୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ବୈପାରିଗୁଡ଼ା,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ବୈପାରିଗୁଡା ପୁଲିସ୍ ଏକ ମିନିଟ୍ରକ୍ରୁ ଜବତ କରିଛି ୩ କୁଇଣ୍ଟାଲ ୪୯ କେଜି ଗଞ୍ଜେଇ । ଏହି କାରବାରରେ ଉତ୍ତରପ୍ରଦେଶର ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାମପୁର ଜିଲ୍ଲା ସାହାବାଦ ଥାନା ଅଞ୍ଚଳର ଅମର ସିଂହ(୩୫), ହାପୁର ଜିଲ୍ଲାର ଧୋଲଣା ଥାନା ଅଞ୍ଚଳର ରବୀନ୍ଦ୍ର ସିଂହ(୩୨) ଏବଂ ମିରଟ ଜିଲ୍ଲା ସାରଧନା ଥାନା ଅଞ୍ଚଳର ଅମିତ କୁମାର(୨୪) । ସେମାନଙ୍କ ପାଖରୁ ଗଞ୍ଜେଇ ସମେତ ୪ଟି ମୋବାଇଲ୍, ୩ ହଜାର ୨୨୦ ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ଆକଳନ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ବୈପାରିଗୁଡା ଥାନା ଏସ୍ଆଇ ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଏକ ଟିମ୍ ବିଚଲକଟା ଛକ ନିକଟରେ ଗାଡ଼ି ମୋଟର ଯାଞ୍ଚ କରୁଥିଲା । ଏହି ସମୟରେ (ୟୁକେ-୦୬ସିବି-୫୦୭୦) ନମ୍ବର ଥିବା ଏକ ମିନିଟ୍ରକ୍କୁ ଅଟକାଯାଇଥିଲା । ଯାଞ୍ଚ ବେଳେ ପଛ ଡାଲାରେ ଏକ ଗୁପ୍ତ ବାକ୍ସ ରହିଥିବା ଦେଖିବାକୁ ମିଳିଥିଲା । ସେଥିରୁ ଗଞ୍ଜେଇ ବାସ୍ନା ବାହାରୁଥିଲା । ଏହାପରେ ସେଥିରୁ ୧୪ଟି ପ୍ୟାକେଟ୍ରେ ଥିବା ୩୪୯ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, ଏହି ଗଞ୍ଜେଇ ଲମତାପୁଟରୁ ଉତ୍ତରପ୍ରଦେଶର ବରେଲି ଅଞ୍ଚଳକୁ ଯାଉଥିଲା । ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁ ଏହାର ତଦନ୍ତ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons