ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍ । କେବଳ ସରକାରୀ ନୁହେଁ, ଘରୋଇ ନର୍ସିିଂହୋମ୍ ଓ ମେଡିକାଲ୍ ଷ୍ଟୋର୍ରେ ବି ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍ । କୁକୁର, ବିଲେଇ କିମ୍ବା ମାଙ୍କଡ଼ କାମୁଡ଼ିଲେ ଏବେ ପ୍ରତିଷେଧକ ଟିକା କୋଉଠି ମିଳିବ ସମସ୍ତଙ୍କର ଚିନ୍ତା ବଢ଼ିଛି । ଜିଲ୍ଲାର ସମସ୍ତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଣକେନ୍ଦ୍ର ଏମ୍କେସିଜି ମେଡିକାଲ କଲେଜ ଓ ଡାକ୍ତରଖାନାରେ ମଧ୍ୟ ଏହି ସମସ୍ୟା । କୁକୁର କାମୁଡ଼ାରେ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସୁଥିବା ଶହ ଶହ ରୋଗୀ ହତାଶ ହେଉଛନ୍ତି । ପ୍ରତିଷେଧକ ଟିକା ମିଳୁନଥିବାରୁ ସେମାନେ ବାଧ୍ୟ ହୋଇ ଭୁବନେଶ୍ୱର କିମ୍ବା ବିଶାଖପାଟଣାମ୍ ଘରୋଇ ହସ୍ପିଟାଲ୍କୁ ଯାଇ ଚିକିତ୍ସିତ ହେଉଛନ୍ତି । କୁକୁର କାମୁଡ଼ିଲେ ଆଣ୍ଟି ରାବିସ୍ ଭେକ୍ସିନ୍ (ଏଆର୍ଭି) ଓ ରାବିସ୍ ଇମୁନୋ ଗ୍ଲୋବିଲିନ୍ (ଆର୍ଆଇଜି)ଆବଶ୍ୟକ ହୋଇଥାଏ । ଏଆର୍ଭିର ଆବଶ୍ୟକତା ଅଧିକ ମାତ୍ରାରେ ରହିଥାଏ ।
ଗଞ୍ଜାମ ଜିଲ୍ଲାର ସମସ୍ତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏଆର୍ଭି ଯୋଗାଣ ହେଉଥିବା ବେଳେ ଆର୍ଆଇଜି କେବଳ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉପଲବ୍ଧ ରହିଛି । ଗଞ୍ଜାମ ଜିଲ୍ଲାକୁ ୪ମାସ ହେଲା ଏଆର୍ଭି ଯୋଗାଣ ନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଏଆର୍ଭି ଜିଲ୍ଲାରେ ଷ୍ଟକ୍ ସରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କିଣି ରୋଗୀଙ୍କୁ ଟିକା ଦିଆଯାଉଥିଲା । ବର୍ତ୍ତମାନ କିଣିବା ପାଇଁ ମଧ୍ୟ ମିଳୁନାହିଁ । ଗଞ୍ଜାମ ଜିଲ୍ଲାରେ ୪ମାସ ହେଲା ଟିକା ନଥିବା ସେ ସ୍ୱୀକାର କରିବା ସହ ଔଷଧ ଯୋଗାଣ ସଂସ୍ଥା ଓଏସ୍ଏମ୍ସିଏଲ୍କୁ ଏଆର୍ଭି ଯୋଗାଇବାକୁ ଚିଠି କରାଯାଇଥିବା ସେ କହିଛନ୍ତି । ତେବେ ରାଜ୍ୟ ସାରା ଏହି ସମସ୍ୟା ରହିଥିବା ସୂଚନା ମିଳିଛି ।
