଜ ଜଙ୍ଗଲ ଦେଇ ଗଞ୍ଜାମ ସୀମା କୋରଡା ରେଞ୍ଜ ଓ ଗଞ୍ଜାମର ଘୁମୁସର ରେଞ୍ଜ ଜଙ୍ଗଲ ମଧ୍ୟରେ ଏହି ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ସେହି ଅଞ୍ଚଳ ସବୁ ହାତୀ କରିଡର ଭାବେ ପରିଚିତ । ସେହିପରି ବୌଦ୍ଧ ଡିଭିଜନରୁ ଫୁଲବାଣୀ ଡିଭିଜନର ସୁଡୁରୁକୁମ୍ପା ରେଞ୍ଜର ରାଣୀପଥର ଜଙ୍ଗଲ ମଧ୍ୟରେ ହାତୀ ଚଳପ୍ରଚଳ କରୁଛନ୍ତି । ସେହି ସବୁ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବାରୁ ହାତୀମାନେ ପ୍ରଜନନ ଓ ଛୁଆ ଜନ୍ମ ପାଇଁ ସୁରକ୍ଷିତ ସ୍ଥାନ ମନେ କରି ଆସିଥାନ୍ତି ବୋଲି ଫୁଲବାଣୀ ଡିଭିଜନର ଡିଏଫ୍ଓ ଲକ୍ଷ୍ମୀ ନାରାୟଣ ବେହେରା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଡୁରୁକୁମ୍ପାର ରାଣୀପଥର ଅଞ୍ଚଳରେ ଦୁଇଟି ମାଈ, ଦୁଇଟି ପୁରୁଷ ସହ ଗୋଟିଏ ଛୁଆ ହାତୀ ରହିଛନ୍ତି । ହାତୀମାନେ ଜନବସତି ଠାରୁ ଦୂରରେ ରହୁଥିବାରୁ ଏବଂ ବିସ୍ତୀର୍ଣ୍ଣ ଜଙ୍ଗଲ ଥିବାରୁ ଜିଲ୍ଲାରେ ବିଶେଷ କିଛି କ୍ଷୟକ୍ଷତି ହୋଇଥିବାର ସେପରି କୌଣସି ରିପୋର୍ଟ ନାହିଁ । ତଥାପି ହାତୀ ଚଳପ୍ରଚଳ ହେଉଥିବା ଅଞ୍ଚଳକୁ ଲାଗିଥିବା ଗ୍ରାମବାସୀଙ୍କ ମଧ୍ୟରେ ହାତୀର ଭୟ ରହୁଛି । ତେଣୁ ଅଭୟାରଣ୍ୟ ହେଲେ ଲୋକଙ୍କ ମଧ୍ୟରେ ଏହି ଭୟ ଆଉ ରହିବ ନାହିଁ । ଏଥିସହ ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖାଯାଇ ପାରିବ । ଅଭୟାରଣ୍ୟ ହେଲେ ଅନେକ ଲୋକ ଏଥିରେ ନିଯୁକ୍ତି ପାଇବା ସହ ପର୍ଯ୍ୟଟକଙ୍କ ଭିଡ଼ ରହିବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଉନ୍ନତିରେ ଏହା ସହାୟକ ହୋଇ ପାରିବ ବୋଲି ଡିଏଫଓ କହିଛନ୍ତି ।
Comments are closed, but trackbacks and pingbacks are open.