କଟକ,(ବି.ବି.ବୁ୍ୟରୋ): ଦୁଇ ବର୍ଷ ପରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ପିଚ୍ ତୟାର । ଖେଳାଳି ପ୍ରସ୍ତୁତ । ସଜେଇ ହୋଇଛି ପୂରା ଷ୍ଟାଡିୟମ୍ । ଦର୍ଶକଙ୍କ ମହଲରେ ପ୍ରବଳ ଉକ୍ରଣ୍ଠା । ସମୟ ଯେତିକି ପାଖେଇ ଆସୁଛି, କ୍ରିକେଟପ୍ରେମୀଙ୍କ ହୃଦସ୍ପନ୍ଦନ ସେତିକି ତୀବ୍ର ହେବାରେ ଲାଗିଛି । ସାରା ରାଜ୍ୟରେ କ୍ରିକେଟ ଫିବର୍ । ଫରକ୍ ପଡୁନି ବୟସ, ନାହିଁ ଭେଦଭାବ । ସମସ୍ତଙ୍କ ନଜର ଏବେ ବାରବାଟୀ ଉପରେ । ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ଶେଷ ମ୍ୟାଚ । ଦୁଇ ଦଳରେ ରହିଛନ୍ତି ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ । ସିରିଜର ନିର୍ଣ୍ଣାୟକ ଲଢେ଼ଇରେ କମ୍ପି ଉଠିବ ବାରବାଟୀ । ଉତ୍ସାହିତ ହେବେ ୪୦ ହଜାର ପ୍ରତ୍ୟକ୍ଷଦର୍ଶୀ । ହେବ ଛକା, ଚୌକାର ବର୍ଷା ।
ଆଉ କିଛି ଘଣ୍ଟାର ଅପେକ୍ଷା । ରବିବାର ଅପରାହ୍ଣ ୧.୩୦ ମିନିଟ୍ରୁ ଆରମ୍ଭ ହେବ ମ୍ୟାଚ୍ । ଏହାପୂର୍ବରୁ ସକାଳ ୯ଟା ୩୦ ମିନିଟରୁ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିବେ । ସେମାନଙ୍କୁ ତିନି ସ୍ତରରେ ଯାଞ୍ଚ୍ କରାଯିବ । ଏହାସହ ସଂପୂର୍ଣ୍ଣ ଷ୍ଟାଡିୟମ କଡ଼ା ସୁରକ୍ଷାବଳୟ ମଧ୍ୟରେ ରହିବ ।
ଦୁଇଦିନର ବିଶ୍ରାମ ପରେ ଆଜି ବାରବାଟୀରେ ଉଭୟ ଦଳ ଅଭ୍ୟାସ କରିଥିଲେ । ପୂର୍ବାହ୍ନ ୧୧ଟା ବେଳକୁ ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦଳ ଅଭ୍ୟାସ ଆରମ୍ଭ କରିଥିଲା । ୩ ଘଣ୍ଟାର ଅଭ୍ୟାସ ପରେ ସେମାନେ ଭୁବନେଶ୍ୱର ଫରିଥିଲେ । ପୁଣି ଅପରାହ୍ଣ ପ୍ରାୟ ୨ଟା ବେଳକୁ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି । ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ୍ରେ ପ୍ରାୟ ୧୦ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଦର୍ଶକଙ୍କ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପକ୍ଷରୁ ୬ ନମ୍ବର ଗ୍ୟାଲେରୀ ଖୋଲାଯାଇଥିଲା । ଖେଳାଳିମାନେ ଅଭ୍ୟାସ ଶେଷ କରି ଫେରିବା ପର୍ଯ୍ୟନ୍ତ ଦର୍ଶକ ସେଠାରେ ଅପେକ୍ଷା କରି ରହିଥିଲେ ।
ଆସନ୍ତା କାଲି ବାରବାଟୀରେ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିପାରେ । ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ । ଶ୍ରେୟାସ ଆୟରଙ୍କ କ୍ରମାଗତ ଉନ୍ନତ ପ୍ରଦର୍ଶନ ବଳରେ ଭାରତର ମଧ୍ୟଭାଗ ବ୍ୟାଟିଂ କ୍ରମ ସୁଦୃଢ ହୋଇଛି । ରିଷଭ ପନ୍ତ ମଧ୍ୟ ଫର୍ମକୁ ଫେରିଛନ୍ତି । ବିଶାଖାପଟନମ୍(ଦ୍ୱିତୀୟ) ଦିନିକଆରେ ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲିବା ସହଜ ହେବ ନାହିଁ । ଅବଶ୍ୟ ବୋଲିଂ ବିଭାଗରେ ଭାରତ ପରିବର୍ତ୍ତନ କରିବ । ପେସ୍ ବୋଲର ଦୀପକ ଚହର ଆହତ ହୋଇ ଅନ୍ତିମ ଦିନିକିଆରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସ୍ଥାନ ମିଳିଛି । ସେ ଆସନ୍ତା କାଲି ଖେଳିବା ଆଶା କରାଯାଉଛି । ସର୍ଦୁଲ ଠାକୁରଙ୍କ ସ୍ଥାନରେ ଅନ୍ୟ ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । କୁଲଦୀପ ଯାଦବ ଓ ଚହଲ ବେଶ୍ କିଛି ଦିନ ହେଲା ଏକତ୍ର ଖେଳି ନାହାନ୍ତି । ଉଭୟ ଏକତ୍ର ଖେଳି ୨୪ଟି ମ୍ୟାଚ୍ରେ ଭାରତକୁ ଜିତାଇଛନ୍ତି ।
ୱେଷ୍ଟ ଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା କାଠିକର ପାଠ ହୋଇଛି । ପ୍ରଥମ ମ୍ୟାଚ୍ରେ ସାଇ ହୋପ ଓ ସିମରନ ହେତମେୟାର ଶତକୀୟ ଇନିଂସ ଖେଳି ଭାରତଠୁ ବିଜୟ ଛଡ଼ାଇ ନେଇଥିଲେ । ଦ୍ୱିତୀୟ ମ୍ୟାଚ୍ରେ ନିକୋଲାସ୍ ପୂରାନ ବିସ୍ଫୋରକ ଇନିଂସ ଖେଳି ଭୟ ସୃଷ୍ଟି କରିଥିଲେ । ରଷ୍ଟନ ଚେଜ,ଏଭିନ ଲୁଇସ ଓ କିରେନ ପୋଲାର୍ଡଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଦଳରେ ରହିଛନ୍ତି ।
ବାରବାଟୀରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ (ଟି-ଟ୍ୱେଣ୍ଟି) ଖେଳାଯାଇଥିଲା । ଏହାପୂର୍ବରୁ ୨୦୧୭ ଜାନୁଆରୀରେ ୧୯ ତାରିଖରେ ଶେଷ ଥର ପାଇଁ ବାରବାଟୀରେ ଦିନିକିଆ ମ୍ୟାଚ୍ ଅନୁÂିତ ହୋଇଥିଲା । ଭାରତ ଓ ଇଂଲଣ୍ଡ ଏହି ମ୍ୟାଚ୍ରେ ପରସ୍ପରକୁ ଭେଟିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ବିନିମୟରେ ୩୮୧ ରନ୍ ସଂଗ୍ରହ କରିଥିଲା । ଯୁବରାଜ ସିଂହ ୧୫୦ ଓ ମହେନ୍ଦ୍ର ସିଂ ଧୋନି ୧୩୪ ରନ୍ର ଶତକୀୟ ଇନିଂସ ଖେଳିଥିଲେ । ଜବାବରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୩୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଇୟନ ମୋର୍କାନ୍ ୮୧ଟି ବଲ୍ରୁ ୧୦୨ ରନ୍ ସଂଗ୍ରହ କରିଥିଲେ । ୩ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ।
Comments are closed, but trackbacks and pingbacks are open.