ଓଡ଼ିଆ ପ୍ରଶ୍ନପତ୍ର ଲିକ୍, ଭାଇରାଲ୍!

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସବୁ ବାହାସ୍ଫୋଟ ଚୂର୍ମାର୍ । ସବୁ ପ୍ରସ୍ତୁତି, ରଣନୀତି ଧୂଳିସାତ୍ । ବିଭ୍ରାଟ, ଲିକ୍ ଓ ଭାଇରାଲ୍ରୁ ହିଁ ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ପ୍ରଥମ ଦିନରେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ଘଣ୍ଟାକ ପରେ, ମାତୃଭାଷା ଓଡ଼ିଆର ‘ବି’ ସେଟ୍ ପ୍ରଶ୍ନପତ୍ର ଆଜି ଲିକ୍ ହୋଇଥିଲା କୌଣସି ଏକ ପରୀକ୍ଷାକେନ୍ଦ୍ରରୁ । ତା’ପରେ ସୋସିଆଲ୍ ମିଡିଆରେ ଫୋନ୍ରୁ ଫୋନ୍କୁ ଘୂରି ବୁଲିଥିଲା ଉକ୍ତ ପ୍ରଶ୍ନପତ୍ର ।
ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଖବର ଫୁଟିଆରା ହେବା ପରେ, ଏକରକମ ଚାଞ୍ଚଲ୍ୟ ଖେଳିଯାଇଛି ସାରା ରାଜ୍ୟରେ । ପ୍ରଶ୍ନ ପ୍ରଘଟ ହୋଇଥିବାର ଆଶଙ୍କା ବି ଜଳଜଳ କରୁଛି ସବୁ ମହଲରେ । ଉପରନ୍ତୁ, ପରୀକ୍ଷା ପରିଚାଳନାରେ ବୋର୍ଡ କର୍ତ୍ତୃପକ୍ଷ ଯେ କେତେ ବେପରବାୟ ଓ ବେଫିକର୍, ପ୍ରଶ୍ନପତ୍ର ଲିକ୍କୁ ରୋକିବାରେ ସରକାରୀ କଳର ତମାମ୍ ବ୍ୟବସ୍ଥା ଯେ କେତେ ଅପାରଗ, ତାହାର ପ୍ରମାଣ ବି ହାତାହାତି ମିଳିଯାଇଛି ।
ଖାସ୍ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ଆଶଙ୍କାକୁ ରୋକିବା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପୂର୍ବରୁ ତୁହାକୁତୁହା ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ଯୋଜନା ବନାଯାଇଥିଲା । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ଉତ୍ତରଖାତାରେ ସିକୁ୍ୟରିଟି କୋଡ୍ ଓ ପ୍ରଶ୍ନରେ ଡିଜିଟାଲ ଲକ୍ର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ କେନ୍ଦ୍ରମାନଙ୍କରେ ସିସିଟିଭି ଖଞ୍ଜା ଯାଇଥିଲା । ସବୁ ସତ୍ତେ୍ୱ ଆଜି ପରୀକ୍ଷାର ପ୍ରଥମ ଦିନରେ କିନ୍ତୁ ଓଡ଼ିଆ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଲିକ୍ ହୋଇ ଭାଇରାଲ୍ ହୋଇଥିଲା । ଗତ ତିନି ବର୍ଷ ଧରି ପ୍ରଶ୍ନପତ୍ର ଏପରି ଲିକ୍, ଭାଇରାଲ୍ ହେଉଥିବା ବେଳେ ଗତବର୍ଷ ଆରମ୍ଭରୁ ଶେଷଯାଏ ପ୍ରାୟ ସବୁ ବିଷୟର ପ୍ରଶ୍ନ ଭାଇରାଲ୍ ହୋଇଥିଲା ।
ତେବେ ପରୀକ୍ଷା ପରିଚାଳନାକାରୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଚିରାଚରିତ ରୀତିରେ ଏଥର ମଧ୍ୟ ଲିକ୍ ଓ ଭାଇରାଲ୍ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ପରୀକ୍ଷା ସରିବା ପରେ ଆଜି ପ୍ରଶ୍ନ ଭାଇରାଲ୍ ହୋଇଛି ଓ ତାହାକୁ ଲିକ୍ ବା ଭାଇରାଲ୍ କୁହାଯିବ ନାହିଁ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସଫେଇ ଦେଇଛନ୍ତି । ଭାଇରାଲ୍ ହୋଇଥିବା ଓଡ଼ିଆ ପ୍ରଶ୍ନର ‘ବି’ ସେଟ୍ ସହିତ ପରୀକ୍ଷା ହୋଇଥିବା ‘ବି’ ସେଟ୍ ମେଳ ଖାଉନଥିବା କଥା ମଧ୍ୟ ଶ୍ରୀ ହାଜରା କହିଛନ୍ତି । ଅପରପକ୍ଷରେ, ଭାଇରାଲ୍ ସେଟ୍ ପ୍ରଶ୍ନପତ୍ର ସହ ମୂଳ ପ୍ରଶ୍ନର ଶତପ୍ରତିଶତ ସାମଞ୍ଜସ୍ୟ ଥିବା ଅଭିଯୋଗ ଆସିଛି । ଅନେକ ପରୀକ୍ଷାର୍ଥୀ ଏକଥା ଖୋଲାଖୋଲି କହିବା ପରେ ଗଣମାଧ୍ୟମର ଚାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଭାଇରାଲ୍ ଅଭିଯୋଗକୁ ବୋର୍ଡ କର୍ତ୍ତୃପକ୍ଷ ‘ନା’ କହିବା ଓ ମନ୍ତ୍ରୀ ‘ହଁ’ ଭରି ତଦନ୍ତ କରିବାକୁ କହିବା ଘଟଣା ନୂଆ ଏକ ବିତର୍କକୁ ବି ଜନ୍ମ ଦେଇଛି ।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ୫ ଲକ୍ଷ ୪୭ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ସାମିଲ୍ ଅଛନ୍ତି । ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାରେ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରା ପଡ଼ି ୬୯ ଜଣ ଛାତ୍ରଛାତ୍ରୀ ମାଲ୍ପ୍ରାକ୍ଟିସ୍ (ଏମ୍ପି)ରେ ବୁକ୍ ହୋଇଛନ୍ତି । ସେହିପରି ମଧ୍ୟମାରେ ୩ ହଜାର ୩୩୭ ଜଣ ଛାତ୍ରଛାତ୍ରୀ ସଂସ୍କୃତ ବ୍ୟାକରଣ ପରୀକ୍ଷା ଦେଇଥିବା ବେଳେ କପି କରି ଜଣେ ଛାତ୍ର ଏମ୍ପିରେ ବୁକ୍ ହୋଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ର ୯ ହଜାର ୭୭୧ ଜଣ ଇଂରାଜୀ ପରୀକ୍ଷା ଦେଇଥିବା ବେଳେ କପି କରି ୪୪ ଜଣ ଛାତ୍ରଛାତ୍ରୀ ଏମ୍ପିରେ ବୁକ୍ ହୋଇଛନ୍ତି । ଏହିପରି ଭାବେ ମାଟ୍ରିକ୍, ମଧ୍ୟମା ଓ ଏସ୍ଓଏସ୍ସି ପରୀକ୍ଷାରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ଏମ୍ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ରାଧାନାଥ ହାଇସ୍କୁଲର ଜଣେ ଛାତ୍ର କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ିବା ପରେ ସେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିଛି । ତାଙ୍କୁ ଏମ୍ପିରେ ବୁକ୍ କରି ପରୀକ୍ଷାକୁ ବାଦ୍ ଦିଆଯାଇଥିବା ସୂଚନା ମିଳିଛି । ଆଜି ସକାଳ ୯ଟାରେ ଛାତ୍ରଛାତ୍ରୀମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବା ପରେ ୯ଟା ୪୫ରେ ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପ୍ରଶ୍ନ କମ୍ ଉତ୍ତର ବୁକ୍ଲେଟ୍ ଦିଆଯାଇଥିଲା । ଠିକ୍ ୧୦ଟାରେ ଅବ୍ଜେକ୍ଟିଭ୍ ପରୀକ୍ଷା ଆରମ୍ଭ ହୋଇ ୧୧ଟାରେ ଶେଷ ହୋଇଥିଲା । ଏହାପରେ ସବ୍ଜେକ୍ଟିଭ୍ ପରୀକ୍ଷା ଆରମ୍ଭ ହୋଇଥିଲା । କିନ୍ତୁ ସାଢେ଼ ୧୧ଟା ବେଳକୁ କଳାହାଣ୍ଡି ଧର୍ମଗଡ଼ର ଏକ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇ ଫୋନ୍ରୁ ଫୋନ୍କୁ ଘୂରିବୁଲିଥିଲା । ଏହାପରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ପୁଣି ପ୍ରଶ୍ନ ଲିକ୍ ହୋଇ ଭାଇରାଲ ହୋଇଥିଲା । ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଅସ୍ୱୀକାର କରିଥିଲେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଏସବୁ ବେକାର ଓ ଫେଲ୍ ସାବ୍ୟସ୍ତ ହୋଇଛି । ଯାହାଫଳରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଆ ପ୍ରଶ୍ନ ଲିକ୍ ହୋଇ ଭାଇରାଲ୍ ହୋଇଥିବା କୁହାଯାଉଛି । ଏହା ବୋର୍ଡ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଇଂରାଜୀ ପରୀକ୍ଷାରେ କଣ ହେଉଛି ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି । ପରୀକ୍ଷା କେନ୍ଦ୍ରମାନଙ୍କରେ ଦେଖାଦେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏକ କଣ୍ଟେ୍ରାଲ ରୁମ୍ ଖୋଲାଯାଇଛି । ଆବଶ୍ୟକସ୍ଥଳେ ୦୬୭୧-୨୪୧୨୦୫୯/୨୪୧୨୦୬୦ ନମ୍ବରରେ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons