କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ଥାନା କେମ୍ପସଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଘଟଣ । ବିଦ୍ୟାଳୟ ପରିସରରେ ରହିଥିବା କ୍ୱାର୍ଟର୍ସରେ ପାଣି ଗରମ କରିବା ସମୟରେ ୱାଟର ହିଟର ଚାର୍ଜ ହୋଇଯିବାରୁ ୟୁଜିଏମଇ ସ୍କୁଲ ଆଦିବାସୀ ଛାତ୍ରାବାସ ରୋଷେୟା ଲମ୍ବୋଦର ମହାନ୍ତଙ୍କ ସ୍ତ୍ରୀ ସୁମିତ୍ରା ମହାନ୍ତ(୨୬)ଙ୍କର ମୃତୁ୍ୟ ଘଟିଛି । ତାଙ୍କ ସହିତ ଘର ଭିତରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିପା ନାଏକଙ୍କ ଛୁଆ ଖେଳାଇବା କାମରେ ନିୟୋଜିତ ଜଣେ ନାବାଳିକା ମଧ୍ୟ ଗୁରୁତର ହୋଇଛି । ବୁଧବାର ପୂର୍ବାହ୍ନ ୧୧ ଟାରେ ଏହି ଅଘଟଣ ଘଟିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିବାବେଳେ ସୁମିତ୍ରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ନାବାଳିକା ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି ।
କେମ୍ପସଡା ୟୁଜିଏମଇ ସ୍କୁଲ ସହକାରୀ ଶିକ୍ଷକ ମିତ୍ରଭାନୁ ମହାନ୍ତଙ୍କ ସୂଚନା ଅନୁସାରେ, ତୁରୁମୁଙ୍ଗା ଥାନା ପୁଟୁଗାଁ ଗ୍ରାମର ଲମ୍ବୋଦର ମହାନ୍ତ କେମ୍ପସଡା ୟୁଜିଏମଇ ବିଦ୍ୟାଳୟରେ ରହିଥିବା ୪୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସର ରୋଷେୟା କମ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରନ୍ତି । ବିଦ୍ୟାଳୟ ପରିସରରେ ପତ୍ନୀ ସୁମିତ୍ରାଙ୍କ ସହ ପୂରା ପରିବାର ରୁହନ୍ତି । ବୁଧବାର ପୂର୍ବାହ୍ନ ୧୧ ଟା ପାଖାପାଖିରେ ଲମ୍ବୋଦର ଜାଳେଣି ଗ୍ୟାସ ପାଇଁ ତୁରୁମୁଙ୍ଗା ଯାଇଥିବାବେଳେ ସ୍ତ୍ରୀ ସୁମିତ୍ରାଙ୍କ ଶରୀର ଅସୁସ୍ଥ ଥିବାରୁ ଗାଧେଇବା ପାଇଁ ବାଲ୍ଟିରେ ପାଣି ଭର୍ତ୍ତି କରି ୱାଟର ହିଟରରେ ଗରମ କରୁଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିପା ନାଏକଙ୍କର ୮ ମାସର ଛୁଆ ଖେଳାଇବା କାମରେ ନିଯୁକ୍ତ ଥିବା କେମ୍ପସଡା ଗ୍ରାମର ଜଣେ ନାବାଳିକା ଉକ୍ତ ଘରେ ଛୁଆ ଖେଳାଉଥିଲେ । ୱାଟର ହିଟରରେ ପାଣି ଗରମ କରିବା ସମୟରେ କୌଣସି କାରଣରୁ ୱାଟର ହିଟରଟି ଚାର୍ଜ ହୋଇଯାଇଥିଲା ଏବଂ ସୁମିତ୍ରା ବିଦୁ୍ୟତ ସଂସ୍ପର୍ଶରେ ଆସିଯାଇଥିଲେ । ପାଣି ବାଲଟି ଚାର୍ଜ ହୋଇଯିବା ପରେ ବାଲ୍ଟିରୁ ପାଣି ଛିଟିକି ନାବାଳିକା ଜଣକ ମଧ୍ୟ ବିଦୁ୍ୟତ ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ସୁମିତ୍ରାଙ୍କର ମୃତୁ୍ୟ ହୋଇଥିବାବେଳେ ନାବାଳିକା ଜଣକ ଛିଟିକି ପଡିଥିଲେ । ବିଦ୍ୟାଳୟର ଶିକ୍ଷକ ତଥା ଅନ୍ୟ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିବାବେଳେ ନାବାଳିକାକୁୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ଏଏସଆଇ ଅଶୋକ କୁମାର ରାଉତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାରେ ୦୨/୨୦୨୦ ନମ୍ବର ସମ୍ବଳିତ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଗୁରୁତର ନାବାଳିକା ଜଣକୁ କେଉଁ ପରିସ୍ଥିତିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିଜ ଛୁଆ ଖେଳାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି ଏ ସମ୍ବନ୍ଧରେ ଚାଇଲ୍ଡଲାଇନ ମାଧ୍ୟମରେ ତଦନ୍ତ କରାଯଯିବା ସହିତ ନାବାଳିକାଙ୍କ ସ୍ୱାସ୍ଥାବସ୍ଥା ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ଅଧିକାରିଣୀ ଦେବାଙ୍ଗନା ବାରିକ ।
Comments are closed, but trackbacks and pingbacks are open.