ଚିକିଟି/ପାତ୍ରପୁର, (ବି.ବି.ନୁ୍ୟଜ୍): ଚିକିଟିର ଶେଷ ରାଜା, ଚିକିଟି ନିର୍ବାଚନମଣ୍ଡଳୀର ଦୁଇ ଥର ବିଧାୟକ ତଥା ବର୍ତ୍ତମାନର ବିଧାୟିକା ଉଷାଦେବୀଙ୍କ ଶ୍ୱଶୁର ସଚ୍ଚିଦାନନ୍ଦ ରାଜେନ୍ଦ୍ର ନାରାୟଣ ଦେଓଙ୍କ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତୁ୍ୟ ଖବର ଶୁଣି ଚିକିଟି ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ରାଜ ଉଆସରେ ଅନ୍ତିମ ଦର୍ଶନ କରିଥିଲେ । ଦିବଙ୍ଗତ ରାଜାଙ୍କୁ ଉଆସରେ ସ୍ନାନ କରାଇ ପାଟବସ୍ତ୍ର ପିନ୍ଧା ଯାଇଥିଲା । ପରେ ତାଙ୍କୁ ରାଣୀ ମାଆ ଲଳିତା ମଞ୍ଜରୀ ଦେଓ, ବଡ଼ ପୁଅ ତ୍ରିଗୁଣାତୀତ ଦେଓ, ସାନ ପୁଅ ଦୁର୍ଗାପ୍ରସାଦ ଦେଓ, ବୋହୂ ଉଷାଦେବୀ ଓ ନାତି ଶ୍ରୀରୂପ ଦେଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ରାଜାଙ୍କ ଶବକୁ ଏକ ବିରାଟ ପଟୁଆରରେ ହଜାର ହଜାର ଲୋକଙ୍କ ଗହଣରେ ଚିକିଟିରେ ପରିକ୍ରମା କରାଯାଇଥିଲା । ଶହଶହ କଲେଜ ଛାତ୍ରଛାତ୍ରୀ ଶବାଧାରରେ ପୁଷ୍ପବୃଷ୍ଟି କରିଥିଲେ । ଚିକିଟି ରାଜ ଶ୍ମଶାନରେ କିଛି ସମୟ ପାଇଁ ଶବ ରଖିବା ପରେ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା ।
ବାପା ଗୌରଚନ୍ଦ୍ର ରାଜେନ୍ଦ୍ର ଦେଓଙ୍କ ୧୯୩୪ ମସିହାରେ ଦେହାନ୍ତ ପରେ ମାତ୍ର ୧୨ ବର୍ଷ ବୟସରେ ୧୯୨୩ ଅକ୍ଟୋବର ୨୩ରେ ସଚ୍ଚିଦାନନ୍ଦ ରାଜେନ୍ଦ୍ର ନାରାୟଣ ଦେଓ ରାଜ ସିଂହାସନ ଆରୋହଣ କରିଥିଲେ । ପୁତ୍ର ତ୍ରିଗୁଣତୀତ ଦେଓଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କେଶବ ଚନ୍ଦ୍ର ରାଉତରାୟଙ୍କଠାରୁ ଆରମ୍ଭ କରି ସଚ୍ଚିଦାନନ୍ଦ ଦେଓଙ୍କ ପର୍ଯ୍ୟନ୍ତ ୨୮ ପିଢ଼ି ଶାସନ ଗାଦିରେ ଅଭିଷିକ୍ତ ହୋଇଥିଲେ । ବାପା ଚିକିଟିର ଶେଷ ରାଜା ଥିଲେ । ଚିକିଟି ରାଜବଂଶ ଅଧିନରେ ଘୁମୁସର, ମହୁରୀ, ଖେମୁଣ୍ଡି, ସୁରଙ୍ଗୀ, ଜଳନ୍ଥରଗଡ଼, ଜରଡ଼ା, ଚୁଡ଼ାରସିଙ୍ଗ, ତାଳତନ୍ତ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ଚେତକ ସାମ୍ରାଜ୍ୟ । କାଳକ୍ରମେ ଚିକିଟି ଏକ କ୍ଷୁଦ୍ର ଗଡ଼ରେ ପରିଶତ ହୋଇ ପୁରୀ ଗଜପତି ରାଜାଙ୍କର ସାମନ୍ତ ଭ୍ରାତା କେଶବ ଚନ୍ଦ୍ର ରାଉତରାୟ ହୋଇଥିଲେ ପ୍ରଥମ ରାଜା । ୨୦ ବର୍ଷ ପର୍ଯ୍ୟନ୍ତ ବ୍ରିଟିଶ ଭାଇସରଏଙ୍କ ନେତୃତ୍ୱରେ ସେ ରାଜା ରହିବା ପରେ ୧୯୪୩ ମସିହାରୁ ୧୯୫୩ ପର୍ଯ୍ୟନ୍ତ ସ୍ଥାୟୀ ରାଜା ଭାବେ ଚିକିଟିରେ ରାଜୁତି କରିଥିଲେ । ସରକାର ରାଜପଦ ଉଛେଦ କରିବା ପରେ ୧୯୫୪ ରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।
Comments are closed, but trackbacks and pingbacks are open.