ବିଲେଇକୁ ଗୁଳି କରି ମାରିଦେଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ କାଣ୍ଡ । ଜଣେ ବ୍ୟକ୍ତିଙ୍କ ପୋଷା ବିଲେଇକୁ କେହି ଦୁର୍ବୃତ୍ତ ଗୁଳି କରି ମାରି ଦେଇଛି । ବିଲେଇର ମୁଣ୍ଡ ଓ ଦେହରେ ୨ ଟି ଗୁଳି ବାଜିଛି । ଏନେଇ ବିଲେଇର ମାଲିକ ସୁଶାନ୍ତ ପଟ୍ଟନାୟକ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଏନେଇ ପୁଲିସ ଛାତ୍ର ଆଶୁତୋଷ ନାୟକ ଓରଫ ଆଶୁଙ୍କୁ ଗିରଫ କରିଛି । ଗିରଫ ଆଶୁତୋଷ ପୋଷ୍ଟାଲ କଲୋନୀରେ ରହନ୍ତି ।
ମିଳିଥିବା ସୂଚନା ମୁତାବକ, ସୁଶାନ୍ତ ଖାରବେଳନଗର ଥାନା ପୋଷ୍ଟାଲ୍ କଲୋନୀ ପ୍ଲାଟ୍ ନଂ-ଆଇଭିଏନ୍-୩୮ରେ ସପରିବାର ରହୁଛନ୍ତି । ସୁଶାନ୍ତଙ୍କ ବାପା ଓ ମା’ ଦୀର୍ଘ ବର୍ଷ ହେବ କିଛି ପଶୁ-ପକ୍ଷୀ ନିଜ ଘରେ ପାଳନ କରୁଛନ୍ତି । ସୁଶାନ୍ତଙ୍କ ବାପା ଓ ମା’ପୋଷା ଜନ୍ତୁଙ୍କୁ ଭାରି ଭଲ ପାଆନ୍ତି । ସୁଶାନ୍ତଙ୍କର ମଧ୍ୟ ଏହି ଜନ୍ତୁଗୁଡ଼ିକ ବେଶ୍ ପ୍ରିୟ । ବୁଧବାର ପୂର୍ବାହ୍ଣରେ ସୁଶାନ୍ତ ବେଙ୍ଗାଲୁରୁ ଯିବେ ବୋଲି ଏୟାରପୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ମା’ ଫୋନ୍ କରିଥିଲେ ପୋଷ ବିଲେଇର ମୁଣ୍ଡରୁ ରକ୍ତ ବାହାରୁଛି । ସେ ଛଟପଟ ହେଉଛି । ଏହା ଶୁଣି ସୁଶାନ୍ତ ବିମାନ ବନ୍ଦରରୁ ସିଧା ଘରକୁ ଧାଇଁ ଆସିଥିଲେ । ଦେଖିଥିଲେ ବିଲେଇର ଅବସ୍ଥା ଭଲ ନାହିଁ । ତେଣୁ ସେ ସଙ୍ଗେସଙ୍ଗେ ବିଲେଇକୁ ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଡାକ୍ତରମାନେ ଗୁରୁତର ଆହତ ବିଲେଇର ଚିକିତ୍ସା କରିଥିଲେ । ହେଲେ ତାକୁ ବଞ୍ଚାଇ ପାରି ନଥିଲେ । ଏହାପରେ ଡାକ୍ତରମାନେ ବିଲେଇ ଶରୀରର ଏକ୍ସରେ କରିଥିଲେ । ସେଥିରୁ ଡାରକ୍ତମାନେ ଜାଣିବାକୁ ପାଇଥିଲେ ବିଲେଇ ମୁଣ୍ଡ ଓ ଦେହରେ ୨ଟି ଗୁଳି ପଶି ରହିଛି । ଏହା ଜାଣିବା ପରେ ସୁଶାନ୍ତ ଖାରବେଳନଗର ଥାନାକୁ ଯାଇ ତାଙ୍କ ପଡେ଼ାଶୀ ଆଶୁ ନାମକ ଜଣେ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଆଶୁଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିଥିଲା । ହେଲେ ସେଠାରେ ତାଙ୍କୁ ନପାଇ ପୁଲିସ୍ ଖାଲି ହାତରେ ଫେରିଛି । ହେଲେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଗିରଫ କରିଛି ।
ଏ ସମ୍ପର୍କରେ ସୁଶାନ୍ତ କହିଛନ୍ତି, ୬ ମାସ ଭିତରେ ଆମର ୧୧ ପୋଷା ବିଲେଇ ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ପରେ ସ୍ପଷ୍ଟ ହୋଇଛି ଯେ, ଆଶୁ ଗୁଳି କରି ସମସ୍ତଙ୍କୁ ମାରିଛି । ଏହି ବିଲେଇଟି ସବୁ ଠାରୁ ବଡ଼ ଥିଲା । ପୋଷା ବିଲେଇର ଏଭଳି ମୃତୁ୍ୟ ପରେ ମୋ ମା’ ଭାଙ୍ଗି ପଡିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍ ଯଦି କିଛି କାର୍ଯ୍ୟାନୁÂାନ ଗ୍ରହଣ ନ କରେ ତେବେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି । ବିଲେଇ ଭଳି ଜନ୍ତୁକୁ ଗୁଳିକରି ମାରିବା ଘଟଣା ପ୍ରଚାରିତ ହେବା ପରେ ପଶୁ ପ୍ରେମୀମାନେ ଏଭଳି କାଣ୍ଡକୁ ଘୋର ବିରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons