ଯବାନ ସାଜି ଓଏଲ୍ଏକ୍ସରେ ଠକେଇ!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସେନା ଯବାନମାନଙ୍କ ପ୍ରତି ପ୍ରାୟ ସବୁ ଭାରତୀୟଙ୍କର ଶ୍ରଦ୍ଧା, ସମ୍ମାନ ରହିଛି । ଦେଶମାତୃକା ପାଇଁ ଲଢୁଥିବାରୁ ଯବାନ ପୋଷାକରେ ଯେ କୌଣସି ଯୁବକଙ୍କୁ ଦେଖିଲେ ଦେଶର ସାଧାରଣ ନାଗରିକଙ୍କ ମୁଣ୍ଡ ଆପଣାଛାଏଁ ନଇଁଯାଇଥାଏ । ତେବେ ସାଧାରଣ ଲୋକଙ୍କ ଏହି ଆବେଗର ଭରପୁର ଫାଇଦା ଉଠାଉଛନ୍ତି ନକଲି ଯବାନ ବେଶଧାରୀ କିଛି ଠକ । ୟୁଟୁ୍ୟବ୍ରେ ବେଶ ସକ୍ରିୟ ରହୁଥିବା ଏହି ନକଲି ଯବାନମାନେ ସେନା ପୋଷାକ ପରିଧାନ କରି ନିରୀହ ଲୋକମାନଙ୍କୁ ଠକୁଛନ୍ତି । ସଂପ୍ରତି ଏହି ଧରଣର ଏକ ଚାଞ୍ଚଲ୍ୟକର ଠକେଇ ସାମ୍ନାକୁ ଆସିଛି । ସୁଇଫ୍ଟ ଡିଜାୟାର୍ କାର ବିକ୍ରି କରିବା ଆଳରେ ଜଣେ ନକଲି ଯବାନ ସ୍ଥାନୀୟ ଗୋପାଳସାଗର(ମାର୍କଣ୍ଡପୁର) ଗ୍ରାମର ରଞ୍ଜିତ୍ କୁମାର ଗୋଚ୍ଛାୟତଙ୍କଠାରୁ ୭୦ ହଜାର ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଓଏଲ୍ଏକ୍ସ ଅନ୍ଲାଇନ୍ ସାଇଟ୍ରେ କାର କିଣାବିକାରେ ଯୋଗସୂତ୍ର ସ୍ଥାପନ କରି ଠକାମିରେ ପଡ଼ିଥିଲେ ରଞ୍ଜିତ । ଅନ୍ଲାଇନ୍ ଠକେଇ ହୋଇଥିବାରୁ ପ୍ରଥମେ ସାଇବର୍ ସେଲ୍ରେ ଅଭିଯୋଗ କରିଥିଲେ ରଞ୍ଜିତ୍ । ଏବେ ମାମଲାର ତଦନ୍ତଭାର ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି । ଏହି ଧରଣର ଅପରାଧ ଜଗତସିଂହପୁର ଥାନା ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଏହାର ସମାଧାନ କରିବା ଟାଉନ୍ ପୁଲିସ ପାଇଁ ଚାଲେଞ୍ଜ ହୋଇପଡ଼ିଛି ।
ପ୍ରାପ୍ତ ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାର ବିକାଶ ସିଂଙ୍କ ଏକ ସୁଇଫ୍ଟ ଡିଜାୟାର କାର(ଓଡ଼ି୦୬ବି୦୦୦୬) ରହିଛି । ଉକ୍ତ କାରକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିବାକୁ ବିକାଶ ଓଏଲ୍ଏକ୍ସ ସାଇଟ୍ରେ ସୂଚନା ଦେଇଥିଲେ । କାରର ମଡେଲ ପସନ୍ଦ ହେବାରୁ ଏହାକୁ କ୍ରୟ କରିବାକୁ ମାର୍କଣ୍ଡପୁର ଗ୍ରାମର ରଞ୍ଜିତ ଇଚ୍ଛା ପ୍ରକାଶ କରିଥିଲେ । ଅନ୍ଲାଇନ୍ ଜରିଆରେ କାର କିଣିବାକୁ ରଞ୍ଜିତ ଜଣାଇବା ପରେ ବିକାଶ ପ୍ରଥମେ ୪୦୦୦ ଟଙ୍କା ଜମା କରିବାକୁ ଜଣାଇଥିଲେ । ଯେହେତୁ କାରଟି ଝାଡ଼ଖଣ୍ଡର ବିର୍ସାମୁଣ୍ଡା ଏୟାରପୋର୍ଟ ନିକଟରେ ରହିଥିଲା, ସେଥିଯୋଗୁଁ ତନଖି ପାଇଁ କାର୍କୁ ଓଡ଼ିଶା ଆଣିବା ନିମନ୍ତେ ବିକାଶଙ୍କ ପକ୍ଷରୁ ୪୦୦୦ ଟଙ୍କା ଦାବି କରାଯାଇଥିଲା । ତେବେ ଉକ୍ତ ଟଙ୍କାକୁ ଗୁଗଲ୍ ପେ’ ଆପ୍ଲିକେସନ୍ ଜରିଆରେ ମୂଲଚାନ୍ଦ ଶର୍ମାଙ୍କ ବ୍ୟାଙ୍କ ଜମାଖାତାକୁ ଛାଡ଼ିବା ପାଇଁ ବିକାଶଙ୍କ ପକ୍ଷରୁ ଜଣାଇ ଦିଆଯାଇଥିଲା । ବିକାଶଙ୍କ କହିବାନୁସାରେ ରଞ୍ଜିତ ନିଜ ବନ୍ଧୁ ହରେକୃଷ୍ଣ ବିଶ୍ୱାଳଙ୍କ ଜରିଆରେ ଏତକ ଟଙ୍କା ମୂଲଚାନ୍ଦଙ୍କ ଜମାଖାତାକୁ ପଠାଇ ଦେଇଥିଲେ । ଟଙ୍କା ଜମା ହେବା ପରେ ବିକାଶ ନିଜ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ହରେକୃଷ୍ଣଙ୍କ ନିକଟକୁ ଏକ ଟ୍ରାନ୍ସପୋର୍ଟ ରସିଦ୍ ପଠାଇଥିଲେ । ପରେ ପୁଣି ବିକାଶଙ୍କ ବରାଦ ଅନୁସାରେ ଜିପିଆର୍ଏସ୍ ସିଷ୍ଟମ କାର୍ଯ୍ୟକ୍ଷମ କରିବା ପାଇଁ ରଞ୍ଜିତଙ୍କ ପରାମର୍ଶକ୍ରମେ ବନ୍ଧୁ ହରେକୃଷ୍ଣ ୧୮,୯୯୯ ଟଙ୍କା ଅନ୍ଲାଇନ୍ରେ ପଠାଇଥିଲେ । ତେବେ ମୂଲଚାନ୍ଦଙ୍କ ବଦଳରେ ଏହି ଟଙ୍କା ୱାସିମ୍ ଅଖତରଙ୍କ ଜମାଖାତାକୁ ବିକାଶଙ୍କ କହିବା ମୁତାବକ ପଠାଯାଇଥିଲା । ଏତକ ଟଙ୍କା ହାତେଇବା ପରେ ଅର୍ଥାତ ଗତ ମାସ ୨୧ ତାରିଖରେ ପୁଣି ୧୭,୬୦୦ ଟଙ୍କା କାର କିଣା ବାବଦକୁ ଦାଖଲ କରିଥିଲେ ବନ୍ଧୁ ହରେକୃଷ୍ଣ । ଏମିତି ଚାଲାକିରେ ଟଙ୍କା ମିଳି ଯାଉଥିବା ଦେଖି ବିକାଶ ବିଭିନ୍ନ ଚାଲ ଖେଳି ପରେ ୧୦ ହଜାର ଓ ୨୧ ହଜାର ଟଙ୍କା ହଡ଼ପ କରି ନେଇଥିଲେ । ୟୁ ଟୁ୍ୟବ୍ରେ ବିକାଶ ନିଜକୁ ସ୍ଥଳସେନାର ଯବାନ ବୋଲି କେବଳ ପରିଚୟ ଦେଇ ନ ଥିଲେ, ଅବିକଳ ଭାବେ ସେନା ପୋଷାକ ଓ ପରିଚୟ ପତ୍ର ପ୍ରଦର୍ଶନ କରିଥିବାରୁ ଠକେଇର ଶିକାର ହେଉଥିବା ନେଇ ରଞ୍ଜିତ କିଞ୍ଚିତ୍ ଆଭାସ ବି ପାଇ ନ ଥିଲେ । ଦୁଇ କିସ୍ତିିରେ ଦିଆଯାଇଥିବା ୩୧ ହଜାର ଟଙ୍କା ମଧ୍ୟ ୱାସିମ୍ ଅଖତରଙ୍କ ଜମାଖାତାକୁ ଗୁଗଲ ପେ’ରେ ପଠାଯାଇଥିଲା ।
ମୋଟ୍ ଉପରେ ୭୦ ହଜାର ଟଙ୍କା ଗଣିବା ପରେ କାରଟି ଯାଞ୍ଚ ପାଇଁ ଓଡ଼ିଶା ପଠାଯାଇ ନ ଥିବା ବେଳେ ପୁଣି ବିକାଶ ପାଞ୍ଚ ହଜାର ଟଙ୍କା ପଠାଇବାକୁ ରଞ୍ଜିତ୍ଙ୍କୁ ଜଣାଇଥିଲେ । ମାତ୍ର ଏଥରକ ଟଙ୍କା ପଠାଇବା ବଦଳରେ ସିଧା ସାଇବର୍ ସେଲ୍ର ଦ୍ୱାରସ୍ଥ ହୋଇଥିଲେ ରଞ୍ଜିତ୍ । ଏବେ ଏହି ମାମଲା ଉପରେ ଜଗତସିଂହପୁର ଥାନାରେ କେସ୍ ରୁଜୁ ହେବା ସହ ଛାନ୍ଭିନ୍କୁ ତ୍ୱରାନ୍ୱିତ କରାଯାଇଛି । ଏଣେ ବିକାଶଙ୍କ ପରିଚୟ ପତ୍ର, ଆଧାର କାଡର଼୍ ଇତ୍ୟାଦି ଯାହା ସବୁ ରଞ୍ଜିତ୍ଙ୍କ ହାତରେ ଲାଗିଥିଲା ତାହା ଜାଲ୍ ଥିବା ପୁଲିସ ପକ୍ଷରୁ ସନେ୍ଦହ ବ୍ୟକ୍ତ କରାଯାଇଛି । କାରଣ ଏଭଳି ଠକେଇ କରିଥିବା ଉକ୍ତ ଗ୍ୟାଙ୍ଗ ଓଡ଼ିଶା ବାହାରର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ବିଭିନ୍ନ ଉପାୟରେ ଏମାନେ ଲୋକଙ୍କୁ ଠକିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ତେବେ ସେନା ପୋଷାକ ସହ ପରିଚୟପତ୍ର ଦେଖାଇ ଓଏଲ୍ଏକ୍ସ ଜରିଆରେ ଏହି ଗ୍ୟାଙ୍ଗ ଠକେଇ କରିବା ଏକ ନୂଆ ଘଟଣା ବୋଲି ପୁଲିସ ମତ ଦେଇଛି । ରଞ୍ଜିତଙ୍କୁ ଠକିବା ପରେ ଏହି ଗ୍ୟାଙ୍ଗ ଅନ୍ୟ ଶିକାର ସନ୍ଧାନରେ ରହିଥିବା ଓ ଏବେ ବି ଓଏଲ୍ଏକ୍ସ ସାଇଟ୍ରେ ବିକାଶ ସକ୍ରିୟ ରହି କାର ବିକ୍ରି କରିବାର ସୂଚନା ଜାରି ରଖିଥିବା ରଞ୍ଜିତ ପ୍ରକାଶ କରିଛନ୍ତି । ଏନେଇ ପୁଲିସ ଖୋଳତାଡ଼ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons