ଖୋର୍ଦ୍ଧା,(ବି.ବି.ନୁ୍ୟଜ୍):ପ୍ରଥମ ଥର ପାଇଁ ଜାଲନୋଟ୍ କାରବାର ଅଭିଯୋଗରେ ଆଦର୍ଶ ଥାନା ପୁଲିସ କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗ୍ରାମର ଶରତ ଚନ୍ଦ୍ର ଦାସଙ୍କ ପୁଅ ବିଜୁ ଦାସ(୨୦) ଏବଂ ଜଟଣୀ ଥାନା ଅନ୍ତର୍ଗତ ଓଗାଳପଡ଼ା ଚଣ୍ଡୀମନ୍ଦିର ନିକଟ ବାବାଜି ଓରଫ ବାବୁଜୀ ଚରଣ ସିଂ(୫୯)ଙ୍କୁ ଗିରଫ କରିଛି । ଅଭିଯୁକ୍ତ ବିଜୁ ଓ ବାବାଜିଠାରୁ ଆଠ ହଜାର ୫୫୦ ଟଙ୍କାର ଜାଲ ନୋଟ୍ ଜବତ ହୋଇଛି । ବାବାଜି ନିକଟରୁ ୪ଟା ଶହେ ଟଙ୍କିଆ ଏବଂ ୧୩୫ ଖଣ୍ଡ ୫୦ ଟଙ୍କିଆ ଓ ବିଜୁ ନିକଟରୁ ୧୪ଟି ଶହେ ଟଙ୍କିଆ ଜାଲ ନୋଟ ଜବତ ହୋଇଥିବା ଥାନା ଅଧିକାରୀ ଆର୍ତ୍ତତ୍ରାଣ ନନ୍ଦ ସୂଚନା ଦେଇଛନ୍ତି । ତେବେ ଏହାର ଚେର ଫୁଲବାଣୀରୁ ଲମ୍ବିଥିବା ବେଳେ କାରବାରର ମାଷ୍ଟର ମାଇଣ୍ଡକୁ ଠାବ କରିବାରେ ପୁଲିସ ବିଫଳ ହୋଇଛି ।
ଘଟଣାରୁ ଜଣାଯାଇଛି ସୋମବାର ସନ୍ଧ୍ୟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମୁରଲୀଧର ସ୍ୱାଇଁଙ୍କ ପାନ ଦୋକାନରୁ ଅଭିଯୁକ୍ତ ବିଜୁ ଏକ ଶହେଟଙ୍କିଆ ନୋଟ୍ ନେଇ ଗୁଟ୍ଖା କ୍ରୟ କରିଥିଲା । କିନ୍ତୁ ମୁରଲୀଧର ଉକ୍ତ ଟଙ୍କା ଜାଲ ବୋଲି ସନେ୍ଦହ କରି ବିଜୁକୁ ପଚାରଉଚରା କରିଥିଲା । ଏହାକୁ ନେଇ ଦୋକାନୀ ଏବଂ ବିଜୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉକ୍ତ ସମୟରେ ସ୍ଥାନୀୟ ଲୋକେ ବିଜୁକୁ ଅଟକ ରଖି ପୁଲିସ ଖବର ଦେଇଥିଲେ । ପୁଲିସ ପହଞ୍ଚô ତାଙ୍କୁ ଥାନାକୁ ନେଇ ପଚାର ଉଚରା କରିଥିଲା । ପୁଲିସ ଯାଞ୍ଚ ସମୟରେ ବିଜୁ ପାନଦୋକାନୀକୁ ଦେଇଥିବା ଶହେ ଟଙ୍କିଆ ନୋଟ ଜାଲ ବୋଲି ଜାଣିବାକୁ ପାଇଥିଲା । ବିଜୁ ସ୍ଥାନୀୟ ଶିଳ୍ପାଞ୍ଚଳର ଏକ କମ୍ପାନୀରେ ଶ୍ରମିକ । ଜାଲ ନୋଟ୍ ସେ କେଉଁଠାରୁ ପାଇଲା ତାହାକୁ ନେଇ ପୁଲିସ ତାଜୁବ୍ ହୋଇଯାଇଥିଲା । ଶେଷରେ ବିଜୁ ଉକ୍ତ ଟଙ୍କା ଜଟଣୀ ଥାନା ଯାଆଁଳା ଗ୍ରାମ ନିକଟ ମା’ ଭୁଆସୁଣୀ ମନ୍ଦିର ନିକଟ ପାନ ଦୋକାନୀ ବାବାଜି ତାଙ୍କୁ ୨୦ଟି ଏକଶହ ଟଙ୍କିଆ ଜାଲ ନୋଟ ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଥିଲା । ସେଥିମଧ୍ୟରୁ କିଛି ଜାଲନୋଟ୍ ବିଭିନ୍ନ ଦୋକାନରେ ଚଳେଇ ଦେଇଥିବା ବେଳେ ୧୪ଟି ଶହେ ଟଙ୍କିଆ ପୁଲିସ ତା ନିକଟରୁ ଜବତ କରିଥିଲା । ଏହା ପରେ ପୁଲିସ ବାବାଜିକୁ ଗିରଫ କରିଥିଲା । ବାବାଜି ଜଣେ ପାନଦୋକାନୀ ହୋଇ ଜାଲ ନୋଟ୍ କେଉଁଠାରୁ ଆଣିଲା ତାର ଚେର ଖୋଜିବା ସମୟରେ ବିଗତ ଦୁଇ ବର୍ଷ ଧରି ଫୁଲବାଣୀ ଅଞ୍ଚଳର ଜଣେ ବ୍ୟକ୍ତି ତାକୁ ସମସ୍ତ ଜାଲ ନୋଟ ରଖିବାକୁ ଦେଇଥିବା ପୁଲିସକୁ ଆଗରେ କହିଥିଲା । କିନ୍ତୁ ଟଙ୍କା ଦେଇଥିବା ବ୍ୟକ୍ତି ଆଉ ଧରାଛୁଆଁ ଦେଉ ନାହିଁ । ସେ ଖୁଚୁରା ବଜାରରେ ଚଳାଇ ଦେବାକୁ ବିଜୁର ସହଯୋଗ ନେଇଥିବା ପ୍ରକାଶ କରିଥିଲା । ଏଥିସହିତ ବିଜୁକୁ ୨୦ ଖଣ୍ଡ ଶହେ ଟଙ୍କିଆ ଜାଲ ନୋଟ୍ ଦେଇଥିବା ସେ କହିଥିଲା । ପୁଲିସ ଜାଲ ନୋଟ କାରବାର ଅଭିଯୋଗରେ ନିଜ ତରଫରୁ ଏକ ମାମଲା (୮୦/୨୦) ରୁଜୁ କରି ଉପରୋକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.