କୋରାପୁଟ,(ବି.ବି.ନୁ୍ୟଜ୍): ଦାଦନ ଯାଇ ଅବାଟରେ ପାଦ ଥାପିଥିଲେ ସ୍ୱାମୀ । ଏଡ୍ସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ । ତାଙ୍କ ମୃତୁ୍ୟ ପରେ ଏବେ ସ୍ତ୍ରୀ ଯମୁନା( ଛଦ୍ମନାମ) ଓ ପୁଅ ଏଚ୍ଆଇଭି ଆକ୍ରାନ୍ତ । ଜୀବନ ସହ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଦାରିଦ୍ର୍ୟର କଷାଘାତରେ କଷଟି ହେଉଛନ୍ତି । ଅନ୍ୟପଟେ ମାଡ଼ିବସିଛି ମାରାତ୍ମକ ରୋଗ । ପରଘରେ ବାସନ ମାଜିଲେ ୩ ପ୍ରାଣୀ କୁଟୁମ୍ବର ପେଟକୁ ଭାତ ମୁଠାଏ ମିଳୁଛି । ଏଭଳି ସ୍ଥିତିରେ ଏଚ୍ଆଇଭି ଆକ୍ରାନ୍ତ ପୁଅ ସହ କୁନି ଝିଅକୁ ଧରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଯମୁନା । ପୁଅ ଲାଗି ଭତ୍ତା ଏବଂ ମୁଣ୍ଡ ଗୁଞ୍ଜିବା ଲାଗି ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି ।
କୋଟପାଡ଼ ଅଞ୍ଚଳରେ ରହୁଛନ୍ତି ଯମୁନା । ଚଳିବା ଲାଗି ପାଖରେ କିଛି ନାହିଁ । ଭଲପାଇ ବିବାହ କରିଥିଲେ । ବିବାହ ପରେ ପ୍ରଥମେ ଝିଅଟିଏ ଜନ୍ମ ହୋଇଥିଲା । ଜମିବାଡ଼ି ସେଭଳି ିକିଛି ନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଏଥିଯୋଗୁ ୫ ବର୍ଷ ତଳେ ତାଙ୍କ ସ୍ୱାମୀ ଭିଟାମାଟି ଛାଡ଼ି ସୁଦୂର ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କାମ କରି ଦି ପଇସା ଆଣୁଥିଲେ । ସେଥିରେ ଚଳୁଥିଲା ପରିବାର । ମାତ୍ର କିଛି ମାସ ପରେ ହଠାତ୍ ତାଙ୍କ ସ୍ୱାମୀ ଅସୁସ୍ଥ ହୋଇପଡ଼ିଥିଲେ । କାମଧନ୍ଦା କରିନପାରି ଘରକୁ ଫେରି ଆସିଥିଲେ । ପୁଅ ଗର୍ଭରେ ଥିବା ବେଳେ ୩ ବର୍ଷ ତଳେ ସେ ଆଖି ବୁଜିଦେଲେ । ଏଡ୍ସରେ ସ୍ୱାମୀଙ୍କ ମୃତୁ୍ୟ ପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ଯମୁନାଙ୍କ ଉପରେ । ଅଢେଇ ବର୍ଷର ପୁଅ ସହ ଯମୁନା ଏବେ ଏଚ୍ଆଇଭି ଆକ୍ରାନ୍ତ । ଝିଅର ପରୀକ୍ଷା କରାଯାଇଥିଲା । ସେ କିନ୍ତୁ ଏଚ୍ଆଇଭି ମୁକ୍ତ ଥିବା ଜଣାପଡ଼ିଛି ।
ଦାଦନ ଆଣିଦେଇଛି ଅସରନ୍ତି ଦୁଃଖ । ଏବେ ଅସହାୟ ଜୀବନ ବିତାଉଛନ୍ତି ଯମୁନା । ମୁଣ୍ଡ ଗୁଞ୍ଜିବା ଲାଗି ପାଖରେ ଘରଟିଏ ନାହିଁ । ବନ୍ଧୁବାନ୍ଧବ କେହିହେଲେ ସହାୟତାର ହାତ ବଢ଼ାଉ ନାହାନ୍ତି । ସରକାରୀ ସହାୟତା କହିଲେ କେବଳ ଯମୁନାଙ୍କୁ ମିଳୁଛି ୫ ଶହ ଟଙ୍କା ଭତ୍ତା । ଝିଅଟି ଛାତ୍ରୀ ନିବାସରେ ରହି ପ୍ରଥମରେ ପଢୁଛି । ପୁଅ ଏଚ୍ଆଇଭି ଆକ୍ରାନ୍ତ ହୋଇଥିଲେ ବି ଭତ୍ତା ମିଳୁନି । ପୂର୍ବରୁ ଯମୁନାଙ୍କୁ ରେଡ଼କ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ମିଳିଥିଲା । ଆଜିର ମହରଗ ଯୁଗରେ ତାହା ଦିନ କେଇଟାରେ ଖର୍ଚ୍ଚ ହୋଇଗଲା । ତା ପରଠୁ ବଞ୍ଚିବା ଲାଗି ପ୍ରତି ମୁହୂର୍ତ୍ତରେ ଯମୁନାଙ୍କୁ ସଂଗ୍ରାମ କରିବାକୁ ପଡୁଛି । ଅନେକ ସମୟରେ ପର ହାତଟେକା ଉପରେ ନିର୍ଭର କରିବାକୁ ପଡ଼ୁଛି । ରାତି ପାହିଲେ ପରଘରେ ମାଜିବାକୁ ପଡୁଛି ଅଇଁଠା ବାସନ । ପୁଅକୁ ଭତ୍ତା ଓ ଘର ଖଣ୍ଡିଏ ଯୋଗାଇବା ଲାଗି ଅନେକ ଥର ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ଧାଇଁଛନ୍ତି । କେହିହେଲେ ତାଙ୍କ ଦୁଃଖ ଶୁଣିନାହାନ୍ତି । ଶେଷରେ ଆଜି କୋଟପାଡ଼ରୁ ଦୁଇ ପିଲାଙ୍କୁ ଧରି ପହଞ୍ଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ପ୍ରଶାସନ ପକ୍ଷରୁ ମିଳିଛି ଆଶ୍ୱାସନା । ବିଡିଓଙ୍କ ସହ ଯୋଗାଯୋଗ କରାଯାଇ ଘରଟିଏ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି ।
ଦୁଃଖର ବିଷୟ, ଯମୁନାଙ୍କ ଭଳି ଅସହାୟ ମହିଳାଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ବଡ଼ବଡ଼ିଆମାନେ ସରକାରୀ ସୁବିଧା ହାତଉଥିବା ବେଳେ ଯମୁନାଙ୍କ ଭଳି ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ବ୍ଲକରେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ।
Comments are closed, but trackbacks and pingbacks are open.