ପୁରୀ,(ବି.ବି.ନୁ୍ୟଜ୍): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସକାଳ ୮ଟାରେ କଡ଼ା ସୁରକ୍ଷା ବଳୟରେ ସେ ସିଂହଦ୍ୱାର ପହଞ୍ଚିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ଦୀପ ଦାନ କରିବା ପରେ ଦଳୀୟ ନେତାମାନେ ଶ୍ରୀଅଙ୍ଗ କପଡ଼ା ଦେଇ ତାଙ୍କୁ ସ୍ୱାଗତ କରିଥିଲେ ।
ଶ୍ରୀ ଶାହ ସିଂହଦ୍ୱାରରୁ ବାଇଶି ପାହାଚ, ଘଣ୍ଟିଦ୍ୱାର ଦେଇ ଜୟ ବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ । ସେଠାରୁ ଜୟ ବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ ଭିତର କାଠ ଠାରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ବେହରଣ ଦ୍ୱାର ଦେଇ ସେ ଭିତର ବେଢ଼ାକୁ ବାହାରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ମୁକ୍ତି ମଣ୍ଡପ ପଣ୍ଡିତମାନଙ୍କ ଠାରୁ ଆଶୀର୍ବାଦ ନେଇ ଭିତର ବେଢ଼ାର ମା’ ବିମଳାଙ୍କ ମନ୍ଦିର ଦର୍ଶନ କରିଥିଲେ । ଦର୍ଶନ ସାରି ମନ୍ଦିର ମଣ୍ଡପ ସାମ୍ନାରେ କିଛି ସମୟ କଟାଇଥିଲେ । ଏଠାରେ ସେ ଶୁଖିଲା ଭୋଗ ପାଇଥିଲେ । ପରେ ସେ ସିଂହଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଦର୍ଶନ ବେଳେ ସେ ସମସ୍ତ ମନ୍ଦିରରେ ଅର୍ଥ ଦାନ ଦେଇଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ତାଙ୍କର ପୈତୃକ ପଣ୍ଡା ରଘୁନାଥ ଗୋଚ୍ଛିକାର ଶ୍ରୀମନ୍ଦିରରେ ଦର୍ଶନ କରାଇଥିଲେ ।
ଶ୍ରୀ ଶାହଙ୍କ ସହ କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରବିନାରାୟଣ ଦାଶ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରା, ମଧୁସୂଦନ ସିଂଗାରୀ, ଦୀନବନ୍ଧୁ ପ୍ରତିହାରୀ, ମୁନା ପଣ୍ଡା, ଭବାନୀ ଶଙ୍କର ଦାସମହାପାତ୍ର ପ୍ରମୁଖ ବିଜେପି ନେତା କେନ୍ଦ୍ରମନ୍ତ୍ରୀଙ୍କ ଦର୍ଶନ ବେଳେ ଉପସ୍ଥିତ ଥିଲେ ।
ଶ୍ରୀ ଶାହ ପୁରୀ ବେଳାଭୂମି ସଂଲଗ୍ନ ମେ’ ଫେୟାର ହୋଟେଲରେ ଗତକାଲି ରାତ୍ରିଯାପନ କରିଥିଲେ । ଆଜି ପୂର୍ବାହ୍ନରେ ସେ ହୋଟେଲରୁ ବାହାରି ସିଧା ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ଶେଷ ପରେ ହୋଟେଲକୁ ଫେରି କାର୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଠାରେ ଶ୍ରୀ ଶାହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ସିଂହଦ୍ୱାର ଠାରେ ଉପସ୍ଥିତ ଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରିଦର୍ଶନ ପାଇଁ ଶ୍ରୀମନ୍ଦିର ପରିସର, ବାହାରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।
Comments are closed, but trackbacks and pingbacks are open.