୨୪ରେ ଭାରତ ଗସ୍ତରେ ଆସିବେ ଟ୍ରମ୍ପ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ପତ୍ନୀ ମେଲାନିଆ ବି ତାଙ୍କ ସହ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ । ମଙ୍ଗଳବାର ହ୍ୱାଇଟହାଉସ ତରଫରୁ ଏହି ଘୋଷଣା କରାଯାଇଛି । ହ୍ୱାଇଟହାଉସ ତରଫରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି କି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭାରତରେ ବିଭିନ୍ନ ବର୍ଗର ନେତୃବୃନ୍ଦଙ୍କ ସହିତ ବିଚାରବିମର୍ଶ କରିବେ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯାଇଥିଲାବେଳେ ଟ୍ରମ୍ପଙ୍କୁ ସପରିବାର ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । କୁହାଯାଉଛି କି ଟ୍ରମ୍ପ ନିଜର ଗସ୍ତ ସମୟରେ ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘ କେମ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ଆମେରିକାରେ ରହୁଥିବା ଅନେକ ପ୍ରବାସୀ ଭାରତୀୟ ନାଗରିକ ବିଶେଷ କରି ଗୁଜରାଟ ସମୁଦାୟ ସାମିଲ ହେବେ । ଟ୍ରମ୍ପ ଏହି କାର୍ଯ୍ୟକ୍ରମ ଜରିଆରେ ଆମେରିକାରେ ଚଳିତ ବର୍ଷ ଶେଷ ଭାଗ ଆଡକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରବାସୀ ଭାରତୀୟ ସମୁଦାୟଙ୍କ ସମର୍ଥନ ହାସଲ କରିବାକୁ ପ୍ରୟାସ କରିବେ । ସେ ମଧ୍ୟ ସାବରମତୀ ରିଭରଫ୍ରଣ୍ଟ ପରିଦର୍ଶନ କରିବେ । ଏହି ଗସ୍ତ ସମୟରେ ଦୁଇ ଦେଶ ଭିତରେ ବାଣିଜ୍ୟ ଏବଂ ପ୍ରତିରକ୍ଷା ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।
ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଭାରତ ସରକାର ଆମେରିକୀୟ କଂପାନି ଲକହିଡ ମାର୍ଟିନ ଠାରୁ ୨.୬ ବିଲିୟନ ଡଲାର ମୂଲ୍ୟର ୨୪ଟି ଏମଏଚ-୬୦ ଆର ସିହକ୍ ହେଲିକପ୍ଟର କ୍ରୟ କରିବା ପ୍ରସ୍ତାବକୁ ମଂଜୁରି ଦେଇପାରନ୍ତି । ଆମେରିକା ମଧ୍ୟ ଭାରତକୁ ୧.୮୬ ବିଲିୟନ ଡଲାର ମୂଲ୍ୟ ବିନିମୟରେ ସମନ୍ୱିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ( ନ୍ୟାସନାଲ ଆଡଭାନ୍ସଡ ସରଫେସ ଟୁ ଏୟାର ମିସାଇଲ ସିଷ୍ଟମ-୨ ଅଥବା ନାସାମସ-୨) ବିକ୍ରି କରିବା ପ୍ରସ୍ତାବକୁ ସ୍ୱୀକୃତି ଦେଇଛି । ଆମେରିକାର ବିଦେଶ ବିଭାଗ ସୋମବାର ସେଠାକାର କଂଗ୍ରେସକୁ ଏନେଇ ସୂଚନା ଦେଇଛି । ଏହି ପ୍ରଣାଳୀ ଅଧୀନରେ ଆମେରିକା ଭାରତକୁ ଷ୍ଟିଙ୍ଗର ସରଫେସ ଟୁ ଏୟାର ମିସାଇଲ,ଗନ ସିଷ୍ଟମ, ଏଆଇଏମ-୧୨୦ସି-ଆମରାମ ମିସାଇଲ, ସେଣ୍ଟିନେଲ ରାଡାର, ଫାୟାର ଡିଷ୍ଟ୍ରିବୁ୍ୟସନ ସେଣ୍ଟର ,କମାଣ୍ଡ ଏଣ୍ଡ କଣ୍ଟେ୍ରାଲ ଆଦି ଯୋଗାଇବ । ଏହି ପ୍ରଣାଳୀ ମୁତୟନ କରିବା ଦ୍ୱାରା ଦିଲ୍ଲୀ ଉପରେ ଆକାଶମାର୍ଗରୁ ଆସୁଥିବା ବିପଦକୁ ଏଡାଇ ହେବ ।
ଟ୍ରମ୍ପଙ୍କ ପ୍ରସ୍ତାବିତ ଗସ୍ତ ନେଇ ହ୍ୱାଇଟହାଉସର ଘୋଷଣା ଉପରେ ପ୍ରତିକ୍ରିୟା ଦେଇ ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିବେ ଏବଂ ଏହାଯୋଗୁ ଉଭୟ ଦେଶ ମଧ୍ୟରେ ଥିବା ସାମରିକ ଭାଗିଦାରୀ ଆହୁରି ମଜଭୁତ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons