କେନ୍ଦୁଝର: କେନ୍ଦୁଝର ଖଣି ଖାଦାନ ଅଞ୍ଚଳ ହୋଇଥିଲେ ମଧ୍ୟ କର୍ମସଂସ୍ଥା ନଥିବାରୁ ଦିନକୁଦିନ ବେକାରୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖଣି, ଖାଦାନ ଅନେକ ବନ୍ଦ ହୋଇପଡ଼ିଥିବା ବେଳେ ଶିଳ୍ପାନୁÂାନ ଗୁଡ଼ିକ ମଧ୍ୟ ରୁଗ୍ଣ ହେଲାଣି । ତେଣୁ ଶିକ୍ଷିତ ବେକାର ଯୁବକଯୁବତୀ ଅସହାୟ ହୋଇପଡ଼ିଛନ୍ତି । ଯାହାର ନମୁନା ଆଜି ଦେଖିବାକୁ ମିଳିଥିଲା । ୮୯ ଗୃହରକ୍ଷୀ ପଦବି ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ନିଯୁକ୍ତି ଆହ୍ୱାନ କରାଯାଇଥିଲା । ମଙ୍ଗଳବାର ଆବେଦନକାରୀଙ୍କ ମନୋନୟନ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଥିଲା । ହେଲେ ମାତ୍ର ୮୯ଟି ପଦବି ପାଇଁ ୬୪୫୫ ଜଣ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରି ଆଶାରେ ଧାଇଁ ଆସିଥିଲେ ।
କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଖାଲି ପଡ଼ିଥିବା ୮୯ ଗୃହରକ୍ଷୀ ପଦବି ପୂରଣ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ପୁଲିସ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା । ୮୯ଟି ପଦବି ମଧ୍ୟରୁ ୯ଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିଲା । ଫଳରେ ୨୦ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ଦରଖାସ୍ତ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସମଗ୍ର ଜିଲ୍ଲାରୁ ୬୪୫୫ ଜଣ ଯୁବକ ଯୁବତୀ ଦରଖାସ୍ତ କରିଥିଲେ । ଏତେ ସଂଖ୍ୟକ ଦରଖାସ୍ତ ଦେଖି ଯାଞ୍ଚ କରିବାକୁ ପୁଲିସ ବିଭାଗ ନାକେଦମ୍ ହୋଇ ପଡ଼ିଥିଲା । ଦରଖାସ୍ତ ଗୁଡ଼ିକ ମଧ୍ୟରେ ପ୍ରାୟ ୫ ହଜାର ଦରଖାସ୍ତ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଆବେଦନ କରିଥିବା ଜଣାପଡ଼ିଛି । ଅନେକ ଆବେଦନକାରୀ ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ବେଳେ ଗୃହରକ୍ଷୀ ଭଳି ପଦବି ପାଇଁ ଆବେଦନ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଦରଖାସ୍ତ ଗୁଡ଼ିକ ଯାଞ୍ଚ ସମୟରେ ଏସପି ମିତ୍ରଭାନୁ ମହାପାତ୍ର ପୁଲିସ ରିଜର୍ଭ ପଡ଼ିଆରେ ଉପସ୍ଥିତ ଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ମନୋନୟନ ପରୀକ୍ଷା ପୂର୍ବରୁ ୪୨୯୯ ଦରଖାସ୍ତ ନାକଚ ହୋଇଯାଇଛି ।
Comments are closed, but trackbacks and pingbacks are open.