ପ୍ରେମିକାକୁ ଗୁଳି:ପ୍ରେମିକ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟେଡି ଡେ’ରେ ବାନ୍ଧବୀଙ୍କ ସହ ମସ୍ତି କରିବାକୁ ଆସିଥିଲେ । ମର୍ଦ୍ଧାଙ୍ଗି ଦେଖାଇବାକୁ ଲୋଡେଡ୍ ବନ୍ଧୁକ ବି ଆଣିଥିଲେ । ବାନ୍ଧବୀଙ୍କ ଶରୀରରେ ବନ୍ଧୁକ ବୁଲାଉ ବୁଲାଉ ଟ୍ରିଗର ଦବିଗଲା । ଗୁଳି ବାନ୍ଧବୀଙ୍କ ଗୋଟିଏ ଜଙ୍ଘରେ ଗଳି ଆର ଜଙ୍ଘକୁ ଭେଦିଗଲା । ହଠାତ୍ ଏଭଳି ଆକସ୍ମିକ ଦୁର୍ଘଟଣାରେ ପ୍ରେମ ପାଣି ଫାଟିଗଲା । ଏଭଳି ଘଟଣାରେ ଗୁରୁତର ଆହତ ପ୍ରେମିକା ଡାକ୍ତରଖାନାରେ ଆଉ ପ୍ରେମିକ ସିଧା ଜେଲଖାନାରେ । ପ୍ରେମିକା ହେଲେ ଏନ୍ଆଇଏଫ୍ଟିରେ ପଢ଼ୁଥିବା ବାଲେଶ୍ୱରର ଛାତ୍ରୀ ସୋନାଲି ଦାସ ଓ ପ୍ରେମିକର ନାମ ଆଶିଷ ନାୟକ ।
ଭାଲେଣ୍ଟାଇନ୍ ଡେ ପାଳନ ଅବସରରେ ଏଭଳି ଅଭାବନୀୟ ଘଟଣା ଘଟିଛି ଇନ୍ଫୋସିଟି ଥାନା ଶିଶୁବିହାର ଅଞ୍ଚଳରେ । ଗିରଫ ପ୍ରେମିକ ଆଶିଷଙ୍କ ନାମରେ ରହିଛି ମାଳମାଳ ମାମଲା । ଆଶିଷ ଜାଣିଶୁଣି ଗୁଳି ଫୁଟାଇଛି ନା ଅକସ୍ମାତ ଗୁଳି ଫୁଟିଛି ତାକୁ ନେଇ ପୁଲିସ ତନାଘନା କରୁଛି । ସେପଟେ ଗୁଳିରେ ଆହତ ସୋନାଲିଙ୍କ ଖର୍ଚ୍ଚ ବାବଦକୁ କମିଶନରେଟ୍ ପୁଲିସ ୨୫ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଇଛି ବୋଲି କମିଶନର ଡ. ସୁଧାଶୁ ଷଡଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ସୋନାଲି ଶିଶୁବିହାର ଘର ଭଡ଼ା ନେଇ ରହୁଛନ୍ତି । ସେ ଏନ୍ଆଇଏଫ୍ଟିରେ ପଢ଼ନ୍ତି । ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି । ସୋମବାର ଟେଡି-ଡେ’ ଥିବାରୁ ସକାଳେ ଆଶିଷ ଓ ସୋନାଲି ଉଭୟେ ମଉଜ ମସ୍ତି କରିବାକୁ ଯୋଜନା କରିଥିଲେ । ଅପରାହ୍ଣ ସାଢେ଼ ୧ଟା ବେଳେ ସୋନାଲିଙ୍କ ରୁମ୍କୁ ଯାଇଥିଲେ ଆଶିଷ । ସେପଟେ ଆଶିଷ ସବୁବେଳେ ଚୋରା ବନ୍ଧୁକ ଧରି ବୁଲନ୍ତି । ସୋନାଲିଙ୍କ ରୁମ୍କୁ ଯିବା ବେଳେ ମଧ୍ୟ ବନ୍ଧୁକ ଧରି ଯାଇଥିଲେ ଅଭିଯୁକ୍ତ ଆଶିଷ । ରୁମ୍ ଭିତରେ ବନ୍ଧୁକ ସହ ଖେଳୁଥିବା ବେଳେ ହଠାତ୍ ଗୁଳି ଫୁଟି ଯାଇଥିଲା । ଫଳରେ ଗୁଳି ସୋନାଲିଙ୍କ ଡାହାଣ ଜଙ୍ଘ ଦେଇ ବାମ ଜଙ୍ଘରେ ପଶି ଯାଇଥିଲା । ଏହାପରେ ସୋନାଲି ଚେତା ହରାଇ ଥିଲେ । ୨ ଟା ୩୦ ସମୟରେ ଆଶିଷ ଓ ତାଙ୍କ ୨ଜଣ ବନ୍ଧୁ ତାଙ୍କୁ ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍ କର୍ତ୍ତୃପକ୍ଷ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ । ଏହି ଖବର ପୁଲିସ ଜାଣିବା ପରେ ଆରମ୍ଭ ହୋଇଥିଲା ତନାଘନା । ପୁଲିସ୍ ଜାଣିବାକୁ ପାଇଥିଲା ଆଶିଷ ରଖିଥିବା ଚୋରା ବନ୍ଧୁକରୁ ଗୁଳି ଫୁଟିଛି । ତେଣୁ ପୁଲିସ୍ ଆଶିଷଙ୍କୁ ଗିରଫ କରି ସୋନାଲି ରହୁଥିବା ରୁମ୍କୁ ନେଇଥିଲା । ସେଠାରେ ଅଭିଯୁକ୍ତ ଆଶିଷ ପୁଲିସ୍କୁ ଡେମୋ ଦେଖାଇଥିଲା । ଡିସିପି ଅନୁପ ସାହୁ ଓ ସ୍ପେଶାଲ୍ ସ୍କ୍ୱାଡ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ । ସେପଟେ ଅଭିଯୁକ୍ତଙ୍କ ବନ୍ଧୁକ ପୁଲିସ ଏଯାଏ ପାଇନି । ଜୋନ୍ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ଙ୍କୁ ଘଟଣା ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି ।
ଗୁଳିକାଣ୍ଡର କୌଣସି କାରଣ ନଥିବା ଡିସିପି ଅନୁପ ସାହୁ କହିଛନ୍ତି । ରୁମ୍ ଭିତରେ ଆଶିଷ ଓ ସୋନାଲି ବନ୍ଧୁକରେ ଖେଳୁଥିବା ସମୟରେ ଗୁଳି ଫୁଟିଥିଲା । ଆଶିଷ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଡିସିପି ଶ୍ରୀ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons