ହାତଲେଖା ଆଡ୍ମିଟ୍ କାର୍ଡରେ ପରୀକ୍ଷା ଦେଲେ ମଣ୍ଟୁ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଆଡ୍ମିଟ୍ କାର୍ଡରେ ତ୍ରୁଟି ଦେଖିବା ସହ ବିଭିନ୍ନ ଆଡୁ ନିରାଶ ହେବା ପରେ ପରୀକ୍ଷା ଦେବା ଆଶା ଏକପ୍ରକାର ଛାଡ଼ି ଦେଇଥିଲେ କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତଶାସନର ଛାତ୍ର ମଣ୍ଟୁ ମଲିକ । ଶେଷରେ ଅନ୍ୟ କିଛି ଉପାୟ ନପାଇ ତ୍ରୁଟିପୂର୍ଣ୍ଣ ଆଡମିଟ୍ କାର୍ଡ ଲାଗି ପ୍ରଧାନଶିକ୍ଷକଙ୍କୁ ଦାୟୀ କରି ତାଙ୍କ ନାଁରେ ନିକିରାଇ ଥାନାରେ ଏତଲା ଦେଇଥିଲେ । ଏକଥା ଗଣମାଧ୍ୟମର ନଜରକୁ ଆସିବା ପରେ ପ୍ରଶାସନର ଦୋଷ, ଦୁର୍ବଳତା ପଦାକୁ ଆସିଥିଲା । ତେବେ ଗଣମାଧ୍ୟମର ଚାପ ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ଅନୁମତି ବଳରେ ମଣ୍ଟୁ ଆଜି ପରୀକ୍ଷା ଦେବାକୁ ସମର୍ଥ ହୋଇପାରିଛନ୍ତି । ନବନିଯୁକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହଙ୍କ ହସ୍ତକ୍ଷେପ ପରେ ମଣ୍ଟୁଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଏକ ନୂତନ ରୋଲ୍ ନଂ. ପ୍ରଦାନ କରିଛନ୍ତି । ଏହି ନୂତନ ରୋଲ୍ ନଂ.ରେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ଏକ ହାତଲେଖା ଆଡମିଟ୍ କାର୍ଡ ପ୍ରଦାନ କରିଥିଲେ । ଏହି ହାତଲେଖା ଆଡ୍ମିଟ୍ କାର୍ଡ ପାଇବା ପରେ ମଣ୍ଟୁ ଇନ୍ଦୁପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେବାକୁ ସମର୍ଥ ହୋଇଛନ୍ତି । ଆଗରୁ ତାଙ୍କ ରୋଲ୍ ନଂ. ୦୭୮ଏସି୦୦୫୪ ଥିବାବେଳେ ତାହାକୁ ବଦଳାଯାଇ ୦୭୮ଏସି୧୯୮ କରାଯାଇଛି । ଅନ୍ୟ ସହପାଠୀଙ୍କ ସହ ସେ ଆଜି ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିବସରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଥିଲେ । ପରୀକ୍ଷା ବେଶ ଭଲ ହୋଇଥିବା କହିଛନ୍ତି ।
ଉଲ୍ଲେଖନୀୟ, ନିକିରାଇ ଥାନା ଅଧୀନ କେନ୍ଦ୍ରାପଡ଼ା ବ୍ଲକ୍ର ଇନ୍ଦୁପୁର ନିକଟସ୍ଥ ଧୂମାତଠାରେ ଥିବା ରାଧାଗୋବିନ୍ଦ ଉଚ୍ଚ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲିକ ଚଳିତ ବର୍ଷ ମାଟି୍ରକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ । ମାତ୍ର ୧୪ ତାରିଖରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ସଂଗ୍ରହ କରିଥିଲେ ବି ମଣ୍ଟୁଙ୍କ ଆଡମିଟ୍ କାର୍ଡ ତ୍ରୁଟିପୂର୍ଣ୍ଣ ଥିବାରୁ ସେ ତାହା ନପାଇ ଫେରିଥିଲେ । ତାଙ୍କ ଆଡମିଟ୍ କାର୍ଡରେ ବିଦ୍ୟାଳୟରେ ପଢ଼ୁଥିବା ଆଉ ଜଣେ ମଣ୍ଟୁ ମଲ୍ଲିକଙ୍କ ବାପା ଓ ମା’ଙ୍କ ନାମ ମୁଦ୍ରିତ ହୋଇଥିଲା । ତ୍ରୁଟିପୂର୍ଣ୍ଣ ଆଡମିଟ୍ କାର୍ଡ ଯୋଗୁଁ ମଣ୍ଟୁ ଆଉ ପରୀକ୍ଷା ଦେଇ ପାରିବେନି ସେ ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ବୋଲି ପ୍ରଧାନଶିକ୍ଷକ କହିଥିଲେ । ନିରାଶ ହେବାପରେ ଆତ୍ମହତ୍ୟା ଧମକ ବି ଦେଇଥିଲେ ମଣ୍ଟୁ । ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଣ୍ଟୁଙ୍କ ପରୀକ୍ଷା ଦେବା ଲାଗି ବାଟ ଫିଟିଥିଲା । ଶେଷରେ ରାଧାଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ସଞ୍ଜୀବ ସିଂହଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ । ପରେ ଡିଇଓ ସମସ୍ତ ଘଟଣା ବାବଦରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ପରିଷଦ ମଣ୍ଟୁଙ୍କ ନାମରେ ଏକ ନୂତନ ରୋଲ ନଂ. ଅନୁମୋଦନ କରିବା ସହ ମଣ୍ଟୁଙ୍କୁ ପ୍ରଧାନଶିକ୍ଷକ ଉକ୍ତ ନୂତନ ରୋଲ୍ ନଂ. ଅନୁସାରେ ଏକ ହାତଲେଖା ଆଡମିଟ୍ କାର୍ଡ ଦେଇପାରିବେ ବୋଲି ଲିଖିତ ଅନୁମତି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons