ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ରେବଣା ଗ୍ରାମର ଡବର ମାଝୀ (୨୭) ନାମକ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି । ଘଟଣାରେ ଗାଁର ଜିତେନ୍ଦ୍ର ଦେହୁରୀକୁ ପୁଲିସ ପଚରାଉଚରା କରୁଛି ।
ଶୁକ୍ରବାର ଡବର, ତାର ପୁତୁରା (ବଡ଼ ଭାଇ ଠାକୁରା ମାଝୀର ପୁଅ) ଏବଂ ଗ୍ରାମର ଜିତେନ୍ଦ୍ର ଦେହୁରୀ ଏକ ସ୍କୁଟିରେ ହରିଚନ୍ଦନପୁର ହାଟକୁ ଆସିଥିଲେ । ହାଟ କାମ ସାରିବା ପରେ ଡବର ଏବଂ ଜିତେନ୍ଦ୍ର ମଦ ପିଇ ରେବଣାକୁ ଫେରିଥିଲେ। ସେଠାରେ ଡବର ପୁତୁରାକୁ ଘରକୁ ପଠାଇ ଦେଇ ଜିତେନ୍ଦ୍ର ସହ ପୁଣି ମଦ ପିଇବାକୁ ନିକଟସ୍ଥ ଏକ ସାହିକୁ ଯାଇଥିଲେ । ସେଠାରେ ମଦ ପିଇବା ପରେ ଡବର ଜିତେନ୍ଦ୍ରକୁ ତାର ସ୍କୁଟି ମାଗିଥଲା । ଜିତେନ୍ଦ୍ର ମନା କରିବାରୁ ଡବର ତାକୁ ଗାଳିଗୁଲଜ କରିବା ସହ ମାରିବାକୁ ଧମକ ଦେଲା । ଏଥିସହିତ ରେବଣା ଛକ ନିକଟସ୍ଥ ବସ୍ ରହଣୀ ସ୍ଥାନରେ ପୂର୍ବରୁ ପଡ଼ିଥିବା ପଥର ଉଠାଇ ଜିତେନ୍ଦ୍ରକୁ ମାରିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଜିତେନ୍ଦ୍ର ତାକୁ ଠେଲି ଦେଇଥିଲା । ଫଳରେ ଡବର ପଥର ଉପରେ ପଡ଼ିବା ପରେ ଆଉ ଉଠି ପାରିନଥିଲା । ଶେଷରେ ସେଠାରେ ଥିବା ଏକ ବଡ଼ ପଥରରେ ଜିତେନ୍ଦ୍ର ଡବରର ମୁହଁକୁ ଛେଚି ଦେଇଥିଲା । ସେହିଠାରେ ହିଁ ଡବରର ମୃତ୍ୟୁ ଘଟିଥିଲା ବୋଲି ବୟାନ ରଖିଛି ଜିତେନ୍ଦ୍ର ।
ସୂଚନାଯୋଗ୍ୟ, ଡବର ଏବଂ ତାର ଭାଇ ଠାକୁରା ମାଝୀ ପୂର୍ବରୁ କଳିଙ୍ଗନଗର ଡିଭିଜନ ମାଓବାଦୀଙ୍କ ସହ ମିଶି କାମ କରୁଥିବା ବେଳେ ଦୈତାରୀ ପୁଲିସ ଠାକୁରା ମାଝୀକୁ ଜେଲ୍ ପଠାଇଥିଲା । ସେହି ସମୟରେ ଡବର କାଳିଆପାଣି ଥାନାରେ ଆତ୍ମସମର୍ପଣ କରିଥିଲା ଏବଂ ପୁଲିସ ଇନଫର୍ମର ଭାବେ କାମ କରି ଆସୁଥିଲା । ଜେଲ୍ରୁ ମୁକୁଳିବା ପରେ ତିନି ବର୍ଷ ତଳେ ବରେଇଗୋଡ଼ା ହାଟ ଛକ ତଳେ ଘୁଟିମଘାରୀ ନିକଟରେ ସମାନ ଢଙ୍ଗରେ ଠାକୁରାକୁ ମଧ୍ୟ ପଥରରେ ଛେଚି ହତ୍ୟା କରାଯାଇଥିଲ । ଏସବୁ ଘଟଣାକୁ ଦେଖିଲେ ଡବର ମାଝୀ ହତ୍ୟାକାଣ୍ଡ ପଛରେ ମାଓବାଦୀ ଲିଙ୍କ୍ ଥିବା ସନ୍ଦେହ ପ୍ରକାଶ ପାଇଛି । ଶନିବାର ଘଟଗାଁ ଏସ୍ଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ଦୈତାରୀ ଥାନାଧିକାରିଣୀ ସସ୍ମିତା ଖିଲ୍ଲାର ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ କରିବା ସହ ଡବର ମାଝୀର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ପଠାଇଛନ୍ତି ।
Comments are closed, but trackbacks and pingbacks are open.