ସାଇକେଲ୍ ପାଇଁ ହତ୍ୟା କରାଯାଇଥିଲା

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ମୁଣ୍ଡକୁ ପଥରରେ ଛେଚି ମାରିଥିଲେ । ପ୍ରମାଣ ଲୁଚାଇବାକୁ ଘଟଣାସ୍ଥଳରୁ ୫ ଶହ ମିଟର ଦୂର ଏକ ସ୍ଥାନରେ ବଡ ଗାତ ଖୋଳି ପୋତି ଦେଇଥିଲେ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ତୁନଖାଲ ଗାଁର ଚିତ୍ର ମୁଦୁଲିଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଶନିବାର ପୁଲିସ ଏହି ଖୁଲାସା କରିଛି । ଏହି ମାମଲାରେ ଅଟକ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ଦଶମନ୍ତପୁର ଥାନା ବନାସିଲ ଗ୍ରାମର ତ୍ରିନାଥ ଜାନି(୨୬)ବଳରାମ ଜାନି(୨୨) ଓ ଭୁବନ ମୁଦୁଲି(୨୨) । ଏମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ୨ କେଜି ଓଜନର ଗୋଟିଏ ପଥର, ଗୋଟିଏ କାଠ କିଳା ଓ ମୋବାଇଲ୍ ଜବତ ହୋଇଛି ।
କୋରାପୁଟ ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏହି ସୂଚନା ଦେଇଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତିନି ଅଭିଯୁକ୍ତଙ୍କୁ ଠାବ କରାଯାଇଥିବା ପୁଲିସ କହିଛି । ସମ୍ମିଳନୀରେ ଏସଡ଼ିପିଓ ବଳଭଦ୍ର ଦୀପ୍ ସୂଚନା ଦେଇ କହିଲେ, ଅଭିଯୁକ୍ତ ତ୍ରିନାଥ ଜାନି ଗୋଟିଏ ସାଇକେଲ୍ ମୃତ ଚିତ୍ର ମୁଦୁଲିକୁ ଦେଇଥିଲା । ତେବେ ଚିତ୍ର ସାଇକେଲ୍ ଫେରାଇ ନଥିଲା । ଏହି ବାବଦକୁ ଟଙ୍କା ମଧ୍ୟ ତ୍ରିନାଥକୁ ଦେଇ ନଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏଥିରେ ତ୍ରିନାଥ ହତୋତ୍ସାହ ହୋଇ ଚିତ୍ରଙ୍କୁ ଜୀବନରେ ମାରି ଦେବାକୁ ଯୋଜନା କରିଥିଲା । ଘଟଣା ଦିନ ତ୍ରିନାଥ ତା’ର ସହଯୋଗୀ ବଳରାମ ଓ ଭୁବନ ସହାୟତାରେ ଚିତ୍ରକୁ ଗାଁରୁ ଡ଼ାକି ନେଇଥିଲେ । ଚିତ୍ରଙ୍କୁ ଏମାନେ ବହୁ ପରିମାଣର ମଦ ପିଆଇଥିଲେ । ଚିତ୍ର ମଦ ନିଶାରେ ଥିବାବେଳେ ୩ ଅଭିଯୁକ୍ତ ଏକ ପଥର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆଘାତ କରି ଆକ୍ରମଣ କରିଥିଲେ । ପ୍ରବଳ ରକ୍ତସ୍ରାବ ପରେ ଚିତ୍ରଙ୍କର ମୃତୁ୍ୟ ହୋଇଥିଲା । ତିନି ଅଭିଯୁକ୍ତ ଚିତ୍ରଙ୍କ ମୃତଦେହକୁ ଚିକାମ୍ବ ରାସ୍ତାରୁ ୫ଶହ ମିଟର ଦୂର ଧର୍ମାଗୁଡ଼ା ନାଳ ନିକଟକୁ ନେଇଥିଲେ । ସେଠାରେ ଏକ ବଡ ଗାତ ଖେଳି ଶବକୁ ପୋତି ଦେଇ ଫେରାର୍ ହୋଇଯାଇଥିଲେ । ପରିବାର ଲୋକ ଚିତ୍ରଙ୍କର ମୃତଦେହ ପାଇବା ପରେ ଦଶମନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଏକ ମାମଲା(୧୨୧/୧୯) ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ଖୋଳତାଡ୍ ଆରମ୍ଭ ହୋଇଥିଲା । ହତ୍ୟା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ତୁନଖାଲ ଗାଁର ଚିତ୍ର ମୁଦୁଲି ଗତ ନଭେମ୍ବର ତୃତୀୟ ସପ୍ତାହରୁ ନିଖୋଜ ଥିଲେ । ଗତ ଡ଼ିସେମ୍ବର ୩୦ ରେ ଧର୍ମାଗୁଡ଼ା ଗାଁ ଟିଟିଝୋଲା ନାଳ ନିକଟରେ ପଚା ଗନ୍ଧ ହେଉଥିବା କିଛି ଗାଈ ଜଗୁଆଳ ଜାଣିଥିଲେ । ଏମାନେ ଚିତ୍ରଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏକ ବାଲିଗଦାରୁ ଦୁର୍ଗନ୍ଧ ଆସୁଥିବା ଦେଖିଥିଲେ । ସେହି ସ୍ଥାନରେ ଖୋଳାଖୋଳି କରିବା ପରେ ଚିତ୍ରଙ୍କ ଗଳିତ ଶବ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons