ଅଙ୍ଗ ପ୍ରତିରୋପଣ ପାଇଁ ନିୟୋଜିତ ହେବ ହେଲିକପ୍ଟର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅଙ୍ଗଦାନକୁ ବ୍ୟାପକ ଓ ତ୍ୱରିତ୍ କରିବା ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ । ଆବଶ୍ୟକ ପଡ଼ିଲେ ଅଙ୍ଗ ପ୍ରତିରୋପଣ ପାଇଁ ହେଲିକପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟ ସରକାର ଆଜି ଏହି ସୂଚନା ଦେଇଛନ୍ତି । ଅର୍ଥାତ୍ ରାଜ୍ୟର କୋଣ ଅନୁକୋଣରେ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଅଙ୍ଗକୁ ସ୍ୱଳ୍ପ ସମୟ ଭିତରେ ପ୍ରତିରୋପଣ ୟୁନିଟ୍ରେ ପହଞ୍ଚାଇଯାଇପାରିବ ।
ପ୍ରଥମ କରି ଓଡ଼ିଶାରେ ସଫଳ ହୋଇଛି କାଡାଭାରିକ୍ କିଡ୍ନି ପ୍ରତିରୋପଣ । ମୃତ ବ୍ୟକ୍ତି ଦେଇଛନ୍ତି ଆଉ ଦୁଇ ଜଣଙ୍କ ଜୀବନ । ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ସ୍ୱର୍ଣ୍ଣିମ ଇତିହାସ ଲେଖିଛି କଟକ ବଡ଼ ମେଡିକାଲ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଖୁସି ଜାହିର କରିବା ସହ ଏହି ବିରଳ ଅସ୍ତେ୍ରାପଚାରରେ ସାମିଲ ଡାକ୍ତରୀ ଦଳକୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଗତ ୪ ତାରିଖ ଦିନ ମସ୍ତିଷ୍କ ମୃତୁ୍ୟ ଘଟିଥିବା ଗଞ୍ଜାମର ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍ନି ଦୁଇଟିକୁ ସଫଳତାର ସହ ପ୍ରତିରୋପଣ କରି ଦୁଇଜଣଙ୍କ ଜୀବନ ରକ୍ଷା କରିଥିବା ଏସ୍ସିବି ଓ ଆପୋଲୋ ହସ୍ପିଟାଲର ଡାକ୍ତରମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ଏହି ସଫଳ ଚିକିତ୍ସା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଥମ କାଡାଭାରିକ୍ କିଡ୍ନି ପ୍ରତିରୋପଣ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ । ଆଗାମୀଦିନରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ । ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସୂଚନାଯୋଗ୍ୟ, ମୃତୁ୍ୟ ପରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୁରଜ ସମ୍ମାନ ଯୋଜନା ଘୋଷଣା କରିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ କହିଲେ, ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ଏକ ମହତ୍ ଦାନ । ଏହାଦ୍ୱାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । କଟକ ଏସ୍ସିବି ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡଃ ଦତ୍ତେଶ୍ୱର ହୋତା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡଃ ଚିତ୍ତରଂଜନ କର ଏବଂ ଆପୋଲୋ ହସ୍ପିଟାଲର ୟୁରୋଲୋଜି ବିଭାଗର ମୁଖ୍ୟ ଡଃ ହାମରସନ୍ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ସଂଗ୍ରହ ଓ ପ୍ରତିରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
କିଡ୍ନି ପ୍ରତିରୋପଣ ହୋଇଥିବା ଦୁଇଜଣ ଯାକ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏସ୍ସିବିର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗର ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡଃ ସବ୍ୟସାଚୀ ପଣ୍ଡା, ଡଃ ସଂଜୟ ଚୌଧୁରୀ, ଡଃ କଲ୍ୟାଣୀବାଳା ନାୟକ, ଡଃ ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡଃ ଏଲ୍.ଏନ୍. ବେହେରା, ଆପୋଲୋ ହସ୍ପିଟାଲର ମିଃ ସୁଧୀର ଦିଗିକର, ଡଃ ସମୀରୋନ୍ଦାସ ଅଧିକାରୀ, ଡଃ ଶର୍ମିଲୀ ସିହ୍ନା, ଡଃ ବିବେକାନନ୍ଦ ପଣ୍ଡା, ଡଃ ଦେବବ୍ରତ ଦାଶ, ଡଃ ସୁବ୍ରତ ସାହୁ, ଡଃ ନୀତିଶ ମହାନ୍ତି ଓ ମିଃ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏସ୍ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଡଃ ହୋତା ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ସହାୟତା ଯୋଗୁ ଏହି ବିରଳ ସଫଳତା ମିଳିଛି । ୧୧ ତମ ରାଜ୍ୟଭାବେ ଓଡ଼ିଶାରେ କାଡାଭାରିକ୍ କିଡ୍ନି ପ୍ରତିରୋପଣ ସଫଳ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗକୁ ଏହାକୁ ବହୁଳ ଭାବେ କରିବା ପାଇଁ ଯୋଜନା ରହିଛି । ଏ ନେଇ ପ୍ରଚେଷ୍ଟା ଜାରି ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons