ଛତ୍ରପୁର, (ବି.ବି.ନୁ୍ୟଜ୍): ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ନିଶାର୍ଦ୍ଧରେ ଶୋଇଥିôବା ସ୍ତ୍ରୀ ଓ ଝିଅକୁ କଟୁରିରେ ଅମାନୁଷିକ ଭାବେ ହାଣି ହତ୍ୟା । ଏହାର କିଛି ମୁହୂର୍ତ୍ତ ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ । ମଙ୍ଗଳବାର ରାତିରେ ଏଭଳି ଏକ ନାରକୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅନ୍ତର୍ଗତ ଅଗସ୍ତିନୂଆଗାଁ ପଞ୍ଚାୟତ ପାଲିଆ ଛତ୍ରପୁର ଗ୍ରାମ ମଝି ସାହିରେ । ମୃତକ ସ୍ୱାମୀ ବୃନ୍ଦାବନ ବେହେରା(୪୫), ସ୍ତ୍ରୀ ଉର୍ମିଳା ବେହେରା(୪୦) ଓ ଝିଅ ସୁନିତା ବେହେରା(୧୭) । ଆଜି ସକାଳୁ ଖବର ପାଇ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଏସ୍ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି ପ୍ରିୟଷ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛନ୍ତି ଛାନ୍ଭିନ୍ । ସାଇଣ୍ଟିଫିକ୍ ଟିମ୍, ସ୍ନିଫର ଡଗ୍ ଓ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ସହିତ ଆରମ୍ଭ ହୋଇଥିଲା ତଦନ୍ତ । ଘର ଭିତରୁ ତିନୋଟି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଘଟଣା ପ୍ରଘଟ ହେବା ପରେ ସ୍ତବ୍ଧ ହୋଇଯାଇଥିଲା ପାଲିଆ ଛତ୍ରପୁର । ଏହି ଲୋମହର୍ଷଣ ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି । କାନ୍ଦଣାରେ ଫାଟି ପଡ଼ୁଥିଲା ପୂରା ଗାଁ ।
ଘରର ପ୍ରଥମ ବଖରାରେ ପଡ଼ିଥିଲା ରକ୍ତଭିଜା ସ୍ତ୍ରୀ ଓ ଝିଅର ମୃତଦେହ । ଅନ୍ୟ ଏକ ପ୍ରକୋÂରେ ଝୁଲୁଥିଲା ସ୍ୱାମୀଙ୍କ ମରଶରୀର । ବେକରେ ଗାମୁଛା ବାନ୍ଧି ଚଉକି ଉପରେ ଠିଆ ହୋଇଥିବା ଅବସ୍ଥାରେ ଝୁଲୁଥିଲା ମୃତଦେହ । ଚଟାଣରୁ ମିଳିଥିଲା ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା କିଆକଟା କଟୁରି । ଘଟଣାସ୍ଥଳରେ ପହଞ୍ଚିଥିଲା ଅନୁସନ୍ଧାନ କୁକୁର । ପୁଲିସ ତାକୁ ରକ୍ତଭିଜା କଟୁରି ଶୁଙ୍ଘାଇଥିଲେ । ପରେ କୁକୁର ଘର ଭିତରକୁ ଯାଇ ପୁଣି ବାହାରକୁ ଆସିଥିଲା । ଦାଣ୍ଡରେ ବୁଲି ଫେରି ଆସିଥିଲା କୁକୁର । ଫରେନ୍ସିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ସ୍ତ୍ରୀ ଶୋଇଥିବା ସମୟରେ ପ୍ରଥମେ ସ୍ୱାମୀ ବୃନ୍ଦାବନ କଟୁରିରେ ମୁହଁକୁ ଅତି ଜଘନ୍ୟ ଭାବେ ଚୋଟ ପରେ ଚୋଟ ପକାଇଛି । ପତ୍ନୀକୁ ଆକ୍ରମଣ ବେଳେ ପାଖରେ ଶୋଇଥିବା ଝିଅ ଯେତେବେଳେ ଉଠି ପଡ଼ିଛି ସେତେବେଳେ ଝିଅକୁ ମଧ୍ୟ ସେହି କଟୁରିରେ ତା’ ମୁହଁକୁ ଅତି ଜଘନ୍ୟ ଭାବେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି ।
ମୃତକ ବୃନ୍ଦାବନଙ୍କ ଆଉ ଜଣେ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଝିଅ ସୁଜ୍ଞାନୀ ବେହେରା ବିବାହ ହୋଇ ଶାଶୂ ଘରେ ରହୁଛନ୍ତି । ପୁଅ ସାଗର ବେହେରା ଗତକାଲି ମାଉସୀ ଘର ଖରିଆଗୁଡ଼ା ନିକଟ ପୁହୁଣ୍ଡି ଭୋଜି କାର୍ଯ୍ୟ ପାଇଁ ଯାଇଥିଲେ । ଖବର ପାଇ ପୁଅ ସାଗର, ଝିଅ ସୁଜ୍ଞାନୀ ଓ ପୁତୁରା ସୂର୍ଯ୍ୟନାରାୟଣ ବେହେରା ଏବଂ ସମ୍ପର୍କୀୟ ପହଞ୍ଚିଥିଲେ । ସେମାନଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଇନ୍କ୍ୱେଷ୍ଟ କରିବା ପରେ ତିନୋଟି ଶବ ଜବତ କରିଥିଲା । ଶବ ଜବତ ପରେ ଛତ୍ରପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲା । ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ସ୍ୱାମୀ ବୃନ୍ଦବାନ ଆତ୍ମହତ୍ୟା କରିଥିବା ଏସ୍ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି । ତଦନ୍ତ ପରେ ସବୁ କଥା ଜଣାପଡ଼ିବ ବୋଲି ଏସ୍ପି କହିଛନ୍ତି ।
ସବୁଦିନ ପରି ସ୍ୱାମୀ ବୃନ୍ଦାବନ, ସ୍ତ୍ରୀ ଉର୍ମିଳା ଏବଂ ସାନ ଝିଅ ସୁନିତା ରାତିରେ ଖାଇପିଇ ଶୋଇଥିଲେ । ରାତ୍ର ୧୦ଟା ବେଳେ ବୃନ୍ଦାବନକୁ ଗାଁ ଲୋକ ଦେଖିଥିଲେ । ସକାଳୁ ତାଙ୍କ ଘର କବାଟ ଖୋଲା ଯାଇ ନଥିଲା । ସବୁଦିନେ ସକାଳେ ଉର୍ମିଳା ଘର ନିକଟ ଷ୍ଟାଣ୍ଡ୍ ପଏଣ୍ଟ ପାଇପ୍ରୁ ପାଣି ନିଅନ୍ତି । କିନ୍ତୁ ଆଜି ସକାଳେ ସେ ଆସିନଥିଲେ । ତାଙ୍କୁ ନଦେଖି ପଡେ଼ାଶୀ ଘରର ମହିଳା ତାଙ୍କ ଛୋଟ ଝିଅକୁ ଡାକିବାକୁ ପଠାଇଥିଲେ । ବଡ଼ ମାଆ ବୋଲି ପାଟି କରି ସେ କବାଟ ବାଡେ଼ଇଥିଲା । କିନ୍ତୁ କେହି କବାଟ ଖୋଲୁ ନାହାନ୍ତି ବୋଲି ମାଆଙ୍କୁ ଆସି କହିଥିଲା । କିଛି ସମୟ ପରେ ପାଣି ଆସିଲାଣି ବୋଲି କହି କବାଟ ଖୋଲି ଦେବା ପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ଗ୍ରାମବାସୀ ରୁଣ୍ଡ ହୋଇ ଘଟଣା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୃନ୍ଦାବନ ଓ ତା’ର ସ୍ତ୍ରୀ ଏବଂ ପିଲାମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନଥିଲା । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା । ସମାଧାନ ହେଉଥିଲା । ପୂର୍ବରୁ ବୃନ୍ଦାବନ ତା’ ସ୍ତ୍ରୀକୁ ହାଣିବ ବୋଲି ତାଗିଦ୍ କରିଥିଲା । ଗତ ଏକ ବର୍ଷ ତଳେ ଝଗଡ଼ା ହେବାରୁ ସ୍ତ୍ରୀ ଉର୍ମିଳା ପିଲାମାନଙ୍କୁ ଧରି ବାପଘରକୁ ଚାଲିଯାଇଥିଲା । ଭଦ୍ରଲୋକଙ୍କ ସହାୟତାରେ ମିମାଂସା ହୋଇଥିଲା । ଆଉ ଭବିଷ୍ୟତରେ ଗଣ୍ଡଗୋଳ କରିବ ନାହିଁ ବୋଲି ଲେଖି ଦେବା ପରେ ସ୍ୱାମୀଙ୍କ ନିକଟକୁ ଆସିଥିଲେ ଉର୍ମିଳା । ଏକ ବର୍ଷ ହେଲା ସବୁ ଠିକ୍ଠାକ୍ ଥିଲା । ତଥାପି ସେମାନଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହେଉଥିଲା ବୋଲି କହିଛନ୍ତି ବୃନ୍ଦାବନଙ୍କ ଶଢ଼ୁ ପୁଅ ସୂର୍ଯ୍ୟନାରାୟଣ ବେହେରା । ସେ କହିଛନ୍ତି ଯେ ମଉସାଙ୍କ ଏତେ ରାଗ ଯେ ଖଣ୍ଡାରେ ଏକ ବିଲେଇକୁ ଘରେ ହାଣି ଦେଇଥିଲେ ।
ମୃତକ ଝିଅ ସୁନିତା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ପଢ଼ୁଥିଲେ । ମାର୍ଚ୍ଚ ୩ରେ ହେବାକୁ ଥିବା ଉଚ୍ଚ ମାଧ୍ୟମିକ ପରିଷଦ ବାର୍ଷିକ ପରୀକ୍ଷା ପ୍ରସ୍ତୁତି କରୁଥିଲେ । ମୃତକ ବୃନ୍ଦାବନ ଅନ୍ୟ ସାହିରେ ତେଜରାତି ଦୋକାନ କରିଛନ୍ତି । ସକାଳୁ ଦୋକାନକୁ ଗଲେ ରାତ୍ର ଘରକୁ ଫେରନ୍ତି । କୌଣସି ନିଶା ସେବନ କରନ୍ତି ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ବୃନ୍ଦାବନ ଏତେବଡ଼ ଜଘନ୍ୟ କାଣ୍ଡ କରିବେ ବୋଲି କେହି ବିଶ୍ୱାସ କରି ପାରୁନଥିଲେ । ଏହାପଛର ରହସ୍ୟ କ’ଣ ସ୍ପଷ୍ଟ କରିନି ପୁଲିସ । ପାରିବାରିକ ବିବାଦ ନା ଅନ୍ୟ କିଛି କାରଣ ରହିଛି ତାହାକୁ ନେଇ ପୁଲିସ ଖୋଳତାଡ଼ କରୁଛି ।
Comments are closed, but trackbacks and pingbacks are open.