ଆପ୍ର ହାଟି୍ରକ୍ ବିଜୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ପୁଣିଥରେ କ୍ଷମତାସୀନ ହୋଇଛି । ବିଧାନସଭା ନିର୍ବାଚନରେ ଆପ୍କୁ ପ୍ରଚଣ୍ଡ ବହୁମତ ମିଳିଛି । ଫଳରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାନସଭାର ମୋଟ ୭୦ ଆସନରୁ ଆପ୍ ୬୩ଟି ଆସନରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟାଗରିÂତା ହାସଲ କରିଛି । ବିଜେପି ୭ଟି ଆସନ ପାଇଥିଲା ବେଳେ କଂଗ୍ରେସ ଗତ ନିର୍ବାଚନ ଭଳି ଏଥର ମଧ୍ୟ ଆଦୌ ଖାତା ଖୋଲିପାରିନାହିଁ । ୨୦୧୫ ନିର୍ବାଚନ ଅପେକ୍ଷା ଆପ୍ର ୪ଟି ଆସନ କମିଥିଲା ବେଳେ ବିଜେପିର ୪ଟି ଆସନ ବଢ଼ିଛି । ଫଳାଫଳ ପ୍ରକାଶ ପରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବିଧାନସଭାକୁ ଭଙ୍ଗ କରିଛନ୍ତି ।
ଗତ ୫ ବର୍ଷ ଭିତରେ ଆପ୍ ସରକାର କରିଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକୁ ଆଧାର କରି ଲୋକଙ୍କ ପାଖରେ ପହଞ୍ଚôଥିଲା । ଏପରିକି ପ୍ରଚାର ବେଳେ କେଜ୍ରିୱାଲ ଦିଲ୍ଲୀର ଜନତାଙ୍କୁ କହିଥିଲେ କି ସେମାନେ ତାଙ୍କ ଦଳକୁ ନୁହେଁ, ବରଂ କାମକୁ ଦେଖି ଭୋଟ ଦିଅନ୍ତୁ । ଯେଉଁ ଦଳ ସେମାନଙ୍କ ପାଇଁ କାମ କରିଛି ତାକୁ ସେମାନେ ଭୋଟ ଦିଅନ୍ତୁ । ଯାହାଫଳରେ ଦିଲ୍ଲୀବାସୀ ଆପ୍ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି । ପ୍ରକୃତରେ ଗତ ୫ ବର୍ଷ ଭିତରେ ଆପ୍ ସରକାର ଘରୋଇ ସ୍କୁଲ ଫି’ ଉପରେ ଲଗାମ ଲଗାଇବା ସହ ସରକାରୀ ସ୍କୁଲଗୁଡ଼ିକର ଯଥେଷ୍ଟ ଉନ୍ନତି କରାଇଥିଲେ । ଲୋକଙ୍କୁ ମାଗଣା ବିଜୁଳି ଓ ପାଣି ଯୋଗାଇବା ସହ ମୋହଲା କ୍ଲିନିକ ପ୍ରତିÂା କରିବାରେ ସକ୍ଷମ ହୋଇଥିଲେ । ଏଥିସହ ମହିଳାଙ୍କୁ ଡିଟିସି ବସ୍ରେ ମାଗଣା ଯାତ୍ରା କରିବାର ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ ।
ଆପ୍ର ବିଜୟ ପରେ ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ବଧାଇ ଜଣାଇବା ସହ ଏହା ଦିଲ୍ଲୀବାସୀଙ୍କ ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀର ଜନତା ଅସମ୍ଭବକୁ ସମ୍ଭବ କରିଛନ୍ତି । ସେମାନେ ଆଜି ଏକ ନୂଆ ପ୍ରକାର ରାଜନୀତିକୁ ଜନ୍ମ ଦେଇଛନ୍ତି । ତାହା ହେଉଛି କାମର ରାଜନୀତି । ଅର୍ଥାତ ଯେଉଁ ଦଳ ଲୋକଙ୍କ କଲ୍ୟାଣ ପାଇଁ ଓ ଲୋକଙ୍କ ସୁବିଧା ପାଇଁ କାମ କରିବ ସେହି ଦଳ ହିଁ ନିର୍ବାଚନରେ ବିଜୟୀ ହେବ । ଏହା ଭାରତ ମାତାର ବିଜୟ ବୋଲି କେଜ୍ରିୱାଲ କହିଛନ୍ତି ।
ଆପ୍ ମୁଖ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ବିଜୟ ଉତ୍ସବ ମନାଇଛନ୍ତି । ସେଠାରେ ଧଳା ଓ ନୀଳ ରଙ୍ଗର ବେଲୁନ ଉଡ଼ାଇବା ସହ ଅବିରର ହୋଲି ମଧ୍ୟ ଖେଳିଛନ୍ତି । କେଜ୍ରିୱାଲଙ୍କ ପାଇଁ ଆଜି ଦିନଟି ହେଉଛି ଦୁଇଗୁଣ ଉତ୍ସବର ଦିନ । ନିର୍ବାଚନରେ ଦଳର ବିପୁଳ ବିଜୟ ହୋଇଥିଲା ବେଳେ ପତ୍ନୀ ସୁନିତାଙ୍କର ଆଜି ମଧ୍ୟ ଜନ୍ମଦିନ । କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନୀଲ କୁମାର ଯାଦବଙ୍କୁ ହରାଇ ବିଜୟଲାଭ ଦେଇଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପତପରଗଞ୍ଜ ଆସନରେ ବିଜେପି ପ୍ରାର୍ଥୀ ରବି ନେଗୀଙ୍କ ସହ କଡ଼ା ମୁକାବିଲାରେ ଜିତିଛନ୍ତି ।
ଆପ୍ର ବିପୁଳ ବିଜୟ ପରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପିକୁ ଶକ୍ତ ଝଟ୍କା ଲାଗିଛି । ଦିଲ୍ଲୀ ବିଜେପି ଶାଖା ମୁଖ୍ୟ ମନୋଜ ତିୱାରୀ ଜନାଦେଶକୁ ସ୍ୱୀକାର କରିଛନ୍ତି । କହିଛନ୍ତି ବିଜେପିର କର୍ମୀମାନେ ବହୁ ପରିଶ୍ରମ କରିଥିଲେ । ଦିଲ୍ଲୀର ଜନତା ଯେଉଁ ରାୟ ଦେଇଛନ୍ତି ତାକୁ ସେ ଗ୍ରହଣ କରୁଛନ୍ତି । ଏଥିସହିତ ସେ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ଦିଲ୍ଲୀବାସୀଙ୍କ ରାୟକୁ ବିଜେପି ସମ୍ମାନର ସହ ଗ୍ରହଣ କରୁଛି । ବିଧାନସଭାରେ ବିଜେପି ଏକ ଗଠନମୂଳକ ବିରୋଧୀ ଦଳର ଭୂମିକା ତୁଲାଇବ ଏବଂ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ।
ଏହି ନିର୍ବାଚନରେ ବିଜେପି ପରାଜିତ ହୋଇଥିଲେ ମଧ୍ୟ ଭୋଟ ପ୍ରତିଶତ ଆଖିଦୃଶିଆ ବୃଦ୍ଧି ହୋଇଛି । ୨୦୧୫ ବିଧାନସଭା ନିର୍ବାଚନରେ ଦଳକୁ ୩୨ଧ ଭୋଟ ମିଳିଥିବା ବେଳେ ଚଳିତ ନିର୍ବାଚନରେ ତାହା ୪୦ଧକୁ ବୃଦ୍ଧି ପାଇଛି ।
ଅପରପକ୍ଷରେ, କଂଗ୍ରେସକୁ ମାତ୍ର ୫ ଧ ଭୋଟ ମିଳିଛି । କଂଗ୍ରେସର ୬୩ ଜଣ ପ୍ରାର୍ଥୀ ସେମାନଙ୍କର ଅମାନତ ହରାଇଛନ୍ତି । ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ସୁଭାଷ ଚୋପ୍ରା ଦଳର ପରାଜୟ ସ୍ୱୀକାର କରିଛନ୍ତି । ଏଥିସହ ଦିଲ୍ଲୀବାସୀଙ୍କ ରାୟକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ଏହି ନିର୍ବାଚନରେ କଂଗ୍ରେସର କିଛି ଦୋଷଦୁର୍ବଳତା ରହିଗଲା । ଯେଉଁଥିପାଇଁ ଏଭଳି ଫଳାଫଳ ଆସିଲା । ତେବେ କଂଗ୍ରେସ ଲୋକଙ୍କ ପାଇଁ କାମ କରିବା ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥିସହିତ ସେ ଆପ୍କୁ ଏକ ଦଳ ଭାବେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କହିଛନ୍ତି ଆପ୍ ହେଉଛି ବିଜେପିର ବି-ଟିମ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons