ନବରଙ୍ଗପୁର, (ବି.ବି.ନୁ୍ୟଜ୍): ଆରମ୍ଭ ହୋଇଛି ଜିଲ୍ଲା ଲୋକ ମହୋତ୍ସବ ‘ମଣ୍ଡେଇ’ର ମୁଖ୍ୟ ସମାରୋହ । ନାଚଗୀତରେ ଦୁଲୁକିଛି ମଞ୍ଚ । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସେ କହିଛନ୍ତି ଯେ, ଏଭଳି ମହୋତ୍ସବ ଜିଲ୍ଲାର ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆଣିବାରେ ସହାୟକ ହେବ । ଏଥିସହ ଜିଲ୍ଲା ଏବଂ ଜିଲ୍ଲା ବାହାର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ସୃଷ୍ଟି କରିବ । ଜିଲ୍ଲାର ଲୋକକଳା ଓ ଲୋକସଂସ୍କୃତିର ସୁରକ୍ଷା କରିବା ଏହାର ମୂଳ ଉଦେ୍ଧଶ୍ୟ । ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଜନତା ବିଭିନ୍ନ ଷ୍ଟଲରୁ ଜାରିପାରିବେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଆଦିବାସୀ କଲ୍ୟାଣ ବିଭାଗ ଉପଦେଷ୍ଟା ମୁନ୍ନା ଖାଁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଏସ୍ପି ନୀତିନ କୁଶଲକର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ ।
ଏହି ଅବସରରେ ଆଜି ଅପରାହ୍ନରେ ବାହାରିଥିଲା ବିଶାଳ ଶୋଭାଯାତ୍ରା । ଆଦିବାସୀଙ୍କ ନାଚଗୀତ ଏବଂ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକି ଉଠିଥିଲା ରାଜପଥ । ମା’ଭଣ୍ଡାରଘରଣୀ ପୀଠରେ ପୂଜାର୍ଚ୍ଚନା କରାଯାଇ ଶୁଭକଳସ ଏବଂ ପୂଜାମାଳ ଅଣାଯାଇଥିଲା । ମୁଖ୍ୟ ଅତିଥି ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ପାରମ୍ପରିକ ରୀତିନୀତିରେ ଆଦିବାସୀଙ୍କ କୃଷି ଦେବଦେବୀ ଭୀମାଭୀମାଣିଙ୍କୁ ଏକ ପଟୁଆରରେ ନିଆଯାଇଥିଲା । ଦୀର୍ଘ ୪ କିମି ଧରି ଶୋଭାଯାତ୍ରାରେ ରଙ୍ଗବେରଙ୍ଗ ବେଶଭୂଷାରେ ସଜ୍ଜିତ ହୋଇ ସାମିଲ ହୋଇଥିଲେ ଆଦିବାସୀ । ପାରଂପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚଗୀତରେ ସାମିଲ ହୋଇଥିଲେ ବିଭିନ୍ନ ବର୍ଗର ଲୋକେ । ବିଶେଷ କରି ଆଦିବାସୀ ଯୁବତୀଙ୍କ ଢେମ୍ସା, ସାରିନାଚ, ମାଢିଆ ନାଚ, ପେଟାହାଣ୍ଡି ନୃତ୍ୟ, ଗରଣ୍ଡି ନୃତ୍ୟ ବେଶ ଆକର୍ଷଣୀୟ ଥିଲା ।
ସନ୍ଧ୍ୟାରେ ନୂତନ ମଣ୍ଡେଇ ପଡିଆରେ ପହଞ୍ଚିଥିଲା ଶୋଭାଯାତ୍ରା । କୃଷି ଦେବଦେବୀ ଭୀମା ଭୀମାଣିଙ୍କ କାଠରେ ନିର୍ମିତ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ପଡିଆରେ ସ୍ଥାପନ କରାଯାଇଥିଲା । ଏହାପରେ ନୂତନ ମଣ୍ଡେଇ ପଡିଆରେ ସରକାରୀ ଓ ବେସରକାରୀ ଷ୍ଟଲଗୁଡିକୁ ପରିଦର୍ଶନ କରି ଉଦ୍ଘାଟନ କରିଥିଲେ ମନ୍ତ୍ରୀ । ଶୋଭାଯାତ୍ରାର ମଙ୍ଗଧରିଥିଲେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଏଥିରେ ଉପରୋକ୍ତ ସମସ୍ତ ଅତିଥିଙ୍କ ସହ ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, କଂଗ୍ରେସର ବରିÂ ନେତା ମୁନା ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ ।
ମଣ୍ଡେଇ ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱର କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାପରେ ପାରମ୍ପରିକ ଆଦିବାସୀ ନୃତ୍ୟରେ ଦୁଲୁକିଥିଲା ମଣ୍ଡେଇ ମଞ୍ଚ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଢେମସା, କଳାହାଣ୍ଡି ଜିଲ୍ଲାର ଘୁମୁରା ଓ ବଲାଙ୍ଗିର ଜିଲ୍ଲାର ଚୁଟ୍କୁଚୁଟା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ମନ ମୋହିଥିଲା । ସେହିପରି ନବରଙ୍ଗପୁର ପୌରପାଳିକା ପକ୍ଷରୁ ଲୋକନୃତ୍ୟ ଓ ବୋରିଗୁମ୍ମାର ରିଞ୍ଜୋଡି ଓ ଢେମସା ନୃତ୍ୟର ଫୁ୍ୟଜନ୍ ଦର୍ଶକଙ୍କ ମନୋରଂଜନ ଲାଗି ଭରପୂର ଖୋରାକ ଯୋଗାଇଥିଲା ।
Comments are closed, but trackbacks and pingbacks are open.