ନୂଆଦିଲ୍ଲ: ନିର୍ଭୟା ଗଣ-ବଳାକ୍ରାର ଓ ହତ୍ୟା ଘଟଣାର ଦୋଷୀମାନେ ଆସନ୍ତା ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ବେଳେ ଫାଶୀରୁ ବର୍ତ୍ତିବା ପାଇଁ ସେମାନେ ନୂଆ ଚାଲ୍ ଚଲାଇଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତରୁ ନିରାଶ ହେବା ପରେ ଦୋଷୀ ଅକ୍ଷୟ, ପବନ ଏବଂ ବିନୟ ଅନ୍ତର୍ଜାତୀୟ ଅଦାଲତ(ଆଇସିଜେ)ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କର ଫାଶୀ ଦଣ୍ଡ ଟାଳିବାକୁ ନିବେଦନ କରି ଦୋଷୀମାନେ ଆଇସିଜେଙ୍କ ନିକଟକୁ ପତ୍ର ଲେଖିଛନ୍ତି ।
ଦୋଷୀମାନଙ୍କ ଓକିଲ ଏପି ସିଂହ ଏନେଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ନିର୍ଭୟା ମାମଲା ଏବେ କେବଳ ଦେଶର ମାମଲା ହୋଇ ରହିନାହିଁ । ବିଶ୍ୱବ୍ୟାପୀ ଲୋକ ଏନେଇ ଆଗ୍ରହ ପ୍ରକାଶ କରୁଛନ୍ତି । ବିଦେଶରେ ରହୁଥିବା ଲୋକଙ୍କର ଭାରତୀୟ ନ୍ୟାୟବ୍ୟବସ୍ଥା ଉପରେ ବିଶ୍ୱାସ ନାହିଁ । ଏଣୁ ଦୋଷୀମାନେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀମାନଙ୍କୁ ଇଚ୍ଛାମୃତୁ୍ୟ ନିମନ୍ତେ ଅନୁମତି ଦେବେ ବୋଲି ୪ ଦୋଷୀ ବର୍ତ୍ତମାନସୁଦ୍ଧା ଆଶା ରଖିଥିବା ଏପି ସିଂହ ପ୍ରକାଶ କରିଛନ୍ତି । ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନ ଫାଶୀଦଣ୍ଡକୁ ବିରୋଧ କରି ଆଇସିଜେଙ୍କ ନିକଟରେ ପିଟିସନ ଦାୟର କରିଥିବାରୁ ଦୋଷୀମାନଙ୍କ ପିଟିସନ ଗୃହିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଇସିଜେରେ ମୁଖ୍ୟତଃ ଦୁଇ କିମ୍ବା ତା’ଠାରୁ ଅଧିକ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ଶୁଣାଣି ହୋଇଥାଏ । ଏପରିସ୍ଥଳେ ନିର୍ଭୟା ଦୋଷୀମାନଙ୍କ ମାମଲା ବ୍ୟକ୍ତିଗତ ହୋଇଥିବାରୁ ଏଠାରେ ଏହି ମାମଲାର ଶୁଣାଣି ହୋଇ ନ ପାରେ ବୋଲି ଆଇନ ବିଶେଷଜ୍ଞ ଅନୁମାନ କରିଛନ୍ତି ।
ସେପଟେ ଅନ୍ୟତମ ଦୋଷୀ ମୁକେଶକୁ ସୋମବାର ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛ । ନିଜର ପୂର୍ବ ଓକିଲଙ୍କ ଉପରେ ଦୋଷାରୋପ କରି ତାକୁ ଆଉଥରେ କୁ୍ୟରେଟିଭ ପିଟିସନ ଦାୟର କରିବାକୁ ସୁଯୋଗ ମିଳୁ ବୋଲି ଅନୁରୋଧ କରି ମୁକେଶ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା । ତେବେ କୋର୍ଟ ଏହି ପିଟିସନଟିକୁ ଖାରଜ କରିଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ସମସ୍ତ ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ସକାଳ ୫ଟାରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ଡେଥ୍ ୱାରେଣ୍ଟ ଜାରି ହୋଇଛି । ପୂର୍ବରୁ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରି ୩-୩ ଥର ଫାଶୀ ଟାଳିବାକୁ ସମର୍ଥ ହୋଇଥିବା ବେଳେ ଚଳିତ ଥର ସେମାନଙ୍କ ନିକଟରେ କୌଣସି ଆଇନଗତ ବିକଳ୍ପ ବାକି ନଥିବା କାରଣରୁ ଏଥର ଫାଶୀ ହେବା ସୁନିଶ୍ଚିତ ବୋଲି ମନେ କରାଯାଉଛି ।
Comments are closed, but trackbacks and pingbacks are open.