ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆଯାତ୍ରା ସଂପନ୍ନ

Get real time updates directly on you device, subscribe now.

ଦେଓଗାଁ (ବି.ବି.ନୁ୍ୟଜ୍): ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି ଶୁଲିଆ ପୀଠ । ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ସଂପନ୍ନ ହୋଇଛି । ଆଜି ସକାଳୁ ଆଦିବାସୀମାନେ ଏକ ଶୋଭାଯାତ୍ରାରେ ଆସି ଖଇରଗୁଡାର ବଡ଼ଖଲା ଏବଂ କୁମୁରିଆର ସାନଖଲାରେ ବଳି ଚଢ଼ାଇଛନ୍ତି । ଫଳରେ ଶୁଲିଆ ପୀଠ ଆଜି ରକ୍ତରେ ଭିଜିଛି । ଆଦିବାସୀଙ୍କ ଧର୍ମଭାବନା ଓ ବିଶ୍ୱାସର ପ୍ରତୀକ ଭାବେ ଶୁଲିଆ ଯାତ୍ରାରେ ଅନେକ ମାନସିକଧାରୀ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦେଇଛନ୍ତି । ଦେଓଗାଁ କୁଲତାପଡ଼ା ପଞ୍ଚାୟତ ଖଇରଗୁଡାଠାରେ ମିଳିତ ଶୁଲିଆ ମଞ୍ଚ କମିଟି ସଭାପତି ମୟ ପ୍ରଧାନୀ ଓ ସଂପାଦକ ତପନ କୁଅଁରଙ୍କ ନେତୃତ୍ୱରେ ଆୟୋଜିତ ଯାତ୍ରାରେ ହଜାର ହଜାର ଲୋକଙ୍କ ଗହଳି ଲାଗିରହିଥିଲା । ଶୁଲିଆ ପାହାଡ ପାଦଦେଶରେ ପୌଷ ମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଦିନ ଯାତ୍ରା ଅନୁÂିତ ହୋଇଛି । ଖଇରଗୁଡ଼ା ବଡ଼ଖଲା ପୀଠରେ ମୁଖ୍ୟ ପୂଜକ ସୋମନାଥ ଦେହୁରିଆ ଓ କୁମୁରିଆ ସାନଖଲାରେ ପୂଜକ ହରିହର ଝାଙ୍କର ସମେତ ଦେହୁରୀ ବିରଞ୍ଚି କୁଅଁର, ମଧୁବନ ଭୋଇ, ଜଗଦୀଶ କୁଅଁର, ଅନନ୍ତ ଦେହୁରିଆ ପ୍ରମୁଖ ସହଯୋଗ କରିଥିଲେ । ଆଜି ସକାଳୁ ଆଦିବାସୀଙ୍କ ପୂଜକ ଶକ୍ତି ଧରି ବାଜା, ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବଡ଼ଖଲା ଓ ସାନଖଲାକୁ ଆସିଥିଲେ । ପ୍ରଥମେ ସାତ୍ତ୍ୱିକ ପୂଜାର୍ଚ୍ଚନା ପରେ ବଳି ପର୍ବ ଆରମ୍ଭ ହୋଇଥିଲା । ଏଠାକୁ ବଲାଙ୍ଗୀର ସମେତ ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁମାନେ ଆସି ବଳି ଚଢ଼ାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଶୁଲିଆ ପୀଠକୁ ବିଧାୟକ ନରସିଂହ ମିଶ୍ର, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର, ପ୍ରମୋଦ ବହିଦାର, ସୁରେଶ କୁମାର ମେହେର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶୁଲିଆ ଯାତ୍ରାରେ ମାଜିଷ୍ଟେ୍ରଟ ଦାୟିତ୍ୱରେ ଦେଓଗାଁ ତହସିଲଦାର ସୋନାଲି ପାତ୍ର, ପୁଇଁନ୍ତଲା ତହସିଲଦାର ନିରୁପମା ବୁଡେକ ଏବଂ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ । ସେହିପରି ଦେଓଗାଁ ବ୍ଲକର ଜରାସିଂହା, ଚନ୍ଦ୍ରପୁର, ବରକାନୀ, ସାରସବାହାଲ, ବଗଡାରେ ମଧ୍ୟ ଶୁଲିଆ ଯାତ୍ରା ଅନୁÂିତ ହୋଇ ପଶୁପକ୍ଷୀ ବଳି ଦିଆଯାଇଛି । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ବଳି ବନ୍ଦ ପାଇଁ କୌଣସି କଟକଣା ବା ଜନସଚେତନତା ସୃଷ୍ଟି କରିନଥିବା ବେଳେ ପୂର୍ବବତ ପଶୁପକ୍ଷୀ ବଳି ପଡିବା ସହ ଆଦିବାସୀ ପରମ୍ପରାର ଧର୍ମୀୟ ଭାବନା ଓ ବିଶ୍ୱାସ ଆଗରେ ପ୍ରଶାସନକୁ ହାର ମାନିବାକୁ ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons