ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଧ୍ୱଂସ ପାଉଛି ଜଙ୍ଗଲ । ଜଙ୍ଗଲରେ ବନ୍ୟପ୍ରାଣୀଙ୍କୁ ଆଉ ମିଳୁନି ଆହାର । ଖାଦ୍ୟ ଅନ୍ୱେ୍ୱଷଣରେ ଭାଲୁମାନେ ଜନବସତି ମୁହାଁ ହେଉଛନ୍ତି । ଖାଦ୍ୟ ପାଇଁ ସଂଘର୍ଷ କରି ଦୁଇଟି ଭାଲୁ ମୁହାଁମୁହିଁ ହୋଇଛନ୍ତି । ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ କୈଳାସ ମିଶ୍ରଙ୍କ ଘରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀ ମିଶ୍ରଙ୍କ ବଗିଚାରେ ଲାଗିଥିବା ଫଳଗଛର ଫଳ ଓ ଆଖୁ ଖାଇବା ପାଇଁ ଦୁଇଦିନ ତଳେ ଦୁଇଟି ଭାଲୁ ପହଞ୍ଚିଥିଲେ । ବଗିଚା ଭିତରେ ଉଭୟ ଭାଲୁ ବିଭିନ୍ନ ଫଳ ଖାଇବା ପରେ ସେମାନଙ୍କ ମଧ୍ୟରେ ଲଢେଇ ହୋଇଥିଲା । ସକାଳ ପାହିଲା ବେଳକୁ ଉଭୟ ଭାଲୁ ଚାଲିଯାଇଥିଲେ । ଅନ୍ୟପକ୍ଷେ ଦୀର୍ଘ ୧୨ଦିନ ହେଲା ଦହଣା ନିକଟ ଅଣ୍ଟାସରଗାଁ ନିକଟରେ ଭାଲୁ ଆତଙ୍କ ଦେଖାଦେଇଥିବା ଅଭିଯୋଗ ହୋଇଛି । ସଞ୍ଜହେଲେ ଏକାଧିକ ଭାଲୁ ଗାଁମୁହାଁ ହେଉଛନ୍ତି । ଏନେଇ ଫରେଷ୍ଟର ମନୋରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରେ ବନବିଭାଗର ୱାଇଲ୍ଡ ସ୍କ୍ୱର୍ଡ ସମେତ ୧୫ଜଣ କର୍ମଚାରୀଙ୍କୁ ଭାଲୁଙ୍କୁ ଆୟତ୍ତ କରିବାକୁ ନିୟୋଜିତ କରାଯାଇଥିବା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାଲୁଗୁଡିକ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରି ନାହାନ୍ତି । ଭାଲୁର ଚଳାଚଳ ରାସ୍ତା ଉପରେ ବିଭାଗ ପକ୍ଷର ସତର୍କ ଦୃଷ୍ଟି ରଖାଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ।
Comments are closed, but trackbacks and pingbacks are open.