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରୁ ମିଳିଥିବା ସୂଚନା ପ୍ରକାରେ ୨୦୧୯ ଏପ୍ରିଲ୍ରୁ ଜାନୁଆରୀ ୧୫ ତାରିଖ ୧୦ମାସ ମଧ୍ୟରେ ୧୦୮୨୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ବର୍ଷସାରା ଏଆର୍ଭି ଟିକା ସମସ୍ୟା ରହୁଥିବା ବେଳେ ୩ଦିନ ହେଲା ଟିକା ନଥିଲା । ମଙ୍ଗଳବାର ୭୦ରୁ ଅଧିକ ରୋଗୀ ଡାକ୍ତରଖାନାରୁ ଟିକା ନପାଇ ଫେରିଥିବା ଜଣାପଡିଛି । ତେବେ ବୁଧବାର ଟିକା ଆସିବା ପରେ ୫୦ଜଣଙ୍କୁ ଦିଆଯାଇଛି । ପ୍ରତିଦିନ ଏଠାରେ ୫୦ରୁ ୭୦ଜଣ ରୋଗୀ ଚିକିତ୍ସିତ ହେଉଥିବା ଉପସ୍ଥିତ ଜଣେ ଡାକ୍ତର କହିଛନ୍ତି । ଏମ୍କେସିଜି ମେଡିକାଲ କଲେଜ ଓ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଏଆରଭି ଯୋଗାଣରେ ସମସ୍ୟା ରହୁଛି । ଡାକ୍ତରଖାନାରେ ଯଦି ମହଜୁଦ୍ ରହୁଛି ତାହେଲେ ନିଶ୍ଚିତ ଭାବେ ରୋଗୀଙ୍କୁ ଦିଆଯାଉଛି । ବୁଧବାର କିଛି ଟିକା ଆସିଛି ବୋଲି ସେ କହିଛନ୍ତି ।
ଆଙ୍କୋଲି ଲକ୍ଷ୍ମୀ ନଗର ପ୍ରଥମ ଲାଇନ୍ ବାସିନ୍ଦା ଚିତ୍ରା ଶତପଥିଙ୍କ ପୁଅ ସୂର୍ଯ୍ୟନାରାୟଣ(୧୧)ଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୁକୁର କାମୁଡ଼ି ଦେଇଥିଲା । ପ୍ରଥମେ ଏମ୍କେସିଜିରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଘରୋଇ ହସ୍ପିଟାଲ୍ ଓ ମେଡ଼ିକାଲ ଷ୍ଟୋର ଖୋଜିଥିଲେ କୋଉଠି ବି ଇଞ୍ଜେକ୍ସନ୍ ମିଳିନଥିଲା । ଶେଷରେ ସେ ଛତ୍ରପୁରରେ ଯାଇ ଇଞ୍ଜେକସନ୍ ଦେଇଥିଲେ । ଏମ୍କେସିଜି ଜଳାତଙ୍କ ବିଭାଗ ଡା.ନାରାୟଣ ପ୍ରସାଦ ନନ୍ଦ କହିଛନ୍ତି, ରୋଗୀ ମାନେ ସଚେତନ ହେବା ଆବଶ୍ୟକ । କୁକୁର କାମୁଡ଼ିବା କ୍ଷତି ସେହି ଜାଗାକୁ ସାବୁନରେ ଧୋଇବା ଆବଶ୍ୟକ । ସେହି ଜାଗା ଉପରେ ପାଣି ଢ଼ାଳି ସଫାରେ ଧୋଇଲେ ଜୀବାଣୁ ନଷ୍ଟ ହୋଇଥାଏ । ପରେ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ । କୁକୁର କାମୁଡ଼ିବା ପରେ କିଛି ଲୋକ ଘରୋଇ ଉପଚାର କରୁଛନ୍ତି । କୁକୁର କାମୁଡ଼ିଥିବା ଜାଗାରେ ହଳଦୀ, କଞ୍ଚାଲଙ୍କା, କଲରାପତର ଲଗାଇ ଆସୁଛନ୍ତି । ଏଭଳି କରିବା ଦ୍ୱାରା ରୋଗ ଅଧିକ ବଢ଼ିବ । କୌଣସି ପ୍ରକାର ଘରୋଇ ଉପଚାର ନକରି କୁକୁର କାମୁଡ଼ିଥିବା ଜାଗାକୁ ସାବୁନ ପାଣିରେ ସଫା କରି ଡାକ୍ତରଖାନା ଆଣିବାକୁ ଡା. ନନ୍ଦ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.