ନବରଙ୍ଗପୁର,(ବି.ବି.ନୁ୍ୟଜ୍): ବେଆଇନ ଭାବେ ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁର । ଗିରଫ ପରେ କୋରାପୁଟ ଭିଜିଲାନ୍ସ ବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନମିଳିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତାଙ୍କ ପାଖରେ ୯୩ ଲକ୍ଷ ୨୬ ହଜାର ୫୯୩ ଟଙ୍କାରୁ ଅଧିକ ଆୟ ବର୍ହିିଭୂତ ସମ୍ପତ୍ତି ଥିବା ଏସ୍ପି ଶଶିଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
୯ ତାରିଖ ଅପରାହ୍ଣରେ ସମ୍ବାଦିକଙ୍କୁ ସୂଚନା ଦେଇ ଏସପି ଶ୍ରୀ ମହାପାତ୍ର କହିଥିଲେ, ଆର୍ଟିଓଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଗତ ୬ ତାରିଖରେ ନବରଙ୍ଗପୁର କାର୍ଯ୍ୟାଳୟ ସହ କନ୍ଧମାଳ, ଭୁବନେଶ୍ୱର ଏବଂ ରାୟଗଡା ପ୍ରଭୃତିକୁ ମିଶାଇ ୬ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ । ସ୍ଥାବର ଏବଂ ଅସ୍ଥାବର ମିଶାଇ ୧ କୋଟି ୫୦ ଲକ୍ଷ ୬୩ ହଜାର ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଜବତ ଭିତରେ ଥିଲା ଭୁବନେଶ୍ୱର କଳାରାହଙ୍ଗରେ ଥିବା ଫ୍ଲାଟ୍, ଯାହାର ଦାମ୍ ୩୬ ଲକ୍ଷ ୭୫ ହଜାର ଟଙ୍କା, ଫୁଲବାଣୀରେ ଥିବା ମାର୍କେଟ କମ୍ପେ୍ଲକ୍ସର ଦାମ୍ ୩୬ ଲକ୍ଷ ୭୦ ହଜାର, ଏକ ମହଲା କୋଠାର ଦାମ୍ ୨୬ ଲକ୍ଷ ୮୬ ହଜାରା, ଅନ୍ୟ ଏକ କୋଠାର ଦାମ୍ ୨୬ ଲକ୍ଷ ୯୫ ହଜାର ଟଙ୍କା ସହ ବିଭିନ୍ନ ବ୍ୟାଙ୍କରେ ୧୪ ଲକ୍ଷ ୧୯ ହଜାର ଏବଂ ୧ ଲକ୍ଷ ୪୧ ହଜାର ଟଙ୍କା ମୂଲ୍ୟର ଅଳଙ୍କାର । ତାଙ୍କ ଘରୁ ନଗଦ ୭ ଲକ୍ଷ ୭୫ ହଜାର ଟଙ୍କା ବି ଜବତ କରିଥିଲା ଭିଜିଲାନ୍ସ । ତଦନ୍ତ ପରେ ବେଆଇନ ଭାବେ ତାଙ୍କ ପାଖେ ୯୩ ଲକ୍ଷ ୨୬ ହଜାର ୫୯୩ ଟଙ୍କାର ସମ୍ପତ୍ତି ଅଧିକ ଥିବା ଜଣାପଡିଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ତାଙ୍କ କାର୍ଯ୍ୟାଳୟର ଅନ୍ୟ ଦୁଇ କର୍ମଚାରୀ ଧୃତିରଞ୍ଜନ ମହାପାତ୍ର, ସୁରକ୍ଷା କର୍ମୀ ଭୁବନେଶ୍ୱର ପାଇକ ଏବଂ ବ୍ୟକ୍ତିଗତ ଡ୍ରାଇଭର ବାସୁଦେବ ମାଝୀଙ୍କ ଘର ଯାଞ୍ଚ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଟିଏମ୍ଗୁଡିକୁ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଆର୍ଟିଓ ନିଜ ସଂପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ । ଆନୁମାନିକ ୧୦ ଲକ୍ଷ ଟଙ୍କାର କାରବାର ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା କଳହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦ କହିଛନ୍ତି ।
Comments are closed, but trackbacks and pingbacks are open.