କୋଣାର୍କ,(ବି.ବି.ନୁ୍ୟଜ୍): କୋଣାର୍କ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୩ତାରିଖ ପର୍ଯ୍ୟନ୍ତ ସମୁଦାୟ ୯୩୫ ଅଣ୍ଡା ସଂଗୃହ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । କଅଁରପୁର ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୪ଟି ବସାରେ ୪୦୪ ଅଣ୍ଡା ଓ ଚନ୍ଦ୍ରଭାଗା ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୪ଟି ବସାରେ ୫୩୧ ଅଣ୍ଡା ରହିଛି । ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଗତବର୍ଷ ତୁଳନାରେ ଏଥର ବିଳମ୍ବରେ ଅଲିଭ ରିଡ୍ଲେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୪୫ ରୁ ୫୫ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ କଇଁଛମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ । ଅଲିଭ ରିଡ୍ଲେଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ଚନ୍ଦ୍ରଭାଗା ଓ କଅଁରପୁର ନିକଟରେ ଅସ୍ଥାୟୀ ପ୍ରଜନନ କେନ୍ଦ୍ର ଖୋଲାଯାଇଥିବା ବେଳେ ଅଣ୍ଡାଗୁଡ଼ିକ ବିଲୁଆ, କୁକୁରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଗତବର୍ଷ ଅଣ୍ଡାଦାନ ପ୍ରକ୍ରିୟା ନଭେମ୍ବର ମାସ ଶେଷ ସପ୍ତାହରେ ହୋଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ଆରମ୍ଭ ହୋଇଛି । ପ୍ରତିକୂଳ ପାଗ ଯୋଗୁଁ ଚଳିତ ବର୍ଷ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପୂର୍ବ ବର୍ଷ ଅପେକ୍ଷା କମ୍ ରହିଛି ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.