ମା’ଙ୍କୁ କାନ୍ଧରେ ବୋହି ଶିବ ଦର୍ଶନ କରାଇଲେ ପୁଅ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଶ୍ରବଣ କୁମାର-ପୁରାଣର ସର୍ବ ପ୍ରଶଂସିତ ଚରିତ୍ର । ନିଜ ଅନ୍ଧ ବାପା-ମା’ଙ୍କୁ ଭାର କରି କାନ୍ଧରେ ବୋହିଥିଲେ । ପରବର୍ତ୍ତି ସମୟରେ ଭାରତୀୟ ସଂସ୍କୃତିରେ ସେ ଅନନ୍ୟ ଉଦାହହଣ ପାଲଟିଗଲେ । ଠିକ୍ ସେଇଭଳି ଆଉ ଜଣେ ବି ଏମିତି କରିଛନ୍ତି । ଯାହାଙ୍କୁ ଏ ଯୁଗର ଶ୍ରବଣ କୁମାର କୁହାଯାଇ ପାରେ । ବୃଦ୍ଧା ମା’ଙ୍କୁ କାନ୍ଧରେ ବୋହି ଶିବ ଦର୍ଶନ କରାଇଛନ୍ତି ସେ । ଏମିତି ଘଟଣା ଶୁକ୍ରବାର ଖଇରା ବ୍ଲକ ଗଣ୍ଡିବେଡ ନିକଟସ୍ଥ ଚକାପଦା ବାରିଙ୍ଗିଆରେ ଦେଖିବାକୁ ମିଳିଛି । ପୁଅ ନିରଞ୍ଜନ ଜେନା ନିଜ କାନ୍ଧରେ ମାଆ କାଳି ଜେନା (୮୭)ଙ୍କୁ ବୋହି ସ୍ଥାନୀୟ ଲଙ୍କେଶ୍ୱର ପୀଠକୁ ଆଣିଥିଲେ । ଏହା କେବଳ ଆଜି ନୁହେଁ, ଏମିତି ଦୀର୍ଘ ୧୦ ବର୍ଷ ଧରି କାନ୍ଧରେ ମାଆ କାଳିଙ୍କୁ ନେଇ ପୁଅ ନିରଞ୍ଜନ ବିଭିନ୍ନ ପର୍ବପର୍ବାଣୀ ବୁଲାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନା ଅନୁସାରେ, ବାରିଙ୍ଗିଆ ଗ୍ରାମର କୃଷ୍ଣଚନ୍ଦ୍ର ଜେନାଙ୍କ ସ୍ତ୍ରୀ କାଳି । ତାଙ୍କର ନିରଞ୍ଜନ, ବିଦ୍ୟାଧର ନାମରେ ୨ ପୁଅ ଅଛନ୍ତି । ସାନ ପୁଅ ବିଦ୍ୟାଧର କଲିକତାରେ କେଉଁ ଘରୋଇ ସଂସ୍ଥାରେ କାମ କରନ୍ତି । ବଡ଼ ପୁଅ ଗାଁ’ରେ ରହନ୍ତି । ତାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ । ତେବେ କାଳି ପିଲାଦିନରୁ ଦିଅଁ ଦେବତାକୁ ପୂଜାର୍ଚ୍ଚନା କରନ୍ତି । ପୂର୍ବରୁ ବିଭିନ୍ନ ପର୍ବ ପର୍ବାଣୀରେ ନିଜେ ଠାକୁର ଦର୍ଶନ କରୁଥିଲେ । ମାତ୍ର ୧୦ ବର୍ଷ ତଳେ ତାଙ୍କ ପିଠିର ହାଡ଼ ଭାଙ୍ଗି ଯାଇଥିଲା । ଏହି କାରଣରୁ ସେ ପୂର୍ବ ଭଳି ଚଲାବୁଲା କରିପାରୁ ନଥିଲେ । ଏହା ସତ୍ତେ୍ୱ ଠାକୁରଙ୍କ ପ୍ରତି ତାଙ୍କ ମନରେ ଥିବା ଭକ୍ତିଭାବର କୌଣସି ପରିବର୍ତ୍ତନ ଘଟିନଥିଲା । ପୂର୍ବ ପରି ପୂଜାର୍ଚ୍ଚନା ଜାରି ରଖିଥିଲେ । ଦିଅଁ ଦର୍ଶନ ନ କଲେ ସେ ଅନ୍ନଜଳ ସ୍ପର୍ଶ କରନ୍ତିନି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ନିରଞ୍ଜନ ଗାଡ଼ିରେ ମା’ଙ୍କୁ ବୁଲାଇ ପାରନ୍ତିନି । ହେଲେ ବିଭିନ୍ନ ପର୍ବ ପର୍ବାଣୀରେ ନିଜେ ତାଙ୍କୁ କାନ୍ଧରେ ବୋହି ଦିଅଁ ଦର୍ଶନ କରାଇଥା’ନ୍ତି ।
ଶୁକ୍ରବାର ଥିଲା ମହାଶିବରାତ୍ରି । ଅନ୍ୟମାନଙ୍କ ଭଳି କାଳି ମଧ୍ୟ ଜାଗର ବ୍ରତ କରିଥିଲେ ଓ ଶିବ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ପରିଣତ ବୟସରେ ନିରଞ୍ଜନ ମା’ଙ୍କ ଇଚ୍ଛା ପୂରଣ କରିବାକୁ ତାଙ୍କୁ କାନ୍ଧରେ ବସାଇ ଗାଁ’ଠାରୁ ୫ କିମି ଦୂର ଗଣ୍ଡିବେଡର ଲଙ୍କେଶ୍ୱର ଶିବ ମନ୍ଦିରକୁ ଆଣିଥିଲେ । ଶିବ ଶମ୍ଭୁଙ୍କୁ ଦର୍ଶନ କରାଇବା ପରେ ନିରଞ୍ଜନ ପୁଣି ମାଅ’ଙ୍କୁ କାନ୍ଧରେ ବୋହି ଗାଁ’କୁ ଫେରିଥିଲେ । ଏହି କାମକୁ ନେଇ ନିରଞ୍ଜନ ଦିନ ତମାମ ଚର୍ଚ୍ଚାରେ ରହିଥିଲେ ।
ଏନେଇ କାଳିଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରାଯାଇଥିଲା । ସେମାନେ ମଧ୍ୟ ଏହି କଥାକୁ ସ୍ୱୀକାର କରିଥିଲେ । ସେମାନଙ୍କ କହିବା କଥା, କେବଳ ଶିବରାତ୍ରି ନୁହେଁ, ଦୁର୍ଗା ପୂଜା, କାଳି ପୂଜା କିମ୍ବା ଅନ୍ୟାନ୍ୟ ପୂଜାରେ ନିରଞ୍ଜନ ମା’ କାଳିଙ୍କୁ କାନ୍ଧରେ ବସାଇ ଦିଅଁ ଦର୍ଶନ କରାଇବାକୁ ନେଇଥାନ୍ତି । ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଭଡ଼ାରେ ଗାଡ଼ି ଠିକ୍ କରି ପାରନ୍ତିନି । ଅନ୍ୟ ପଟେ ମା’ଙ୍କ ମନକୁ ବି ଭାଙ୍ଗନ୍ତିନି । ଏହି କାରଣରୁ ଆଖପାଖ ଅଞ୍ଚଳରେ ହେଉଥିବା ସବୁ ପୂଜାପର୍ବାଣୀ ଦେଖାଇବା ପାଇଁ ସେ ମା’ଙ୍କୁ କାନ୍ଧରେ ବସାଇ ନିଅନ୍ତି ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons