ଚନ୍ଦକାରେ ଆତଙ୍କ :ଗୁଳିମାଡ଼ରେ ଛାତ୍ର ଗୁରୁତର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚନ୍ଦକା ଥାନା ଅଞ୍ଚଳରେ ଥିବା ଏକ ରେସ୍ତୋରାଁରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଗ୍ରାହକ ଗୁରୁତର ଆହତ ହେଇଛନ୍ତି । ସେ ହେଲେ ଅସୀମ କାଳସି (୨୭) । ସେ ଗୋହିରିଆ ଛକ ନିକଟରେ ଥିବା ଏକ ଘରୋଇ କଲେଜର ଛାତ୍ର । ତାଙ୍କ କାନ୍ଧରେ ଗୁଳି ପଶି ବାହାରି ଯାଇଛି । ଗୁରୁତର ଅବସ୍ଥାରେ ଅସୀମଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଚନ୍ଦକା ପୁଲିସ୍ ଉକ୍ତ ରେସ୍ତୋରାଁରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ମଦ ପିଇବାକୁ କେନ୍ଦ୍ର କରି ଏଭଳି ଘଟିଥିବା ପୁଲିସ୍ ସୂଚନା ଦେଇଛି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତବାକ, ପିତାପଲ୍ଲୀରୁ କଟକ ଯିବା ରାସ୍ତା କଡ଼ରେ ରହିଛି ଏହି ରେସ୍ତୋରାଁ । ଏଠାରେ ଅନେକ ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ବୁଧବାର ଅପରାହ୍ଣ ପ୍ରାୟ ୩ଟା ବେଳେ ୪ଜଣ ଯୁବକ ଏକ କାର୍ରେ ଆସି ପହଞ୍ଚି ଥିଲେ ରେସ୍ତୋରାଁରେ । ସମସ୍ତେ ନିଶାଶକ୍ତ ଅବସ୍ଥାରେ ଥିଲେ । ଖାଇବା ଅର୍ଡର କରିଥିଲେ । ଦୀର୍ଘ ସମୟ ବସିବା ପରେ ଖାଇବା ଆସି ନଥିଲା । ୪ଜଣ ଯୁବକ ବାରମ୍ବାର ପଚାରିଥିଲେ କେତେବେଳେ ଖାଇବା ଆସିବ । ଏହା ଶୁଣି ମଧ୍ୟ ରେସ୍ତୋରାଁ କର୍ମଚାରୀ କିଛି ଉତ୍ତର ଦେଇ ନଥିଲେ । ୪ଜଣ ଯୁବକ ଅଶ୍ଳୀଳ ଭାଷାରେ ପାଟିତୁଣ୍ଡ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ମାଲିକ ୪ଜଣଙ୍କୁ ରେସ୍ତୋରାଁରୁ ବାହାର କରି ଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସେଠାରୁ ଚାଲି ଯାଇଥିଲେ । ସେତେବେଳେ ସମୟ ପ୍ରାୟ ସାଢେ଼ ୪ଟା । ଯୁବକଙ୍କ ମଧ୍ୟରୁ ଜଣେ ରାସ୍ତା ଉପରେ ଠିଆ ହୋଇ ରେସ୍ତୋରାଁ ମାଲିକଙ୍କ ଉପରକୁ ୬ ରାଉଣ୍ଡ ଗୁଳି କରିଥିଲେ । ହେଲେ କୌଣସି ଗୁଳି ମାଲିକଙ୍କ ଦେହରେ ବାଜି ନଥିଲା । ମାଲିକଙ୍କ ପାଖରେ ଠିଆ ହୋଇଥିବା ଗ୍ରାହକ ଅସୀମଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିଲା । ଏହାପରେ ୪ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଅସୀମଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଆଚାର୍ଯ୍ୟ ବିହାରରେ ଥିବା ଅନ୍ୟ ଏକ ହସ୍ପିଟାଲ୍କୁ ନିଆ ଯାଇଥିଲା । ଗୁଳି କାନ୍ଧରେ ପଶି ବାହାରି ଯାଇଥିବାରୁ ଅସୀମଙ୍କ ଅବସ୍ଥା ସ୍ଥିର ରହିଛି ।
ଗୁଳିକାଣ୍ଡ ଖବରପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଚନ୍ଦକା ଥାନା ଆଇଆଇସି ଡି. ବିଶ୍ୱାଳ । ଏହାପରେ ଜୋନ୍ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କିଛି ସମୟ ପରେ ଡିସିପି ଅନୁପ ସାହୁ ମଧ୍ୟ ସେଠାକୁ ଯାଇଥିଲେ । ଏହି ସମୟରେ ଦୋକାନର ସିସି କ୍ୟାମେରା ଯାଞ୍ଚ କରିଥିଲେ । ହେଲେ ସିସି କ୍ୟାମେରା ଖରାପ ଥିବା ଜଣାପଡ଼ିଥିଲା । ପୁଲିସ୍ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ରାତିରେ ଆହତ ଅସୀମ ସହ ପୁଲିସ୍ ଏ ବିଷୟରେ ଆଲୋଚନା କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons