ଏସ୍ସିବିରେ ସନ୍ଦିଗ୍ଧ କରୋନା ଦମ୍ପତି

Get real time updates directly on you device, subscribe now.

କଟକ/ପାରାଦୀପ,(ବି.ବି.ନୁ୍ୟଜ୍): ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ଦୁଇ ସନ୍ଦିଗ୍ଧ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଚୀନ୍ରୁ ସିଙ୍ଗାପୁର ବାଟ ଦେଇ ପାରାଦୀପ ବନ୍ଦରକୁ ଆସିଥିବା ଏକ ଆମେରିକୀୟ ଜାହାଜରେ ନାବିକ ଥିବା ଜଣେ ଭାରତୀୟ ଓ ତାଙ୍କ ପତ୍ନୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସନେ୍ଦହ କରାଯାଇଛି । ପାରାଦୀପରେ ପ୍ରାଥମିକ ଚିକିତ୍ସା ପରେ ଆଜି ଉଭୟଙ୍କୁ କଟକସ୍ଥିତ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ, ଯେପର୍ଯ୍ୟନ୍ତ ରୋଗୀଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷାର ରିପୋର୍ଟ ନ ବାହାରିଛି ସେ ପର୍ଯ୍ୟନ୍ତ ଏହାକୁ କରୋନା ସଂକ୍ରମଣ ବୋଲି ଭାବି ଲୋକେ ଭୟଭୀତ ନ ହେବାକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଜଣାଇଛନ୍ତି ।

ଗତ ଫେବ୍ରୁଆରୀ ୧୦ ରେ ଚୀନ୍ର ଏକ ବନ୍ଦରରୁ କେମ୍ଷ୍ଟାର୍ ଷ୍ଟେଲର୍ ନାମକ ଏକ ଆମେରିକୀୟ ଜାହାଜ ବାହାରି ୧୫ ତାରିଖରେ ଦକ୍ଷିଣ କୋରିଆରେ ପହଞ୍ଚିଥିଲା । ଏହାପରେ ଉକ୍ତ ଜାହାଜ ସିଙ୍ଗାପୁରର ଏକ ବନ୍ଦରରେ ଅଟକିଥିଲା । ୨୦ ହଜାର ଟନ୍ ସଲ୍ଫୁ୍ୟରିକ୍ ଏସିଡ୍ ନେଇ ଆସିଥିବା ଏହି ଜାହାଜ ଗତ ୨୫ ତାରିଖରେ ସିଙ୍ଗାପୁରରୁ ବାହାରି ମାର୍ଚ୍ଚ ୧ ରେ ପାରାଦୀପ ବନ୍ଦରରେ ପହଞ୍ଚିଥିଲା । ଆଜି ଦିନ ଗୋଟାଏ ବେଳକୁ ଜାହାଜ ପକ୍ଷରୁ ଜଣେ ଭାରତୀୟ ନାବିକଙ୍କ ଦେହ ଅସୁସ୍ଥ ଥିବା ନେଇ ବନ୍ଦର କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା । ଉକ୍ତ ନାବିକଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ ଓ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ମଧ୍ୟ ଥିବା ଜଣାପଡ଼ିଥିଲା । ବନ୍ଦର ପକ୍ଷରୁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଦ୍ୱାରା ଜାହାଜରେ ଥିବା ସମସ୍ତ ୨୪ ଜଣ ଜାହାଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏପରିକି ଉକ୍ତ ନାବିକଙ୍କ ଦେହରେ ଜ୍ୱର ଥିବା ଜଣାପଡ଼ିବା ପରେ ଉପଯୁକ୍ତ ସୁରକ୍ଷା ସରଞ୍ଜାମ ସହିତ ନାବିକଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ସହ ତାଙ୍କ ପତ୍ନୀଙ୍କର ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ଯେହେତୁ ସେମାନେ ଚୀନ୍, ଦକ୍ଷିଣ କୋରିଆ ଭଳି ଦେଶ ମଧ୍ୟ ଦେଇ ଆସିଛନ୍ତି ତେଣୁ ସେମାନେ କରୋନା ଭାଇରସ୍ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନେ୍ଦହ କରାଯାଇଥିଲା । ଏହାପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇ ଦମ୍ପତିଙ୍କୁ ତୁରନ୍ତ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା ।

ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉପଯୁକ୍ତ ସୁରକ୍ଷା ସରଞ୍ଜାମର ବଳୟ ମଧ୍ୟରେ ନାବିକ ଓ ତାଙ୍କ ପତ୍ନୀଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ବନ୍ଦର ପ୍ରଶାସନିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ । ଏପରିକି ଜାହାଜକୁ ୧୫ ମିନିଟ୍ ପାଇଁ ବର୍ଥକୁ ଅଣାଯାଇ ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ ଅଣାଯିବା ପରେ ଜାହାଜକୁ ପୁଣି ଆଙ୍କରେଜ୍ ଏରିଆ ବାହାରକୁ ପଠାଇ ଦିଆଯାଇଛି, ଜାହାଜର କ୍ୟାବିନ୍ ଅଞ୍ଚଳକୁ ଷ୍ଟେରିଲାଇଜ୍ (ଜୀବାଣୁମୁକ୍ତ) କରାଯାଇଛି ବୋଲି ଶ୍ରୀ ରୟ ସୂଚନା ଦେଇଛନ୍ତି ।
ଅପରପକ୍ଷରେ, ସନ୍ଦିଗ୍ଧ ଦମ୍ପତିଙ୍କୁ ଏସ୍ସିବିର ପଲ୍ମୁ୍ୟନାରୀ ମେଡିସିନ୍ ବିଭାଗ ଅଧିନରେ ଥିବା ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସନ୍ଧ୍ୟାଯାଏ ସ୍ଥିର ଅଛି । ଆସନ୍ତାକାଲି ସେମାନଙ୍କ ସ୍ୱାବ୍ ନମୁନା ପରୀକ୍ଷା ନିମନ୍ତେ ଆଇସିଏମ୍ଆର୍ (ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଅଧୀନରେ ଥିବା କୋଲକାତାସ୍ଥିତ ପରୀକ୍ଷାଗାରକୁ ପଠାଯିବ । ଗୋଟିଏ ଦିନ ପରେ ପରୀକ୍ଷା ରିପୋର୍ଟକୁ ପରୀକ୍ଷାଗାର ପକ୍ଷରୁ ଅପ୍ଲୋଡ୍ କରାଯିବ । ଏଣୁ ଦୁଇ ଦିନ ପରେ ସନ୍ଦିଗ୍ଧଙ୍କ ସଂକ୍ରମଣ କଥା ସ୍ପଷ୍ଟ ହୋଇଯିବ ବୋଲି ପଲ୍ମୁ୍ୟନାରୀ ବିଭାଗୀୟ ମୁଖ୍ୟ ଡା. ମନୋରଂଜନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons