ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟ ବିଜେପି ନିଷ୍ପତ୍ତି ପ୍ରକାରେ ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ବିଭୂତି ଭୂଷଣ ଜେନା । ସେ ଏହା ପୂର୍ବରୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ବିଭୂତିଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଜିଲ୍ଲା ବିଜେପି କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ସାଧାରଣ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ବିଭୂତି ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଜିଲ୍ଲାରେ ସର୍ବାଧିକ ଭୋଟ ପାଇଥିଲେ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ସ୍ୱଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ । ସାଧାରଣ ନିର୍ବାଚନରେ ବିଭୂତିଙ୍କୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ବହୁ କଳ୍ପନାଜଳ୍ପନା ରହିଥିବା ବେଳେ ଆଜି ତାଙ୍କୁ ଗଞ୍ଜାମ ଜିଲ୍ଲା ମୁକୁଟ ମିଳିଛି ।

ଗଞ୍ଜାମ ଜିଲ୍ଲା ସଭାପତି ପାଇଁ ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ସରୋଜ ସାବତ ଓ ବିଭୂତି ଭୂଷଣ ଜେନାଙ୍କ ନାମ ସୁପାରିସ କରାଯାଇଥିଲା । ବିଭୂତିଙ୍କ ଲୋକପ୍ରିୟତା ଏବଂ ସାଂଗଠନିକ ଦକ୍ଷତା କାରଣରୁ ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଚାରିବର୍ଷ ହେଲା ରାଜ୍ୟ ସମ୍ପାଦକ ଦାୟିତ୍ୱରେ ରହି ଦଳୀୟ ସଂଗଠନକୁ ଆଗକୁ ନେଇଛନ୍ତି । ତିନିଥର ଗୋପାଳପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଘର ଗୋଳନ୍ଥରାରେ ହୋଇଥିବା ବେଳେ ୧୯୯୦ରେ ସେ ସରପଞ୍ଚ, ପରେ ସେ ୫୩ ନମ୍ବର ଜୋନ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଗୋ-ସେବା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା କାର୍ଯ୍ୟରେ ବିଭୂତି ବେଶ ଜଣାଶୁଣା ଅଛନ୍ତି । ରାଜ୍ୟରେ ବିଜେପିର ୩୬ଟି ସାଂଗଠନିକ ଜିଲ୍ଲାରୁ ୩୪ଟିରେ ନିର୍ବାଚନ ହୋଇଛି । ୩୨ଟି ଜିଲ୍ଲାରେ ନୂଆମୁହଁ ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାକୁ ବିଜେପି ଦଳ ତରଫରୁ ୨ଟି ସାଙ୍ଗଠନିକ ଜିଲ୍ଲା କରାଯାଇଛି । ବ୍ରହ୍ମପୁର ବ୍ୟତୀତ ଘୁମୁସର ଜିଲ୍ଲାରେ ମଧ୍ୟ ପାର୍ଟି ତରଫରୁ ନୂଆ ସଭାପତି ଭାବେ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଛି । ବୁଗୁଡା ବ୍ଲକ୍ ଅଧ୍ୟକ୍ଷ ଭାବେ ସେ ନିର୍ବାଚିତ ହେବା ସହ ଗତ ସାଧାରଣ ନିର୍ବାଚନରେ ପୋଲସରା ବିଧାୟକ ପ୍ରାର୍ଥୀ ଭାବେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଦୀର୍ଘ ଦିନରୁ ସେ ଦଳ ସହ ସମ୍ପୃକ୍ତ ରହି ଆସିଛନ୍ତି ।

ଗଜପତି ଜିଲ୍ଲା ବିଜେପି ସଭାପତିଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନାମକୁ ଘୋଷଣା କରିଛି ଦଳ । ଏହି ଖବର ପ୍ରଚାରିତ ହେବାପରେ ନାରାୟଣଙ୍କ ସମର୍ଥକ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ମାସ ୧୫ ଓ ୧୬ ତାରିଖ ୨ଦିନ ଧରି ଅନୁÂିତ ହୋଇଥିବା ଜିଲ୍ଲାର ବିଭିନ୍ନ ନେତୃବର୍ଗଙ୍କ ସହ ଆଲୋଚନା ପରେ ଏହି ନାମ ଘୋଷଣା ହୋଇଥିବା ଦଳ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଘୋଷଣା ପରେ ବିଧାୟକ ନାରାୟଣ ରାଓ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ତାଙ୍କ ପାଇଁ ଏକ ଗୁରୁ ଦାୟତ୍ୱ । ତେଣୁ ସେ ଏହାକୁ ସୂଚାରୁ ରୁପେ ତୁଲାଇବା ସହ ସମସ୍ତ ନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି କହିଛନ୍ତି ।
ସେପରି ଖାଣ୍ଡବା ଜୋନ୍ ସଭାପତି ଭାବେ ଉମାଶଙ୍କର ଗନ୍ତାୟତ, ସୀତାପୁର ଜୋନ୍ ସଭାପତି ଭାବେ ଚନ୍ଦ୍ର ସାହୁକାର, ସେରଙ୍ଗ ଜୋନ୍ ସଭାପତି ଭାବେ ନୟିମୋ ଗମାଙ୍ଗ, ଗୁମ୍ମା ଜୋନ୍ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ବିଶୋୟୀ, ଉପଲଡ଼ା ଜୋନ୍ ସଭାପତି ଭାବେ ଜି, ଶ୍ରୀଧର ନାୟୁଡୁ, ଗୋଷାଣୀ ଜୋନ୍ ସଭାପତି ଭାବେ ଉମାଶଙ୍କର ପାତ୍ର, କାଶୀନଗର ଏନ୍ଏଏସି ସଭାପିତଭାବେ ଆର୍.ଚଲପତି ରାଓ, ପାରଳାଖେମୁଣ୍ଡି ନଗର ସଭାପତି ଭାବେ ଜମିଦାର ପଟ୍ଟନାୟକଙ୍କ ନାମ ପ୍ରସ୍ତାବ ରହିଥିବା ଜଣାପଡ଼ିଛି । ତେବେ ମୋହନା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଜୋନ୍ର ପ୍ରସ୍ତାବିତ ତାଲିକା ମିଳିପାରି ନାହିଁ ।
Comments are closed, but trackbacks and pingbacks are open.